Advertisment

ବିପର୍ଯ୍ୟୟ ସୃଷ୍ଟି କଲେ ଲାୟନ: ଅଷ୍ଟ୍ରେଲିଆକୁ ମାତ୍ର ୭୬ ରନ ଟାର୍ଗେଟ ଦେଲା ଭାରତ

ଭାରତ ତା’ର ଦ୍ୱିତୀୟ ଇନିଂସରେ କେବଳ ୧୬୩ ରନ କରିବାରୁ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତିବା ପାଇଁ ୭୬ ରନର ଟାର୍ଗେଟ ମିଳିଛି।

author-image
Hemant Lenka
 Nathan Lyon

Nathan Lyon

ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆର ସ୍ପିନ ଜାଲରେ ଫସିଯାଇଛନ୍ତି ଭାରତୀୟ ବ୍ୟାଟର। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରି ବ୍ୟାକଫୁଟକୁ ଠେଲି ହୋଇଯାଇଥିବା ରୋହିତ ସେନାକୁ ଏବେ ମ୍ୟାଚ୍‌ ବଞ୍ଚାଇବା ଚିନ୍ତା ଘାରିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୮୮ ରନ ରନ ଲିଡ୍‌ ହାସଲ କରିଥିଲା।

Advertisment

ଏବେ ଭାରତ ତା’ର ଦ୍ୱିତୀୟ ଇନିଂସରେ ମାତ୍ର ୧୬୩ ରନ କରି ଅଲଆଉଟ ହୋଇଯାଇଛି। ତେଣୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ଟେଷ୍ଟକୁ ଜିତିବା ପାଇଁ ଭ୍ରମଣକାରୀ କଙ୍ଗାରୁ ଟିମକୁ କେବଳ ୭୬ ରନର ଟାର୍ଗେଟ ମିଳିଛି। ଅଷ୍ଟ୍ରେଲିଆ ପକ୍ଷରୁ ଅଭିଜ୍ଞ ସ୍ପିନର ନାଥନ ଲାୟନ ଚମତ୍କାର ବୋଲିଂ କରିବା ସହ ଏକୁଟିଆ ଭାରତର ୮ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ମିଚେଲ ଷ୍ଟାର୍କ ଓ ମାଥ୍ୟୁ କୁହ୍ନେମାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଭାରତ ଆଜି ଅଲଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ତୃତୀୟ ଦିନରେ ଅଷ୍ଟ୍ରେଲିଆର ତା’ର ଇନିଂସ ଆରମ୍ଭ କରିବ। ବିଜୟ ଲକ୍ଷ୍ୟ ଅତ୍ୟନ୍ତ ଛୋଟ ଥିବାରୁ ଅଷ୍ଟ୍ରେଲିଆ ବେଶ ଆରମରେ ମ୍ୟାଚ୍‌କୁ ଜିତି ସିରିଜ୍‌କୁ ୨-୧ କରିବା ଲକ୍ଷ୍ୟରେ ରହିଛି। ଭାରତ କେବଳ କୌଣସି ଚମତ୍କାର ହୋଇପାରିଲେ ହିଁ ଯାଇ ମ୍ୟାଚ୍‌ ଜିତିବାକୁ ସକ୍ଷମ ହେବ। ଭାରତର ଦ୍ୱିତୀୟ ଇନିଂସରେ ଚେତେଶ୍ୱର ପୂଜାରା(୫୯)ଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

Advertisment

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୫୬ ରନ କରିଥିଲା। ଏଥିସହ ୪୭ ରନର ଲିଡ୍‌ ମଧ୍ୟ ହାସଲ କରି ନେଇଥିଲା। ଆଜି ଦିନ ଆରମ୍ଭରୁ ପ୍ରଥମ ଏକ ଘଣ୍ଟା ଗତକାଲିର ଦୁଇ ଅପରାଜିତ ବ୍ୟାଟର କାମେରନ ଗ୍ରୀନ ଓ ପିଟିର ହ୍ୟାଣ୍ଡସ୍କମ୍ବ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୮୬ରେ ପହଞ୍ଚାଇ ଦେଇଥିଲେ।

ଲାଗୁଥିଲା ଅଷ୍ଟ୍ରେଲିଆ ବିଶାଳ ଲିଡ୍‌ ହାସଲ କରିନେବ। କିନ୍ତୁ ଡ୍ରିଙ୍କ୍ସ ବ୍ରେକ ପରେ କମାଲ କରିଥିଲେ ରବି ଅଶ୍ୱିନ ଓ ଉମେଶ ଯାଦବ। ପ୍ରଥମେ ଅଶ୍ୱିନ ୧୯ ରନ କରିଥିବା ହ୍ୟାଣ୍ଡସ୍କମ୍ବଙ୍କୁ ଆଉଟ କରିଥିଲେ। ଏହାପରେ ଉମେଶ ଯାଦବ ୨୧ ରନ କରିଥିବା ଗ୍ରୀନଙ୍କ ୱିକେଟ ନେଇଥିଲେ। ମିଚେଲ ଷ୍ଟାର୍କ(୧) ଓ ଟଡ୍‌ ମର୍ଫୀ(୦)ଙ୍କୁ ମଧ୍ୟ ଉମେଶ ବୋଲ୍ଡ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଆଲେକ୍ସ କେରୀ(୩) ଓ ନାଥନ ଲାୟନ(୫)ଙ୍କୁ ଆଉଟ କରି ଅଶ୍ୱିନ ଅଷ୍ଟ୍ରେଲିଆ ଇନିଂସକୁ ୧୯୭ରେ ଶେଷ କରି ଦେଇଥିଲେ। ଅଷ୍ଟ୍ରେଲିଆ ତା’ ଶେଷ ୬ ୱିକେଟ ୧୧ ରନ ଭିତରେ ହରାଇଥିଲା।

