କ୍ରିସ ବ୍ରଡ୍
ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ ବା ବିସିସିଆଇ ବିରୋଧରେ ସାଂଘାତିକ ଅଭିଯୋଗ। ପୂର୍ବତନ ଆଇସିସି ମ୍ୟାଚ୍ ରେଫରୀ ତଥା ପୂର୍ବତନ ଇଂଲିଶ କ୍ରିକେଟର କ୍ରିସ୍ ବ୍ରଡ ବିସିସିଆଇ ବିରୋଧରେ ଆଣିଛନ୍ତି ସମସ୍ତଙ୍କୁ ଚକିତ କରିବା ଭଳି ଅଭିଯୋଗ। ଭାରତୀୟ କ୍ରିକେଟ ଟିମକୁ ଫାଇନ ଭଳି ଦଣ୍ଡରୁ ରକ୍ଷା କରିବା ପାଇଁ ରାଜନୀତିକ କ୍ଷମତାର ବ୍ୟବହାର କରାଯାଇଥିଲା ବୋଲି ବ୍ରଡ କହିଛନ୍ତି।
ଅବସର ଘୋଷଣା କରି ସାରିଥିବା ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ବାପା ହେଉଛନ୍ତି କ୍ରିସ। ସେ ଗୋଟିଏ ସାକ୍ଷାତକାରରେ ବିସିସିଆଇ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ବ୍ରଡ ଦାବି କରିଛନ୍ତି ଯେ ତାଙ୍କ ପାଖକୁ ସିଧାସଳଖ ଗୋଟିଏ ଫୋନ କଲ ଆସିବା ସହ ଭାରତୀୟ ଟିମ ପ୍ରତି ଉଦାରତା ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଧିମା ଓଭର ପାଇଁ ଗୋଟିଏ ମ୍ୟାଚ୍ରେ ଭାରତୀୟ ଟିମ ଉପରେ ଫାଇନା ଲାଗିବାର ଥିଲା। କିନ୍ତୁ ଫୋନ କଲ ଦ୍ୱାରା ଭାରତୀୟ ଟିମକୁ ଯେକୌଣସି ଉପାୟରେ ଫାଇନ ଦଣ୍ଡରୁ ବାଦ ଦେବାକୁ କୁହାଯାଇଥିଲା ବୋଲି ବ୍ରଡ କହିଛନ୍ତି।
ମ୍ୟାଚ୍ ସମ୍ପର୍କରେ ବିସ୍ତୃତ ସୂଚନା ନ ଦେଇ ବ୍ରଡ କହିଛନ୍ତି ଯେ ଭାରତ ଉକ୍ତ ମ୍ୟାଚ୍ରେ ଧାର୍ଯ୍ୟ ସମୟ ତୁଳନାରେ ୩ରୁ ୪ ଓଭର ପଛରେ ରହିଥିଲା। ଏହାର ଅର୍ଥ ଭାରତୀୟ ଟିମ ଧିମା ଓଭର ପାଇଁ ଦଣ୍ଡିତ ହେବା କଥା। ହେଲେ ବିସିସିଆଇ(Bcci)ର ହସ୍ତକ୍ଷେପ ଓ କ୍ଷମତା ପ୍ରୟୋଗ ଯୋଗୁ ଧାର୍ଯ୍ୟ ସମୟରେ ବ୍ରଡ ହେରଫେର କରିଥିଲେ। ଫାଇନା ଯେମିତି ଲାଗୁ ନ ହେବ, ତା’ର ବ୍ୟବସ୍ଥା କରିଥିଲେ ବୋଲି ସେ କହିଛନ୍ତି।
ସାକ୍ଷାତକାରରେ ବ୍ରଡ ଆହୁରି ଦାବି କରିଛନ୍ତି ଯେ ପୂର୍ବାପେକ୍ଷା ଏବେ ଖେଳର ଅଧିକ ରାଜନୀତିକରଣ ହୋଇଛି। ବିସିସିଆଇ ପାଖରେ ଅଧିକ ଟଙ୍କା ଥିବାରୁ ବ୍ରଡ ଅଭିଯୋଗ କରିଛନ୍ତି ଯେ ଆଇସିସିର ସର୍ବୋଚ୍ଚ ସ୍ଥାନ ଅଧିକ ମାତ୍ରାରେ ରାଜନୀତିକ ରୂପରେ ପ୍ରଭାବିତ ହୋଇ ସାରିଛି।
ସେ କହିଛନ୍ତି, “ଭାରତକୁ ସବୁ ଟଙ୍କା ମିଳି ଯାଉଛି ଓ ଏବେ ଭାରତ ବିଭିନ୍ନ ଉପାୟରେ ଆଇସିସିକୁ ଦଖଲ କରିନେଇଛି। ମୁଁ ସେହି ଦୁନିଆରେ ନଥିବାରୁ ବେଶ ଖୁସି। କାରଣ ପୂର୍ବାପେକ୍ଷା ବର୍ତ୍ତମାନ ଉକ୍ତ ସଂସ୍ଥା ରାଜନୀତିକ ପଦ ହୋଇ ସାରିଲାଣି।”
ଧିମା ଓଭର ରେଟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ କେମିତି ତାଙ୍କୁ ଫୋନ କରି ଭାରତୀୟ ଟିମ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବାକୁ ବାଧ୍ୟ କରାଯାଇଥିଲା, ସେକଥା ବ୍ରଡ କହିଛନ୍ତି। ତାଙ୍କ କହିବା କଥା ଯେ ସୌରଭ ଗାଙ୍ଗୁଲି ଅଧିନାୟକ ଥିବା ବେଳେ ଭାରତୀୟ ଟିମ ଖେଳୁଥିବା ମ୍ୟାଚ୍ରେ ଏପରି ଘଟଣା ଘଟିଥିଲା।
