Advertisment

ଯଶସ୍ୱୀଙ୍କ ଡବଲ୍ ସେଞ୍ଚୁରୀ; ଇଂଲଣ୍ଡ ଆଗରେ ୫୫୭ ରନର ଟାର୍ଗେଟ

ରାଜକୋଟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ।

author-image
Debibandita Barick
ଅଦ୍ୟତନ ହୋଇଛି
Jaiswal & Sarfaraz

Jaiswal & Sarfaraz

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ରୋହିତ ଓ ଜାଡେଜାଙ୍କ ଯାଦୁ ପରେ ଦ୍ୱିତୀୟ ଇନିଂସରେ କମାଲ୍ କରିଛନ୍ତି ଯଶସ୍ୱୀ, ଶୁବମନ ଓ ସର୍ଫରାଜ। ହାତରେ ୬ ୱିକେଟ୍ ଥାଇ ଇନିଂସ ଘୋଷଣା କରିଛି ଦଳ। ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଜୟ ଲକ୍ଷ୍ୟ ରହିଛି। 

Advertisment

ରାଜକୋଟରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମ ଇନିଂସ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ୧୩୧ ଏବଂ ଜାଡେଜାଙ୍କ ୧୧୨ ରନ୍ ବଳରେ ଦଳ ୪୪୫ ରନ୍ କରିଥିଲା। ପ୍ରଥମ ଇନିଂସରେ ଡେବ୍ୟୁ କରୁଥିବା ସର୍ଫରାଜ୍ ଖାନ୍ ଓ ଧ୍ରୁବ ଜୁରେଲ ମଧ୍ୟ ଯଥାକ୍ରମେ ୬୨ ଏବଂ ୪୬ ରନ୍ କରିଥିଲେ।

ଏହା ପରେ ପାଳି ଆରମ୍ଭ କରି ଇଂଲଣ୍ଡ ୩୧୯ରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଇଂଲଣ୍ଡ ପକ୍ଷରୁ ଡକେଟ୍ ୧୫୩ ରନ୍ କରିଥିଲେ। ଇଂଲଣ୍ଡ ଅଲ୍ ଆଉଟ୍ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ। ଯଶସ୍ୱୀ ଓ ରୋହିତ ପାଳି ଆରମ୍ଭ କରିଥିଲେ। ରୋହିତ ଶର୍ମା ୧୯ ରନ୍ କରି ଆଉଟ୍ ହୋଇଯିବା ପରେ ଶୁବମନ ଗିଲ୍ ଯଶସ୍ୱୀଙ୍କ ସାଥ୍ ଦେଇଥିଲେ। 

Advertisment

ଉଭୟ ସତର୍କତାର ସହ ପାଳିକୁ ଆଗେଇ ନେଇଥିଲେ। ଶତକ ପୂରଣ ପରେ ଜୈସ୍ୱାଲ ରିଟାର୍ଡ ହଟ୍ ନେଇ ଯାଇଥିଲେ। ତାଙ୍କ ପରେ ଆସିଥିବା ରଜତ ପଟିଦାର ୧୦ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ କୁଳଦୀପ ଯାଦବ।

ଷ୍ଟମ୍ପ୍ ଅପସାରଣ ବେଳକୁ ଉଭୟ ଯଥାକ୍ରମେ ୬୫ ଓ ୩ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁଣି ଉଭୟ ପାଳି ଆରମ୍ଭ କରିଥିଲେ। ପାଳି ଆରମ୍ଭରୁ ଶୁବମନ ଭଲ ପ୍ରଦର୍ଶନ କରିଥିଲେ। ମାତ୍ର ଶତକରୁ ବଞ୍ଚିତ ହୋଇଥିଲେ। ୯୧ ରନ୍ କରିଥିବା ବେଳେ ରନ୍ ଆଉଟର ଶିକାର ହୋଇଥିଲେ ଗିଲ୍। 

ସେ ଆଉଟ୍ ହେବା ପରେ ଜୈସ୍ୱାଲ ପୁନର୍ବାର ବ୍ୟାଟିଂ ଆରମ୍ଭ କରିଥିଲେ। ଆଜି ପୁଣି ୧୦୪ ରନରୁ ଖେଳ ଆରମ୍ଭ କରି ଯଶସ୍ୱୀ ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି। ସେ ୨୩୬ ବଲ୍‌ରୁ ୧୪ ଚୌକା ଓ ୧୨ଟି ଛକା ସହାୟତାରେ ୨୧୪ ରନ୍ କରି ଅପରାଜିତ ଥିଲେ।

ଅନ୍ୟପକ୍ଷରେ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳୁଥିବା ସର୍ଫରାଜ ଖାନ ମଧ୍ୟ କମାଲ କରିଛନ୍ତି। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ସର୍ଫରାଜ ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ କରିଛନ୍ତି। ସେ ୭୨ଟି ବଲ୍‌ରୁ ୬୮ ରନ୍ କରିଥିବା ବେଳେ ସେଥିରେ ଥିଲା ୬ଟି ଚୌକା ଓ ୩ଟି ଛକା। ସେ ମଧ୍ୟ ଅପରାଜିତ ରହିଥିଲେ। ଏହି ସମୟରେ ଟିମ୍ ପକ୍ଷରୁ ଇନିଂସ ଘୋଷଣା କରାଯାଇଥିଲା। ଇଂଲଣ୍ଡ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। 

Sports Test Cricket IND Vs ENG IND Vs ENG 3rd Test