ଅଷ୍ଟ୍ରେଲିଆ ଅଲଆଉଟ ହୋଇଯିବାରୁ ଲଞ୍ଚ ବ୍ରେକ ପୂର୍ବରୁ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଲଞ୍ଚ ସୁଦ୍ଧା ଦଳ ବିନା ୱିକେଟରେ ୧୩ ରନ କରି ନେଇଥିଲା। ହେଲେ ଲଞ୍ଚ ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ନାଥନ ଲାୟନଙ୍କ ସ୍ପିନ ଯାଦୁରେ ଫସିଥିଲେ ଭାରତୀୟ ବ୍ୟାଟର। ପ୍ରଥମେ ଶୁବମନ ଗିଲ୍(୫) ଓ ପରେ ରୋହିତ ଶର୍ମା(୧୨) ଲାୟନଙ୍କ ବଲରେ ଆଉଟ ହୋଇଥିଲେ।

ବିରାଟ କୋହଲି(୧୩)ଙ୍କୁ କୁହ୍ନେମାନ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ରବୀନ୍ଦ୍ର ଜାଡେଜା(୭) ଲାୟନଙ୍କ ତୃତୀୟ ଶିକାର ବନିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ପୂଜାରା ବେଶ ଦୃଢ଼ତାର ସହ ଅଷ୍ଟ୍ରେଲୀୟ ସ୍ପିନରମାନଙ୍କୁ ମୁକାବିଲା କରିଥିଲେ। ପ୍ରଥମ ଇନିଂସରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ଶ୍ରେୟସ ଆୟର ଆଜି ଆଟାକିଂ କ୍ରିକେଟ ଖେଳିଥିଲେ।

କିନ୍ତୁ ସେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ। ୩ଟି ଚୌକା ଓ ୨ଟି ଛକା ବଳରେ ୨୬ ରନ କରିଥିବା ଆୟରଙ୍କୁ ଷ୍ଟାର୍କ ଆଉଟ କରିଦେଇଥିଲେ। କେଏସ ଭରତ (୩) ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ୭ମ ୱିକେଟ ପାଇଁ ପୂଜାରା ଓ ଅଶ୍ୱିନ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ପୂଜାରା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

କିନ୍ତୁ ଦଳୀୟ ସ୍କୋର ୧୪୦ ଥିବା ବେଳେ ଅଶ୍ୱିନ(୧୬)ଙ୍କୁ ଲାୟନ ଆଉଟ କରି ନିଜର ୫ମ ୱିକେଟ ଦଖଲ କରିଥିଲେ। ଅଶ୍ୱିନଙ୍କ ପୂର୍ବରୁ ସେ ଜାଡେଜା ଓ ଭରତଙ୍କ ୱିକେଟ ନେଇଥିଲେ। ୫ଟି ୱିକେଟ ଦଖଲ କରିବା ପରେ ମଧ୍ୟ ତାଙ୍କ ମନ ଶାନ୍ତି ହୋଇ ନଥିଲା। ଦଳୀୟ ସ୍କୋର ୧୫୫ ଥିବା ବେଳେ ଭାରତକୁ ଲାଗିଥିଲା ସବୁଠାରୁ ବଡ଼ ଝଟକା।

ଭଲ ଲୟରେ ଥିବା ପୂଜରା ୫୯ ରନ କରି ଲାୟନଙ୍କ ୬ଷ୍ଠ ଶିକାର ବନିଥିଲେ। ସେହି ଓଭରରେ ସେ ଉମେଶ ଯାଦବ(୦)ଙ୍କ ୱିକେଟ ମଧ୍ୟ ନେଇଥିଲେ। ଅକ୍ଷର ପଟେଲ ଅପରାଜିତ ୧୫ ରନ କରିଥିଲେ ହେଁ ଶେଷ ବ୍ୟାଟର ଭାବେ ମହମ୍ମଦ ସିରାଜ(୦)ଙ୍କୁ ଆଉଟ କରି ଲାୟନ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଭାରତ ତା’ର ଦ୍ୱିତୀୟ ଇନିଂସରେ କେବଳ ୧୬୩ ରନ କରିବାରୁ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତିବା ପାଇଁ ୭୬ ରନର ଟାର୍ଗେଟ ମିଳିଛି।

Indian Cricket Team Cricket India Vs Australia INDvsAUS Border-Gavaskar Trophy