ସେ କହିଛନ୍ତି, “ଭାରତ ମ୍ୟାଚ୍ ଶେଷ ବେଳକୁ ୩ରୁ ୪ ଓଭର ପଛରେ ଥିଲା। ତେଣୁ ଦଳ ଉପରେ ଫାଇନ ଲାଗିବା ସୁନିଶ୍ଚିତ ଥିଲା। ଏହି ସମୟରେ ମୁଁ ଗୋଟିଏ ଫୋନ କଲ ପାଇଥିଲି। ଫୋନରେ ମୋତେ ଅନୁକମ୍ପା ପ୍ରଦର୍ଶନ କରିବାକୁ କୁହାଯାଇଥିଲା। କିଛି ବାଟ ବାହାର କର। କାରଣ ଘଟଣା ଭାରତ ସହ ଜଡ଼ିତ ବୋଲି ମୋତେ କୁହାଯାଇଥିଲା। ତେଣୁ ଆମେ ବାଧ୍ୟ ହୋଇ କିଛି ସମୟ ବାହାର କରିଥିଲୁ। ସମୟକୁ ଧାର୍ଯ୍ୟ ସମୟ ସୀମାକୁ ଖସାଇଥିଲୁ।
ଏହାର ପରବର୍ତ୍ତୀ ମ୍ୟାଚ୍ରେ ସମାନ ଘଟଣା ଘଟିଥିଲା। ସେ(ସୌରଭ ଗାଙ୍ଗୁଲି) କାହା କଥା ବି ଶୁଣିବାକୁ ରାଜି ନଥିଲେ। ତେଣୁ ମୁଁ ଫୋନ କରିଥିଲି। ମୁଁ କହିଥିଲି “ଏବେ ଆପଣ ମୋ କ’ଣ କରେ ବୋଲି ଚାହୁଁଛନ୍ତି?” ମୋତେ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଥିଲା। ତେଣୁ ଆରମ୍ଭରୁ ହିଁ ସବୁଥିରେ ରାଜନୀତି ହେଉଥିଲା। ଏବେ ଅଧିକାଂଶ ଲୋକ ରାଜନୀତିକ ଦୃଷ୍ଟିରୁ ଅଧିକ ଚତୁର ହୋଇ ଯାଇଛନ୍ତି କିମ୍ବା ନିଜର କଥାକୁ ଲୁଚାଇ ରଖିଛନ୍ତି। ସେକଥା ମୁଁ ଜାଣିନି।”
ବ୍ରଡ ତାଙ୍କ କ୍ୟାରିୟରରେ ୧୨୩ଟି ଟେଷ୍ଟରେ ମ୍ୟାଚ୍ ରେଫରୀ ଭାବେ କାମ କରିଛନ୍ତି। ଶେଷଥର ପାଇଁ ସେ ୨୦୨୪ ଫେବୃଆରୀ ମାସରେ ମ୍ୟାଚ୍ ରେଫରୀ ଭୂମିକାରେ କାମ କରିଥିଲେ।
ବ୍ରଡ କହିଛନ୍ତି, “ମୁଁ ଭାବୁଛି ଆମକୁ ଭିନ୍ସ ଭାନ ଡେର ବିଜଲ(ଆଇସିସି ଅମ୍ପାୟାର୍ସ ମ୍ୟାନେଜର) ସମର୍ଥନ କରୁଥିଲେ। ସେ ପଦବୀରେ ଥିବା ବେଳେ ସବୁ ପ୍ରକାରର ସମର୍ଥନ ମିଳୁଥିଲା। କାରଣ ସେ କ୍ରିକେଟିଂ ବ୍ୟାକଗ୍ରାଉଣ୍ତରୁ ଆସିଛନ୍ତି। କିନ୍ତୁ ସେ ଯିବା ପରେ ମ୍ୟାନେଜମେଣ୍ଟ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଭାରତ ପାଖରେ ଟଙ୍କା ଥିବାରୁ ସେମାନେ ଆଇସିସିକୁ ବିଭିନ୍ନ ଉପାୟରେ ଦଖଲ କରିନେଇଛନ୍ତି।”
ଆଶେସ ସମୟରେ ଡାଭିଡ ୱାର୍ଣ୍ଣରଙ୍କ ଗୋଟିଏ ମେମକୁ ଶେୟାର କରିଥିବାରୁ ୨୦୨୩ରେ ଆଇସିସି(ICC) ପକ୍ଷରୁ ବ୍ରଡଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହାପରେ ତାଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନଥିଲା। ୨୦୨୪ ପରେ ବି ବ୍ରଡ କାମ କରିବାକୁ ଚାହୁଁଥିଲେ। କିନ୍ତୁ ଆଇସିସି ତାଙ୍କୁ ପ୍ୟାନେଲରୁ ହଟାଇ ଦେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/28/chris-broad-2025-10-28-13-27-01.jpg)