/odisha-reporter/media/post_attachments/uploads/2022/02/india-2.jpg)
india
ଅହମଦାବାଦ: ଏଠାରେ ଖେଳାଯାଉଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆରେ ନିରାଶ କରିଛନ୍ତି ଦୁଇ ସିନିୟର ବ୍ୟାଟ୍ସମ୍ୟାନ୍ ରୋତ୍ ଶର୍ମା ଓ ବିରାଟ୍ କୋହଲି। ତେବେ ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲଙ୍କ ଯୋଗଦାନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୭ ରନ୍ କରିଛି। ଫଳରେ ସିରିଜକୁ ଫେରିବା ପାଇଁ ଭ୍ରମଣକାରୀ ଦଳକୁ ୨୩୮ ରନ୍ କରିବାକୁ ପଡ଼ିବ।
ୱେଷ୍ଟଇଣ୍ଡିଜ୍ ଆଜି ତା’ର ନିୟମିତ କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କ ବିନା ମଇଦାନକୁ ଓହ୍ଲାଇଥିଲା। ତାଙ୍କ ସ୍ଥାନରେ କାମଚଳା କ୍ୟାପଟେନ୍ ନିକୋଲାସ୍ ପୁରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମା ପରୀକ୍ଷଣ ସ୍ୱରୂପ ଋଷଭ ପନ୍ତଙ୍କ ସହ ଓପନ୍ କରିବାକୁ ଆସିଥିଲେ। କିନ୍ତୁ ତାଙ୍କର ଏହି ପରୀକ୍ଷଣ ଭୁଲ ସାବ୍ୟସ୍ତ ହୋଇଛି। ମ୍ୟାଚର ତୃତୀୟ ଓଭରରେ ରୋହିତ୍ (୬)ଙ୍କୁ ଆଉଟ୍ କରିଥିଲେ କେମାର ରୋଚ୍। ସେହିପରି ପନ୍ତ (୧୮) ମଧ୍ୟ ଖରାପ ଶଟ୍ ଖେଳି ନିଜ ୱିକେଟ୍ ଦେଇ ବସିଥିଲେ। ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟ୍ ପୁଣି ଚୁପ୍ ରହିଥିଲା। କୋହଲି ମାତ୍ର ୧୮ ରନ୍ କରି ଓଡେନ୍ ସ୍ମିଥଙ୍କ ଶିକାର ହୋଇଥିଲେ।
୪୩ ରନରେ ୩ ୱିକେଟ୍ ହରାଇ ଭାରତ ସଂକଟରେ ପଡ଼ିଥିଲା ବେଳେ ରାହୁଲ୍ ଓ ସୂର୍ଯ୍ୟକୁମାର ଲଢ଼ିଥିଲେ। ଦୁହେଁ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ୨୫ ଓଭର ପରେ ରାହୁଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଠିକଣା ସମୟରେ ରାହୁଲଙ୍କ ରନଆଉଟ୍ ଭାରତକୁ ପୁଣିଥରେ ବ୍ୟାକଫୁଟକୁ ଠେଲି ଦେଇଥିଲା। ରାହୁଲ୍ ୪୮ ବଲରେ ୪ ଚୌକା ଓ ୨ ଛକା ସହ ୪୯ ରନ୍ କରିଥିଲେ।
ସୂର୍ଯ୍ୟକୁମାର ନିଜର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ସେ ଖରାପ ଶଟ୍ ଖେଳି ନିଜ ୱିକେଟ୍ ହରାଇଥିଲେ। ସୂର୍ଯ୍ୟକୁମାର ୮୩ ବଲରେ ୫ ଚୌକା ସହ ୬୪ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୨୪ ରନ୍ କରି ଅକିଲ୍ ହୋସେନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ପ୍ରଥମ ଦିନିକିଆରେ ପଦାର୍ପଣ କରିଥିବା ଦୀପକ ହୁଡା ୨୫ ବଲରେ ୨୯ ରନ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଶାର୍ଦ୍ଦୁଲ ଠାକୁର (୮) ଓ ମହମ୍ମଦ ସିରାଜ (୩) ନିରାଶ କରିଥିଲେ। ୟୁଜବେନ୍ଦ୍ର ଚହଲ୍ ୧୧ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅଲଜାରୀ ଜୋସେଫ୍ ଓ ସ୍ମିଥ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
