Advertisment

ଟି-୨୦ରେ ଭାରତ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ

ମହେନ୍ଦ୍ର ସିଂହ ଧୋନି ଓ ଋଷଭ ପନ୍ତଙ୍କ ପରେ ଈଶାନ କିଶନ ୱିକେଟ କିପର ଭାବେ ୨ ଥର ଟି-୨୦ରେ ୫୦ରୁ ଅଧିକ ରନ କରିଛନ୍ତି।

author-image
Hemant Lenka
Team India

Team India

ଗୁରୁବାର ବିଶାଖାପଟନମରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଭାରତ ନାଟକୀୟ ବିଜୟ ହାସଲ କରିଛି। ଦଳ ଶେଷ ବଲରେ ମ୍ୟାଚ୍‌ ଜିତି ୫ ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ପ୍ରଥମଥର ପାଇଁ ଦଳର ଅଧିନାୟକ ହୋଇଥିବା ସୂର୍ଯ୍ୟ କୁମାର ଯାଦବ ୪୨ ବଲରେ ୮୦ ରନର ଇନିଂସ ଖେଳିଥିବା ବେଳେ ରିଙ୍କୁ ସିଂହ ଫିନିସିଂ ଟଚ୍‌ ଦେଇଥିଲେ। ଭାରତ ୨୦୯ ରନର ଟାର୍ଗେଟକୁ ୮ ୱିକେଟ ହରାଇ ହାସଲ କରିବା ସହ ନୂଆ ରେକର୍ଡର ଅଧିକାରୀ ହୋଇଛି।

Advertisment

ଏହା ଟି-୨୦ ଅନ୍ତର୍ଜାତୀୟରେ ଭାରତର ସର୍ବାଧିକ ରନ ଚେଜ। ପୂର୍ବରୁ ଦଳ କେବେ ହେଲେ ଏପରି ବିଶାଳ ଟାର୍ଗେଟକୁ ପିଛା କରି ବିଜୟ ହୋଇ ନଥିଲା। କିନ୍ତୁ ନୂଆ କ୍ୟାପ୍ଟେନ ସୂର୍ଯ୍ୟ କୁମାରଙ୍କ ନେତୃତ୍ୱରେ ଦଳ ରେକର୍ଡ କରିଛି।

ଅଷ୍ଟ୍ରେଲିଆ ଜୋଶ ଇଙ୍ଗଲିସଙ୍କ ୫୦ ବଲରେ ୧୧୦ ରନର ଇନିଂସ ବଳରେ ୨୦୮ ରନ କରିଥିଲା। ଏହାର ଜବାବରେ ଭାରତ ପାଇଁ ଈଶାନ କିଶନ ଓ ସୂର୍ଯ୍ୟ କୁମାର ଦମଦାର ବ୍ୟାଟିଂ କରିଥିଲେ। ତେବେ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ରିଙ୍କୁ ସିଂହ ମଙ୍ଗ ସମ୍ଭାଳିଥିଲେ। ଶେଷ ଓଭରକୁ ଦଳକୁ ଜିତିବା ପାଇଁ ୭ ରନ ଦରକାର ଥିଲା।

Advertisment

ରିଙ୍କୁ ସିଂହ ପ୍ରଥମ ବଲରେ ଚୌକା ଓ ଦ୍ୱିତୀୟ ବଲରେ ୧ ନେଇଥିଲେ। କିନ୍ତୁ ପରବର୍ତ୍ତୀ ୩ ବଲରେ ଭାରତ ୩ ୱିକେଟ ହରାଇଥିଲା। ଦଳକୁ ୧ ରନ ମିଳିଥିଲା। ଶେଷ ବଲରେ ୧ ରନ ଥିବା ବେଳେ ରିଙ୍କୁ ସିଂହ ଛକା ମାରିଥିଲେ। କିନ୍ତୁ ସେନ ଆବୋଟ ନୋ ବଲ ପକାଇବାରୁ ତାଙ୍କ ଛକା ଗଣତି ହୋଇ ନଥିଲା। ଭାରତ ଗୋଟିଏ ବଲ ଥାଇ ବିଜୟ ମୁଣ୍ଡି ମାରିଥିଲା। 

ଏହି ବିଜୟ ସହ ଭାରତ ରେକର୍ଡ ରନ ଚେଜ କରିବାକୁ ସକ୍ଷମ ହୋଇଥିଲା। ଏହାପୂର୍ବରୁ ଭାରତ ୨୦୧୯ରେ ୱେଷ୍ଟଇଣ୍ଡିଜ ଦେଇଥିବା ୨୦୮ ରନର ଟାର୍ଗେକୁ ପିଛା କରି ଜିତିଥିଲା। ଏଥିର ଦଳ ୨୦୯ ରନର ଟାର୍ଗେଟକୁ ଚେଜ କରିଛି। ୨୦୦୯ରେ ଶ୍ରୀଲଙ୍କା ଦେଇଥିବା ୨୦୭ ରନର ଟାର୍ଗେଟକୁ ମଧ୍ୟ ଭାରତ ଚେଜ କରିଥିଲା।

ଅନ୍ୟପକ୍ଷରେ ଭାରତ ଏକମାତ୍ର ଟିମ ଯିଏ ୫ ଥର ୨୦୦ କିମ୍ବା ତା’ ଠାରୁ ଅଧିକ ରନର ଟାର୍ଗେକୁ ଚେଜ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯/୮ ଭାରତର ସର୍ବାଧିକ ଟି-୨୦ ସ୍କୋର। ପୂର୍ବରୁ ଭାରତ ୨୦୨୨ରେ ମୋହାଲି ଠାରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟ ହରାଇ ୨୦୮ ରନ କରିଥିଲା।

ସୂର୍ଯ୍ୟ କୁମାର କ୍ୟାପ୍ଟେନ୍ସି ଡେବ୍ୟୁରେ ସର୍ବାଧିକ ସ୍କୋର(୪୨ ବଲରେ ୮୦ ରନ) ହାସଲକାରୀ କ୍ରିକେଟର ବନିଛନ୍ତି। ମହେନ୍ଦ୍ର ସିଂହ ଧୋନି ଓ ଋଷଭ ପନ୍ତଙ୍କ ପରେ ଈଶାନ କିଶନ ୱିକେଟ କିପର ଭାବେ ୨ ଥର ଟି-୨୦ରେ ୫୦ରୁ ଅଧିକ ରନ କରିଛନ୍ତି। କେଏଲ ରାହୁଲ ୩ଟି ଅର୍ଦ୍ଧଶତକ ସହ ଏହି ତାଲିକାର ୧ନଂ ସ୍ଥାନରେ ଅଛନ୍ତି।

India Vs Australia T20 Match T20 Cricket Suryakumar Yadav