Advertisment

ଶେଷ ବଲରେ ଜିତିଲା ନ୍ୟୁଜିଲ୍ୟାଣ୍ଡ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ

ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ପ୍ରଥମ ଟେଷ୍ଟକୁ ନ୍ୟୁଜିଲ୍ୟାଣ୍ଡ ବେଶ ନାଟକୀୟ ଢଙ୍ଗରେ ତା’ ପୁଣି ଶେଷ ବଲରେ ଜିତିନେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Rohit

Rohit

ଟେଷ୍ଟ କ୍ରିକେଟରେ ପୁଣିଥରେ ରୋମାଞ୍ଚକର ଲଢ଼େଇ ଦେଖିଛନ୍ତି ଫ୍ୟାନ୍ସ। ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ପ୍ରଥମ ଟେଷ୍ଟକୁ ନ୍ୟୁଜିଲ୍ୟାଣ୍ଡ ବେଶ ନାଟକୀୟ ଢଙ୍ଗରେ ତା’ ପୁଣି ଶେଷ ବଲରେ ଜିତିନେଇଛି। ୫ମ ଦିନର ଶେଷ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ଶ୍ରୀଲଙ୍କା ବିପକ୍ଷରେ ଜିତିବା ପାଇଁ ୮ ରନ ଦରକାର ଥିବା ବେଳେ ହାତରେ ୩ ୱିକେଟ ରହିଥିଲା।

Advertisment

ଦଳ ମ୍ୟାଟ ହେନରୀଙ୍କୁ ରନଆଉଟ ରୂପେ ହରାଇ ଥିଲେ ହେଁ ଶେଷ ବଲରେ ମ୍ୟାଚ୍‌କୁ ଜିତି ନେଇଛି। ନ୍ୟୁଜିଲ୍ୟାଣ୍ଡର ଏହି ରୋମାଞ୍ଚକର ବିଜୟ ଭାରତକୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଟିକେଟ ଦେଇଛି। ଭାରତ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ଟେଷ୍ଟ ଖେଳୁଛି। ଏହି ମ୍ୟାଚ ଜିତିଥିଲେ ଦଳ ସିଧାସଳଖ ଫାଇନାଲ ଟିକେଟ ହାତେଇ ଥାଆନ୍ତା। ହେଲେ ମ୍ୟାଚ୍‌ ଡ୍ର ଅଭିମୁଖେ ଯାଉଥିବା ବେଳେ ନ୍ୟୁଜିଲ୍ୟାଣ୍ତର ବିଜୟ ଭାରତ ପାଇଁ ଆଶୀର୍ବାଦ ସଦୃଶ ହୋଇଛି।

ପୂର୍ବରୁ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ପ୍ରବେଶ କରିସାରିଥିଲା। ଏବେ ଭାରତ ଦ୍ୱିତୀୟ ଦଳ ଭାବେ ଫାଇନାଲ ଟିକେଟ ହାତେଇଛି। ଦୁଇ ଦଳ ଜୁନ ୭ରୁ ଲଣ୍ଡନର ଓଭାଲରେ ଫାଇନାଲ ମ୍ୟାଚ୍‌ ଖେଳିବେ। ଭାରତ ଗତବର୍ଷ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିଥିଲା। କିନ୍ତୁ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଯାଇଥିଲା। କିନ୍ତୁ ଚଳିତ ବର୍ଷ ଦଳ ପାଖରେ ପୁଣି ଟ୍ରଫି ଜିତିବାର ସୁଯୋଗ ସୃଷ୍ଟି ହୋଇଛି।

Advertisment

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ଶ୍ରୀଲଙ୍କା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦି ଶ୍ରୀଲଙ୍କା ଏହି ମ୍ୟାଚ୍‌ ଜିତିଥାଆନ୍ତା, ତା’ହେଲେ ଫାଇନାଲ ରେସ୍‌ରେ ରହିଥାଆନ୍ତା। କିନ୍ତୁ କେନ୍‌ ୱିଲିୟମସନଙ୍କ ଅପରାଜିତ ୧୨୧ ଓ ଡାର୍ଲି ମିଚେଲଙ୍କ ୮୬ ବଲରେ ୮୧ ନ୍ୟୁଜିଲ୍ୟାଣ୍ଡ ଶେଷ ବଲରେ ମ୍ୟାଚ୍‌କୁ ଜିତି ନେଇଛନ୍ତି। ଏହି ପରାଜୟ ଶ୍ରୀଲଙ୍କାକୁ WTC ଫାଇନାଲ ରେସ୍‌ରୁ ବିଦା କରିଛି। 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୫୫ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୩୭୫ ରନ କରିଥିଲା। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ଆଞ୍ଜେଲୋ ମାଥ୍ୟୁସଙ୍କ ୧୧୫ ରନର ଇନିଂସ ବଳରେ ୩୦୨ ରନ କରିଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୨୮୫ ରନର ଟର୍ଗେଟ ମିଳିଥିଲା। ଶେଷ ଦିନରେ ବର୍ଷା ହେବାରୁ ନ୍ୟୁଜିଲ୍ୟାଣ୍ତ ବିଜୟ ସମ୍ଭବ ଲାଗୁ ନଥିଲା।

ହେଲେ ବର୍ଷା ଛାଡ଼ିବା ପରେ ଦଳ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ୱିଲିୟମସନ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଶେଷ ଓଭରରୁ ୮ ରନ ଦରକାର ଥିବା ବେଳେ ୱିଲିୟମସନ ଗୋଟିଏ ଚୌକା ମାରିଥିଲେ। ହେଲେ ଶେଷ ବଲକୁ ଦଳକୁ ଜିତିବା ପାଇଁ ୧ ରନ ଦରକାର ଥିଲା। ଏହି ବଲକୁ ୱିଲିୟମସନ ମିସ୍‌ କରି ଯାଇଥିଲେ। କିନ୍ତୁ ବାଇ ରୂପରେ ଦଳକୁ ଏହି ରନ ମିଳିଥିଲା। ଏଥିସହ ନ୍ୟୁଜିଲ୍ୟାଣ୍ଡ ରୋମାଞ୍ଚକର ବିଜୟ ହାସଲ କରିଥିଲା। 

ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ଜିତିଲେ ମଧ୍ୟ ଦଳର ବିଜୟ ପ୍ରତିଶତ ୫୨.୭୮ ପଏଣ୍ଟ ହେବ। ଭାରତ ଅହମଦାବାଦ ଟେଷ୍ଟ ହାରିଥିଲେ ମଧ୍ୟ ଦଳର ବିଜୟ ପ୍ରତିଶତ ପଏଣ୍ଟ ୫୬.୯୪ ରହିଥାଆନ୍ତା। ଏବେ ତ ଅହମଦାବାଦ ଟେଷ୍ଟ ଡ୍ର ଅଭିମୁଖେ ଯାଉଛି। ତେଣୁ ଭାରତର ବିଜୟ ପ୍ରତିଶତପ ପଏଣ୍ଟ ୫୮.୮୦ ରହିବ।

Indian Cricket Team Cricket Rohit Sharma World Test Championship Finale Border-Gavaskar Trophy WTC