Advertisment

ଫିଲ୍ଡିଂ ବେଳେ ପରସ୍ପର ସହ ପିଟି ହେଲେ ଦୁଇ ଭାରତୀୟ ଖେଳାଳି, ଜଣେ ହସ୍ପିଟାଲ ଗଲେ

ଅଷ୍ଟ୍ରେଲିଆ ଇନିଂସର ୨୫ତମ ଓଭରରେ ଘଟିଥିଲା। ବେଥ ମୁନୀ ବ୍ୟାଟିଂ କରୁଥିବା ବେଳେ ପୂଜା ଶର୍ଟ ଥାର୍ଡ ଓ ସ୍ନେହ ବ୍ୟାକୱର୍ଡ ପଏଣ୍ଟରେ ଫିଲ୍ଡିଂ କରିଥିଲେ।

BCCI

BCCI

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ମହିଳା ଟିମକୁ ଶକ୍ତ ଝଟକା ଲାଗିଛି। ଫିଲ୍ଡିଂ କରିବା ବେଳେ ଘଟିଛି ଅଭାବନୀୟ ଘଟଣା। ଦୁଇ ଷ୍ଟାର ଖେଳାଳି ପୂଜା ବସ୍ତ୍ରକର ଓ ସ୍ନେହ ରାଣା ପରସ୍ପର ସହ ପିଟି ହୋଇଯାଇଛନ୍ତି।

Advertisment

ଆଘାତ ଏତେ ଜୋରଦାର ଥିଲା ଯେ ସେହ୍ନ ରାଣାଙ୍କୁ ହସ୍ପିଟାଲ ଯିବାକୁ ମଧ୍ୟ ପଡ଼ିଛି। ସେ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କର ସ୍କାନ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି। ତେଣୁ ସେ ଦ୍ୱିତୀୟ ଦିନିକିଆ ଅଧାରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ହରଲୀନ ଦେଓଲଙ୍କୁ ବଦଳ ଖେଳାଳି ଭାବେ ସୁଯୋଗ ମିଳିଥିଲା।

ପୂରା ଘଟଣା ଅଷ୍ଟ୍ରେଲିଆ ଇନିଂସର ୨୫ତମ ଓଭରରେ ଘଟିଥିଲା। ବେଥ ମୁନୀ ବ୍ୟାଟିଂ କରୁଥିବା ବେଳେ ପୂଜା ଶର୍ଟ ଥାର୍ଡ ଓ ସ୍ନେହ ବ୍ୟାକୱର୍ଡ ପଏଣ୍ଟରେ ଫିଲ୍ଡିଂ କରିଥିଲେ। ମୁନୀ କଟ ଶଟ ମାରିଥିବା ବେଳେ ଏହାକୁ ଧରିବା ପାଇଁ ଉଭୟ ଖେଳାଳି ପ୍ରୟାସ କରିଥିଲେ। ଉଭୟଙ୍କ ନଜର ବଲ ଉପରେ ରହିଥିଲା। ତେଣୁ ସେମାନେ ପରସ୍ପରକୁ ଧକ୍କା ଦେଇଥିଲେ।

Advertisment

ଧକ୍କା ହେବା ପରେ ଉଭୟ ଖେଳାଳି ତଳେ ଚିତ ହୋଇ ପଡ଼ିଯାଇଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ପୂଜା ଛିଡ଼ା ହେବାକୁ ସକ୍ଷମ ହୋଇଥିଲେ। କିନ୍ତୁ ସ୍ନେହ ବେଶ କିଛି ସମୟ ସେମିତି ତଳେ ପଡ଼ି ରହିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଉଠିଥିଲେ। କିନ୍ତୁ ମୁଣ୍ଡରେ ଆଇସପ୍ୟାକ ଲଗାଇ ପଡ଼ିଆ ଛାଡ଼ିଥିଲେ।

ବିସିସିଆଇ କହିଛି ଯେ ସେହ୍ନ ରାଣା ଧକ୍କା ହେବା ପରେ ମୁଣ୍ଡରେ ସମସ୍ୟା ଅନୁଭବ କରିଥିଲେ। ତେଣୁ ତାଙ୍କୁ ତୁରନ୍ତ ସ୍କାନ ପାଇଁ ନିଆଯାଇଛି। ସେ ଆଉ ଅଷ୍ଟ୍ରେଲିଆ ମହିଳା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାଗ ନେଇ ପାରିବେ ନାହିଁ। ତାଙ୍କ ବଦଳରେ ହରଲୀନ ଦେଓଲ ବଦଳ ଖେଳାଳି ଭାବେ ସ୍ଥାନ ପାଇଛନ୍ତି।

ଆଜିର ମ୍ୟାଚ୍‌ରେ ରାଣା ଦୁର୍ଘଟଣା ପୂର୍ବରୁ ୪ ଓଭର ବୋଲିଂ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ସେ ପୁଣି ପଡ଼ିଆକୁ ଫେରି ଆଉ ୬ ଓଭର ବୋଲିଂ କରିଥିଲେ। ୧୦ ଓଭରରେ ସେ ୫୯ ରନ ଦେବା ସହ ଆସେଲ ଗାର୍ଡେନରଙ୍କ ୱିକେଟ ନେଇଛନ୍ତି।

ଅନ୍ୟପକ୍ଷରେ ମ୍ୟାଚ୍‌କୁ ବିଚାରକୁ ନେଲେ ଭାରତୀୟ ମହିଳା ଦଳକୁ ହାରିବାକୁ ପଡ଼ିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୫୮ ରନ କରିଥିଲା। ଏହାର ଜବାବରେ ରିଚା ଘୋଷଙ୍କ ୯୬ ରନ ସତ୍ତ୍ୱେ ଭାରତୀୟ ମହିଳା ଦଳ ୫୦ ଓଭରରେ ୮ ୱିକେଟ ହରାଇ ୨୫୫ ରନ କରିପାରିଛି। 

ଏହି ମ୍ୟାଚ୍‌ ସହ ଅଷ୍ଟ୍ରେଲିଆ ମହିଳା ଦଳ ଭାରତ ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ ଆଗୁଆ ଜିତି ନେଇଛି। ପ୍ରଥମ ଦିନିକିଆକୁ ମଧ୍ୟ ଅଷ୍ଟ୍ରେଲିଆ ବେଶ ସହଜରେ ଜିତି ନେଇଥିଲା। ଏବେ ମଙ୍ଗଳବାର ତୃତୀୟ ଦିନିକିଆ ଖେଳାଯିବ। 

Bcci India Vs Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe