U19
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶୁବମନ ଗିଲଙ୍କ ସିନିୟର ଭାରତୀୟ ଟିମ ୫ ୱିକେଟରେ ପରାସ୍ତ ହୋଇଛି। ଲିଡ୍ସରେ ଖେଳା ଯାଉଥିବା ପ୍ରଥମେ ଟେଷ୍ଟରେ ଭାରତକୁ ହାରିବାକୁ ପଡ଼ିଛି। କିନ୍ତୁ ଭାରତୀୟ ଯୁବ କ୍ରିକେଟ ଟିମ ଇଂଲିଶ ମାଟିରେ ଦମଦାର ବିଜୟ ହାସଲ କରିଛି।
ଭାରତୀୟ ଅଣ୍ଡର ୧୯ ଟିମ୫୦ ଓଭରରେ ବିଶାଳ ୪୪୨ ରନ କରିବା ସହ ଏକତରଫା ଭାବେ ଇଂଲଣ୍ଡ ୟଙ୍ଗ ଲାୟନ୍ସକୁ ହରାଇ ଦେଇଛି। ଇଂଲଣ୍ଡ ୟଙ୍ଗ ଲାୟନ୍ସ ବିପକ୍ଷ ଟୁର ମ୍ୟାଚକୁ ଭାରତର ଯୁବ ବାହିନୀ ୨୩୧ ରନରେ କବଜା କରିଛି।
ଅଣ୍ଡର ୧୯ ଭାରତୀୟ ଟିମର ନେତୃତ୍ୱ ଆୟୁଷ ମହାତ୍ରେ ନେଉଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ମହାତ୍ରେ ଦମଦର ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଇଂଲଣ୍ଡ ଟୁର ପାଇଁ ତାଙ୍କ ନେତୃତ୍ୱରେ ଭାରତୀୟ ଅଣ୍ଡର ୧୯ ଟିମର ଘୋଷଣା କରାଯାଇଥିଲା। ଏବେ ଭାରତୀୟ ଟିମ ଇଂଲିଶ ମାଟିରେ ନିଜର ଦମ ଦେଖାଇଛି।
ଭାରତୀୟ ଅଣ୍ଡର ୧୯ ଟିମ ବିଶାଳ ସ୍କୋର କରିଥିଲେ ହେଁ ଏଥିରେ ଆଇପିଏଲରେ କମାଲ କରିଥିବା ମହାତ୍ରେ କିମ୍ବା ବୈଭବ ସୂର୍ଯ୍ୟବଂଶୀ କୌଣସି ଜଲୱା ଦେଖାଇ ନାହାନ୍ତି। ଭାରତୀୟ ଟିମର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ୧୮ ବର୍ଷୀୟ ହରବଂଶ ପଙ୍ଗାଲିଆ ସିଂହ। ମହାତ୍ରେ କେବଳ ୧ ରନ କରି ଆଉଟ ହୋଇଥିବା ବେଳେ ସୂର୍ଯ୍ୟବଂଶୀ ୧୭ ରନ କରିବାକୁ ସକ୍ଷମ ହୋଇଥିଲେ।
ହେଲେ ଆଇପିଏଲରେ କେହି ବି କିଣି ନଥିବା ହରବଂଶ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ ୫୨ ବଲରେ ଅପରାଜିତ ୧୦୩ ରନର ଇନିଂସ ଖେଳିଛନ୍ତି। ସେ ତାଙ୍କ ଇନିଂସରେ ୮ଟି ଚୌକା ଓ ୯ଟି ବିଶାଳ ଛକା ମାରିଛନ୍ତି। ତାଙ୍କୁ ଏହି ମାରାଥନ ଇନିଂସରେ ରାହୁଲ କୁମାର ଭରପୂର ସାଥ ଦେଇଥିଲେ। ସେ ୬୦ ବଲରେ ୭୩ ରନ କରିଛନ୍ତି। ଏହାବାଦ କନିଷ୍କ ଚୌହାନ ୬୭ ବଲରେ ୭୯ ଓ ଆରଏସ୍ ଅମ୍ବ୍ରିଶ ୪୭ ବଲରେ ୭୨ ରନ କରିବାରୁ ଭାରତୀୟ ଟିମ ୫୦ ଓଭରରେ ୪୪୨ ରନ କରିବାକୁ ସକ୍ଷମ ହୋଇଥିଲା।
ବ୍ୟାଟରେ ଏହି ସବୁ ଖେଳାଳି କମାଲ କରିଥିବା ବେଳେ ବୋଲିଂରେ ଦୀପେଶ ଦେବେନ୍ଦ୍ରନ ନିଜର ଯାଦୁ ଦେଖାଇଛନ୍ତି। ସେ ଏକାକୀ ୩ଟି ୱିକେଟ ନେଇଥିବା ବେଳେ ନମନ ପୁଷ୍ପକ ଓ ବିଭାନ ମାଲହୋତ୍ରାଙ୍କ ଖାତାକୁ ୨ଟି ଲେଖାଏ ସଫଳତା ଯାଇଛି। ଏହି ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ୍କୁ ୨୩୧ ରନରେ ଜିତି ନେଇଛି।
ସୌରାଷ୍ଟ୍ର ପାଇଁ କନିଷ୍ଠ ବର୍ଗରେ ବେଶ କିଛି ବର୍ଷ ହେଲା ଖେଳି ଆସୁଛନ୍ତି ହରବଂଶ। ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ୟୁଥ ଟେଷ୍ଟରେ ସେ ଦମଦାର ଶତକ ହାସଲ କରିଥିଲେ। ନିଜ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ହରବଂଶ ଏବେ ଭାରତୀୟ ଅଣ୍ଡର ୧୯ ଟିମରେ ସ୍ଥାନ ପାଇଛନ୍ତି।
ହରବଂଶଙ୍କ ବାପା ଜଣେ ଟ୍ରକ ଚାଳକ। କିଛି ବର୍ଷ ତଳେ ହରବଂଶଙ୍କୁ ଭାରତ ଛାଡ଼ି କାନାଡା ଯିବାର ବିକଳ୍ପ ମିଳିଥିଲା। କିନ୍ତୁ ସେ କାନାଡା ବଦଳରେ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ବାପା ଦମନଦୀପ ସିଂହ କାନାଡାରେ ଟ୍ରକ ଚଳାନ୍ତି। ସେଠାରେ ସେ ରହିବା ସହ ପରିବାରର ଅନ୍ୟ ସଦସ୍ୟମାନେ କାନାଡାରେ ରୁହନ୍ତି।
ହେଲେ ହରବଂଶ ନିଜ କ୍ରିକେଟ ସ୍ୱପ୍ନକୁ ପୂରଣ କରିବା ପାଇଁ ବାପା ଓ ପରିବାର ଲୋକଙ୍କୁ ଛାଡ଼ି ମା’ଙ୍କ ସହ ଭାରତରେ ରହୁଥିଲେ। କ୍ରିକେଟକୁ ନିଜ ଜୀବନ କରିଥିଲେ। ଏବେ ଏହାକୁ କିଛି ମାତ୍ରାରେ ସଫଳତା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/U19_1750851678.jpg)