ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଭାରତର ରେକର୍ଡ ରନ୍‌ ବର୍ଷା, ବାଂଲାଦେଶକୁ ୨୯୮ ରନର ଟାର୍ଗେଟ

ସାମସନଙ୍କ ବିସ୍ଫୋରକ ୪୭ ବଲରେ ୧୧୧ ଓ ସୂର୍ଯ୍ୟ କୁମାର ଯାଦବଙ୍କ ୩୫ ବଲରେ ୭୫ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ବିଶାଳ ୨୯୭ ରନ କରିଛି।

ସଞ୍ଜୁ ସାମସନ

  • Published: Saturday, 12 October 2024
  • , Updated: 12 October 2024, 09:04 PM IST

ହାଇଦ୍ରାବାଦରେ ଗର୍ଜିଛି ସଞ୍ଜୁ ସାମସନଙ୍କ ବ୍ୟାଟ। ବାଂଲାଦେଶ ବିପକ୍ଷ ଶେଷ ଟି-୨୦ରେ ବିସ୍ଫୋରକ ଇନିଂସ ଖେଳିଛନ୍ତି ସଞ୍ଜୁ। ସେ ମାତ୍ର ୪୦ ବଲରେ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଭାରତର ଦ୍ୱିତୀୟ ଦ୍ରୁତତମ ଟି-୨୦ ଶତକଧାରୀ ହୋଇଛନ୍ତି। ତାଙ୍କ ଉପରେ କେବଳ ରୋହିତ ଶର୍ମା(୩୫ ବଲରେ ୧୦୦) ରହିଛନ୍ତି।

ସାମସନଙ୍କ ବିସ୍ଫୋରକ ୪୭ ବଲରେ ୧୧୧ ଓ ସୂର୍ଯ୍ୟ କୁମାର ଯାଦବଙ୍କ ୩୫ ବଲରେ ୭୫ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ବିଶାଳ ୨୯୭ ରନ କରିଛି। ଫଳରେ ଆଗୁଆ ସିରିଜ ହାରି ସାରିଥିବା ବାଂଲାଦେଶକୁ ଶେଷ ମ୍ୟାଚ୍‌ ଜିତିବା ପାଇଁ ୨୯୮ ରନର ଟାର୍ଗେଟ ମିଳିଛି। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୪୭ ଓ ରିୟାନ ପରାଗ ୧୩ ବଲରେ ୩୫ ରନ କରିଛନ୍ତି।

ଟି-୨୦ରେ ଭାରତର ଏହା ସର୍ବୋଚ୍ଚ ସ୍କୋର। ଏହାପୂର୍ବରୁ ଦଳ କେବେ ବି ୨୬୦ ରନରୁ ଅଧିକ କରି ନଥିଲା। ସେହିପରି ବିଶ୍ୱ ଟି-୨୦ରେ ଏହା ଦ୍ୱିତୀୟ ସର୍ବୋଚ୍ଚ ଦଳଗତ ସ୍କୋର। ଟି-୨୦ରେ ସବୁଠାରୁ ଅଧିକ ରନ କରିବାର ରେକର୍ଡ ନେପାଳ ନାଁରେ ରହିଛି। ମଙ୍ଗୋଲିଆ ବିରୋଧରେ ୩୧୪/୩ କରିଥିଲା। 

ବ୍ୟାଟରଙ୍କୁ ସୁହାଉଥିବା ହାଇଦ୍ରାବାଦରେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ସାମସନ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ତେବେ ଅନ୍ୟତମ ଓପନର ଅଭିଷେକ ଶର୍ମା ପୁଣି ବଡ଼ ଶଟ ଖେଳିବାକୁ ଯାଇ କେବଳ ୪ ରନ କରି ତାନଜିମ ହାସନ ସାକିବଙ୍କ ବଲରେ ଆଉଟ ହୋଇଯାଇଥିଲେ। ଭାରତ ୨୩ ରନରେ ପ୍ରଥମ ୱିକେଟ ହରାଇଥିଲା।

କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ରନ ବର୍ଷା। ପିଚ୍‌ର ଉଭୟ ପାର୍ଶ୍ୱରୁ ସାମସନ ଓ ସୂର୍ଯ୍ୟ କୁମାର ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଉଭୟ ୧୫ ହାରରେ ରନ ସଂଗ୍ରହ କରି ବାଂଲା ବୋଲରଙ୍କୁ ଘାଇଲା କରିଥିଲେ। ପ୍ରଥମ ଦୁଇ ଟି-୨୦ରେ ଫ୍ଲପ ହୋଇଥିବା ସାମସନ ମାତ୍ର ୨୨ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ମଧ୍ୟ ପଛରେ ପଡ଼ି ନଥିଲେ। ସେ ମଧ୍ୟ ୨୩ଟି ବଲରେ ନିଜର ୫୦ ରନ ପୂରଣ କରିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ଉଭୟ ଗିୟର ବଦଳାଇଥିଲେ। ୧୦ତମ ଓଭ ବୋଲିଂ କରିବାକୁ ଆସିଥିବା ରିହାଦ ହୁସେନଙ୍କୁ ସାମସନ ୫ ବଲରେ ୫ ଛକା ମାରି ହାଇଦ୍ରାବାଦ ଷ୍ଟାଡିୟମର ଦର୍ଶକଙ୍କୁ ଉଲ୍ଲସିତ କରିଥିଲେ। ଏହାପରେ ସେ ମାତ୍ର ୪୦ ବଲରେ ନିଜଚ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ।

ସେ ୪୦ ବଲରେ ଶତକ ହାସଲ କରି ସୂର୍ଯ୍ୟ କୁମାରଙ୍କ ଦ୍ରୁତତମ ଶତକ ରେକର୍ଡ(୪୫ ବଲରେ ୧୦୦)କୁ ପଛରେ ପକାଇ ଦେଇଥିଲେ। ଏହାପରେ ସେ ଆଉ କିଛି ବଡ଼ ଶଟ ଖେଳି ୪୭ ବଲରେ ୧୧୧ ରନ କରି ମୁସ୍ତାଫିଜୁର ରହମନଙ୍କ ବଲରେ ଆଉଟ ହୋଇଯାଇଥିଲେ। ନିଜ ଇନିଂସରେ ୧୧ଟି ଚୌକା ଓ ୮ଟି ଛକା ମାରିଛନ୍ତି। ଆଉଟ ହେବା ପୂର୍ବରୁ ସେ ସୂର୍ଯ୍ୟ କୁମାରଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୧୭୩ ରନର ଭାଗିଦାରୀ କରିଥିଲେ।

ଦଳୀୟ ସ୍କୋର ୨୦୬ ଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୩୫ ବଲରେ ୭୫ ରନ କରି ମହମ୍ମଦୁଲ୍ଲାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସେ ତାଙ୍କ ଇନିଂସରେ ୮ଟି ଚୌକା ଓ ୫ଟି ଛକା ମାରିଛନ୍ତି।

୧୫ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୨୧୩/୩ ରହିଥିଲା। ଏବେ ରନର ବେଗ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିୟାନ ପରାଗ ବଢ଼ାଇଥିଲେ। ବିଶେଷ କରି ପାଣ୍ଡ୍ୟାଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ୧୬ତମ ଓଭର ବୋଲିଂ କରୁଥିବା ତାନଜିମଙ୍କୁ ୨ଟି ଛକା ଓ ୨ଟି ଚୌକା ମାରି ଦଳୀୟ ସ୍କୋରକୁ ୨୩୪ରେ ପହଞ୍ଚାଇ ଦେଇଥିଲେ। ୧୭ତମ ଓଭରରେ ପରାଗଙ୍କ ବ୍ୟାଟରୁ ରନ ବାହାରିଥିଲା। ସେ ମାହେଦି ହାସନଙ୍କୁ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ। 

