Advertisment

ବକ୍ସିଂ ଡେ ଟେଷ୍ଟ: ପ୍ରଥମ ଦିନରେ ଭାରତକୁ ମିଳିଲା ୬ ୱିକେଟ, ଅଷ୍ଟ୍ରେଲିଆ କଲା ୩୧୧ ରନ୍‌

ଆଡିଲେଡ ଓ ଗାବାରେ ଶତକ ମାରି ଭାରତକୁ ଘାଇଲା କରିଥିବା ଟ୍ରାଭିସ ହେଡ୍‌ ଆଜି ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କୁ ବୁମ୍ରା ଚମତ୍କାର ଢଙ୍ଗରେ ବୋଲ୍ଡ କରି ଦେଇଥିଲେ

author-image
Hemant Lenka
IND

IND

ଐତିହାସିକ ମେଲବର୍ଣ୍ଣ ପଡ଼ିଆରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ବକ୍ସିଂ ଡେ ଟେଷ୍ଟ। ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ଥିଲେ ହେଁ ଭାରତ ଶେଷ ଭାଗରେ କମବ୍ୟାକ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା କଙ୍ଗାରୁ ଟିମ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୧୧ ରନ କରି ନେଇଛି।

Advertisment

ଦଳର ଟପ୍‌ ୪ ବ୍ୟାଟର ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ତେବେ ପ୍ରଥମ ଦିନରେ ଭାରତ କିଛି ମାତ୍ରାରେ କମବ୍ୟାକ କରିବାକୁ ସକ୍ଷମ ହୋଇଛି। ଶେଷ ଅଧିବେଶନରେ ଭାରତ ୪ ୱିକେଟ ଦଖଲ କରିଛି। ପୂର୍ବ ୨ଟି ସେସନ୍ସରେ ଭାରତକୁ ମାତ୍ର ୨ଟି ୱିକେଟ ମିଳିଥିଲା। ଏହାର ଅର୍ଥ ପ୍ରଥମ ଦିନରେ ଭାରତ ମୋଟ ୬ଟି ୱିକେଟ ପାଇଛି।

ମେଲବର୍ଣ୍ଣରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପାଇଁ ୧୯ ବର୍ଷୀୟ ଡେବ୍ୟୁଟାଣ୍ଟ ସାମ କୋନଷ୍ଟାସ ଦମଦାର ଆରମ୍ଭ କରିଥିଲେ। ସେ ସିରିଜ ସବୁଠାରୁ ସଫଳ ତଥା ବିଶ୍ୱର ୧ନଂ ଟେଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କ ଲାଇନ ବିଗାଡ଼ି ଦେଇଥିଲେ। ତାଙ୍କୁ ସ୍କୁପ ଦ୍ୱାରା ଚୌକା ଓ ଛକା ମାରି ନିଜ ଜଲୱାର ପରିଚୟ ଦେଇଥିଲେ।

Advertisment

ଏଥିସହ ଡେବ୍ୟୁ ମ୍ୟାଚ୍‌ରେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଅଭିଜ୍ଞ ଉସମାନ ଖୱାଜା ମଧ୍ୟ ଭରପୂର ସାଥ ଦେଇଥିଲେ। ତେବେ ଦଳୀୟ ସ୍କୋର ୮୯ ଥିବା ବେଳେ ବ୍ୟକ୍ତିଗତ ୬୦ ନ କରି କୋନଷ୍ଟାସ ଆଉଟ ହୋଇଯାଇଥିଲେ। ତାଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ କରିଛନ୍ତି। କୋନଷ୍ଟାସ ତାଙ୍କ ଇନିଂସରେ ୬ଟି ଚୌକା ଓ ୨ଟି ଛକା ମାରିଥିଲେ।

୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମାର୍ନସ ଲାବୁଶେନଙ୍କୁ ସାଥୀ କରି ଖୱାଜା ଲଞ୍ଚ ବ୍ରେକ ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୧୧୨ ରନ କରି ନେଇଥିଲା। ଲଞ୍ଚ ପରେ ମଧ୍ୟ ଖୱାଜା ଦମଦମାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୫୪ ଥିବା ବେଳେ ସେ ବ୍ୟକ୍ତିଗତ ଭାବେ ୫୭ ରନ କରି ବୁମ୍ରାଙ୍କ ବଲରେ ଆଉଟ ହୋଇଥିଲେ।

ଲାବୁଶେନ ଓ ଷ୍ଟିଭ ସ୍ମିଥ ଟି ବ୍ରେକ ଯାଏ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୭୬ ରନରେ ପହଞ୍ଚାଇ ଦେଇଥିଲେ। ବ୍ରେକରୁ ଫେରିବା ପରେ ଲାବୁଶେନ ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୨୦୦ ପାର କରାଇ ଦେଇଥିଲେ। କିନ୍ତୁ ୬୬ତମ ଓଭରର ପ୍ରଥମ ବଲରେ ସେ ୱାଶିଂଟନ ସୁନ୍ଦରଙ୍କୁ ବଡ଼ ଶଟ ମାରିବାକୁ ଯାଇ ବିରାଟ କୋହଲିଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଲାବୁଶେନ ୭୨ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୨୩୭ରେ ତୃତୀୟ ୱିକେଟ ହରାଇଥିଲା।

ଆଡିଲେଡ ଓ ଗାବାରେ ଶତକ ମାରି ଭାରତକୁ ଘାଇଲା କରିଥିବା ଟ୍ରାଭିସ ହେଡ୍‌ ଆଜି ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କୁ ବୁମ୍ରା ଚମତ୍କାର ଢଙ୍ଗରେ ବୋଲ୍ଡ କରି ଦେଇଥିଲେ। ମିଚେଲ ମାର୍ଶ ମଧ୍ୟ କେବଳ ୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ବୁମ୍ରାଙ୍କ ଡବଲ ଝଟକା ଯୋଗୁ ଅଷ୍ଟ୍ରେଲିଆ ସାମାନ୍ୟ ବ୍ୟାକଫୁଟକୁ ଚାଲି ଯାଇଥିଲା। ଦଳ ୨୪୬ ରନରେ ୫ଟି ୱିକେଟ ହରାଇଥିଲା।

ଏତିକି ବେଳେ ଅଭିଜ୍ଞ ସ୍ମିଥ ଓ ଆଲେକ୍ସ କେରୀ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୨୪୬ ରନରୁ ନେଇ ୨୯୯ ରନରେ ପହଞ୍ଚାଇ ଦେଇଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ୮୧ ତମ ଓଭର ପରେ ଭାରତ ନୂଆ ବଲ ନେଇଥିଲା। ଏହାକୁ ଆକାଶ ଦୀପ ସଠିକ ସାବ୍ୟସ୍ତ କରି ୮୩ତମ ଓଭରର ପ୍ରଥମ ବଲରେ କେରୀ(୩୧)ଙ୍କୁ ଆଉଟ କରି ଦେଇଥିଲେ।

କିନ୍ତୁ ଏହାପରେ ଅର୍ଦ୍ଧଶତକ ହାସଲ କରି ସାରିଥିବା ସ୍ମିଥ ଓ ଅଧିନାୟକ ପାଟ କମିନ୍ସ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ୮୬ ଓଭର ଯାଏ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୧୧ ରନରେ ପହଞ୍ଚାଇ ଦେଇଥିଲେ। ଷ୍ଟମ୍ପ ଅପସାରଣ ହେବା ବେଳକୁ ସ୍ମିଥ ୬୮ ଓ କମିନ୍ସ ୮ ରନ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ଉଭୟ ପୁଣି ଅଷ୍ଟ୍ରେଲିଆର ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିବେ। 

Border-Gavaskar Trophy Boxing Day Test