pant
ପାର୍ଲ: ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୮୭ ରନ୍ କରିଛି। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୮୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଲୋକେଶ ରାହୁଲ ୫୫ ଓ ଶାର୍ଦ୍ଦୁଲ ଠାକୁର ଅପରାଜିତ ୪୦ ରନ୍ କରିଛନ୍ତି। ବିରାଟ୍ କୋହଲି ଖାତା ଖୋଲିପାରିନଥିବା ବେଳେ ଓ ଶ୍ରେୟସ ଆୟର୍ ନିରାଶ କରିଛନ୍ତି। ସିରିଜ୍ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୮୮ ରନ୍ କରିବାକୁ ପଡ଼ିବ।
ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍ନର ତଥା କ୍ୟାପଟେନ୍ ଲୋକେଶ ରାହୁଲ ଓ ଶିଖର ଧୱନ୍ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ପ୍ରଥମ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିବା ଧୱନ୍ ପୁଣିଥରେ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ଧୱନ୍ ୨୯ ରନ୍ କରି ଏଡେନ୍ ମାର୍କରମଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିରାଟ୍ କୋହଲି ୫ ବଲର ସାମ୍ନା କରିଥିଲେ ହେଁ ଖାତା ଖୋଲିପାରିନଥିଲେ। ତାଙ୍କୁ ସ୍ପିନର କେଶବ ମହାରାଜ ଆଉଟ୍ କରିଥିଲେ।
କୋହଲିଙ୍କ ଆଉଟ୍ ପରେ ଭାରତର ରନ୍ ଗତି ଧିମା ପଡ଼ିଥିଲା। ହେଲେ ଋଷଭ ପନ୍ତ ଚୌକା ଓ ଛକା ମାରି ପୁଣିଥରେ ରନ୍ ଗତି ବଢ଼ାଇଥିଲେ। ପନ୍ତ ମାତ୍ର ୪୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ରାହୁଲ୍ ୭୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ଧିମା ବ୍ୟାଟିଂ କରିଥିଲେ ହେଁ ପନ୍ତଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ଶତକୀୟ (୧୧୫) ପାର୍ଟନରଶିପ୍ କରି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।
ରାହୁଲ ବ୍ୟକ୍ତିଗତ ୫୫ ରନ୍ କରି ସିସାନ୍ଦା ମଗଲାଙ୍କ ଶିକାର ହୋଇଥିଲେ। ପରେ ପରେ ପନ୍ତ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ପନ୍ତ ୮୫ (୭୧ ବଲ୍, ୧୦ ଚୌକା, ୨ ଛକା) ରନ୍ କରି ତବରେଜ୍ ଶାମସୀଙ୍କ ବଲରେ ଆଉଟ୍ ହୋଇଥିଲେ। ଶ୍ରେୟସ୍ ଆୟର୍ (୧୧) ପୁଣିଥରେ ସୁଯୋଗ ଫାଇଦା ଉଠାଇବାରେ ବିଫଳ ହୋଇଥିଲେ। ତାଙ୍କୁ ମଧ୍ୟ ଶାମସୀ ଆଉଟ୍ କରିଥିଲେ। ନିଜର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ଖେଳୁଥିବା ଭେଙ୍କଟେଶ୍ ଆୟର୍ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ଶାର୍ଦ୍ଦୁଲ ଠାକୁର ପୁଣିଥରେ ଦମଦାର ବ୍ୟାଟିଂ କରିଥିଲେ ଏବଂ ତାଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନଙ୍କର ଖୁବ୍ ଯୋଗଦାନ ମଧ୍ୟ ମିଳିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୪୮ ରନ୍ ଯୋଡ଼ି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ୩୮ ବଲରେ ୩ ଚୌକା ଓ ୧ ଛକା ସହ ୪୦ ଓ ଅଶ୍ୱିନ୍ ୨୫ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଶାମସୀ ୨ଟି, ମଗଲା, ମାର୍କରମ୍, କେଶବ ମହାରାଜ ଓ ଆଣ୍ଡିଲେ ଫେଲୁକୱାୟୋ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/pant.jpg)