୧୮ତମ ଓଭର ମୁସ୍ତାଫିଜୁର ନେଇ ଆସିଥିଲେ। ଏହି ଓଭରରେ ବାଂଲାଦେଶ ପାଣ୍ଡ୍ୟାଙ୍କ ଅତି ସହଜ ରନ ଆଉଟ ମିସ କରିଥିଲେ। ରିୟାନ ପରାଗ ମଧ୍ୟ ଗୋଟିଏ କ୍ୟାଚ ଦେଇଥିଲେ ହେଁ ଏହାକୁ ଇମୋନ ଧରି ପାରି ନଥିଲେ। ସମାନ ଓଭରର ୫ମ ବଲରେ ପାଣ୍ଡ୍ୟ ଚୌକା ଓ ଶେଷ ବଲରେ ଛକା ମାରି ଭାରତର ସ୍କୋରକୁ ୨୬୭ ରନରେ ପହଞ୍ଚାଇଥିଲେ। 

୧୯ତମ ଓଭରର ପ୍ରଥମ ବଲରେ ପରାଗ ଛକା ମାରିଥିଲେ। ଏହାପରେ ନୋ ବଲରୁ ୧ ରନ ମିଳିଥିଲା। ଫ୍ରି ହିଟର ସାମ୍ମନା କରିଥିଲେ ପାଣ୍ତ୍ୟା। କିନ୍ତୁ ଏହା ଡଟ ହୋଇଥିଲା। ତୃତୀୟ ବଲରେ ସେ ୧ ରନ ନେଇଥିଲେ। ୪ର୍ଥ ବଲରେ ପରାଗ ୧୩ ବଲରେ ୩୪ ରନ କରି ତସ୍କିନ ଅହମଦଙ୍କ ବଲରେ ଆଉଟ ହୋଇଥିଲେ। ୫ମ ବଲରେ ରିଙ୍କୁ ସିଂହ ରନ କରି ପାରି ନଥିଲେ। ତେବେ ଏହା ନୋ ବଲ ହୋଇଥିଲା। ଅର୍ଥାତ ରିଙ୍କୁ ସିଂହଙ୍କୁ ଫ୍ରି ହିଟ୍‌ ମିଳିଥିଲା। ଫ୍ରି ହିଟ୍‌ରୁ ସେ କେବଳ ୧ ରନ ପାଇଥିଲେ। ଶେଷ ବଲରେ ପାଣ୍ତ୍ୟା ଚୌକା ମାରି ଦଳୀୟ ସ୍କୋରକୁ ୨୮୨ ରନରେ ପହଞ୍ଚାଇଥିଲେ। 

ଇନିଂସର ଶେଷ ଓଭର ନେଇ ଆସିଥିଲେ ତାନଜିମ । ପ୍ରଥମ ବଲରେ ରିଙ୍କୁ ୧ ରନ ନେଇ ପାଣ୍ତ୍ୟାଙ୍କୁ ଷ୍ଟ୍ରାଇକ ଦେଇଥିଲେ। ପାଣ୍ଡ୍ୟା ଦ୍ୱିତୀୟ ବଲରେ ଛକା ମାରିଥିଲେ। ହେଲେ ପରବର୍ତ୍ତୀ ବଲରେ ସେ ବାଉଣ୍ଡରୀ ପାଖରେ କ୍ୟାଚ ଆଉଟ ହୋଇ ଯାଇଥିଲେ। ପାଣ୍ତ୍ୟା ୧୮ ବଲରେ ୪ ଛକା ଓ ୪ ଚୌକା ବଲରେ ୪୭ ରନ କରିଛନ୍ତି। 

ଗତ ମ୍ୟାଚ୍‌ର ହିରୋ ନୀତୀଶ କୁମାର ଆଜି ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଛନ୍ତି। ଶେଷ ଓଭରର ୫ମ ବଲରେ ୱାଶଂଟନ ସୁନ୍ଦର ୧ ରନ ନେଇଥିଲେ। ଶେଷ ବଲରେ ରିଙ୍କୁ ସିଂହ ଛକା ମାରି ଭାରତର ସ୍କୋରକୁ ୨୯୭ ରନରେ ପହଞ୍ଚାଇ ଦେଇଥିଲେ। ଏହା ଟି-୨୦ରେ ଭାରତର ସର୍ବୋଚ୍ଚ ସ୍କୋର। ଏହାପୂର୍ବରୁ ଭାରତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୨୬୦ ରନ କରିଥିଲା। 

 

Related story