Advertisment

ଟି-୨୦ ବିଶ୍ୱକପ: ଦମ ଦେଖାଇଲେ ବୋଲର, ୧୦୦ କରିପାରିଲାନି ଆୟର୍ଲ୍ୟାଣ୍ଡ

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବୋଲିଂ କରିବା ସହ ୪ ଓଭରରେ ୨୭ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି।

author-image
Hemant Lenka
Team India

Team India

ଆଜି ଠାରୁ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ନ୍ୟୁୟର୍କରେ ଖେଳୁଥିବା ପ୍ରଥମ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଭାରତୀୟ ବୋଲର। ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରୁଥିବା ଆୟର୍ଲ୍ୟାଣ୍ଡ ୧୦୦ ରନ ମଧ୍ୟ କରିପାରି ନାହିଁ।

Advertisment

ଦଳ ୯୬ ରନରେ ସମସ୍ତ ୱିକେଟ ହରାଇଛି। ଫଳରେ ଭାରତକୁ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଜିତିବାକୁ ୯୭ ରନର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବୋଲିଂ କରିବା ସହ ୪ ଓଭରରେ ୨୭ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି। ସେହିପରି ବୁମ୍ରା ୩ ଓଭରରେ ୬ ରନ ଦେଇ ୨ଟି ଓ ଅର୍ଶଦୀପ ୪ ଓଭରରେ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି। 

ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡ ବ୍ୟାଟିଂ କରିବାକୁ କହିଥିଲେ। ଏହାକୁ ସଠିନ ସାବ୍ୟସ୍ତ କରି ଅର୍ଶଦୀପ ସିଂହ ଇନିଂସର ତୃତୀୟ ଓଭରରେ ଡବଲ ସଫଳତା ହାସଲ କରିଥିଲେ। ପ୍ରଥମେ ସେ ପ୍ରତିପକ୍ଷ ଟିମର ଅଧିନାୟକ ପଲ୍ ଷ୍ଟର୍ଲିଂ(୨)ଙ୍କୁ ୱିକେଟ କିପର ଋଷଭ ପନ୍ତଙ୍କ ହାତରେ ଆଉଟ କରାଇଥିଲେ। ଓଭରର ଶେଷ ବଲରେ ଆଣ୍ଡ୍ର୍ୟୁ ବଲ୍‌ବର୍ଣ୍ଣି(୫)ଙ୍କୁ କ୍ଲିନବୋଲ୍ଡ କରିଥିଲେ।

Advertisment

ଏହାପରେ ହାର୍ଦ୍ଦିକ ପାଣ୍ତ୍ୟା ଓ ଯଶପ୍ରୀତ ବୁମ୍ରା କମାଲ କରିଥିଲେ। ପାଣ୍ଡ୍ୟା ପ୍ରଥମେ ଲୋର୍କାନ ଟକ୍କର(୧୦)ଙ୍କୁ ଆଉଟ କରିଥିଲେ। ୪ ରନ କରିଥିବା ଅଭିଜ୍ଞ ହ୍ୟାରି ଟେକ୍କରଙ୍କ ୱିକେଟ ବୁମ୍ରାଙ୍କ ଖାତାକୁ ଯାଇଥିଲା। କର୍ଟିସ କାମ୍ପର(୧୨) ପାଣ୍ଡ୍ୟାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏଥିସହ ଆୟର୍ଲ୍ୟାଣ୍ଡ ୪୪ ରନରେ ୫ମ ୱିକେଟ ହରାଇଥିଲା।

ଆଉ ୨ ରନ ପରେ ମହମ୍ମଦ ସିରାଜ ୩ ରନ କରିଥିବା ଜର୍ଜ ଡକ୍‌ରେଲ୍‌ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୪୯ ରନରେ ଦଳ ମାର୍କ ଆଡୈର(୩)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମଧ୍ୟ ପାଣ୍ଡ୍ୟା ନେଇଥିଲେ।

୧୨ତମ ଓଭରରେ ଆୟର୍ଲ୍ୟାଣ୍ଡ ଦଳୀୟ ସ୍କୋରକୁ ୫୦ରେ ପହଞ୍ଚଇଥିଲା। ଏହି ଓଭରର ଦ୍ୱିତୀୟ ବଲରେ ଅକ୍ଷର ପଟେଲ ଖାତା ଖୋଲିବା ପୂର୍ବରୁ ବାରି ମ୍ୟାକର୍ଥିଙ୍କୁ ଆଉଟ କରି ଆୟର୍ଲ୍ୟାଣ୍ଡକୁ ୮ମ ଝଟକା ଦେଇଥିଲେ।

୧୩ତମ ଓଭରରେ ଗାରେଥ ଡେଲାନି ଓ ଜୋସ ଲିଟଲ ମିଳିତ ଭାବେ ପାଣ୍ଡ୍ୟାଙ୍କୁ କିଛି ବଡ଼ ଶଟ ମାରି ଦଳୀୟ ସ୍କୋରକୁ ୬୫ରେ ପହଞ୍ଚାଇ ଦେଇଥିଲେ। ୧୩ ଓଭର ଶେଷ ସୁଦ୍ଧା ଆୟର୍ଲ୍ୟାଣ୍ଡ ୮ ୱିକେଟ ହରାଇ ୬୬ ରନ କରିଥିଲା। ୧୫ତମ ଓଭରରେ ଯଶପ୍ରୀତ ବୁମ୍ରା ୧୪ ରନ କରିଥିବା ଲିଟଲଙ୍କୁ ଆଉଟ କରିଥିଲେ। ୭୭ ରନରେ ଦଳ ୯ମ ୱିକେଟ ହରାଇଥିଲା।

ଶେଷରେ ବେଞ୍ଜାମିନ ହ୍ୱାଇଟ୍‌ଙ୍କୁ ସାଥୀ କରି ଡେଲାନି କିଛି ବଡ଼ ଶଟ ଖେଳିବା ସହ ଦଳୀୟ ସ୍କୋରକୁ ୧୦୦ ରନ ପାଖରେ ପହଞ୍ଚାଇ ଦେଇଥିଲେ। ତେବେ ତାଳ ମେଳ ଅଭାବରୁ ୧୬ତମ ଓଭରର ଶେଷ ବଲରେ ଡେଲାନ(୨୬) ରନ ଆଉଟ ହୋଇ ଯାଇଥିଲେ। ଫଳରେ ଆୟର୍ଲ୍ୟାଣ୍ତ ଇନିଂସ ୯୬ରେ ଅଟକି ଯାଇଥିଲା।  

Indian Cricket Team T20 Match T20 World Cup T20 Cricket