Advertisment

ପିଙ୍କ ବଲ ଟେଷ୍ଟ: ଦୟନୀୟ ସ୍ଥିତିରେ ଟିମ ଇଣ୍ଡିଆ, ମ୍ୟାଚ ବଞ୍ଚାଇବାକୁ ସଂଘର୍ଷ

ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଋଷଭ ପନ୍ତ ୨୫ ବଲରେ ୨୮ ଓ ନୀତୀଶ କୁମାର ରେଡ୍ଡୀ ୧୪ ବଲରେ ୧୫ ରନ କରି ଅପରାଜିତ ରହିଛନ୍ତି।

Rohit

Rohit

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟକୁ ଚମତ୍କାର ଢଙ୍ଗରେ ଜିତିଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍‌ରେ ଆଣ୍ଠେଇଛି। ଆଡିଲେଡ ଓଭାଲରେ ଖେଳା ଯାଉଥିବା ପିଙ୍କ ବଲ ଟେଷ୍ଟରେ ଭାରତର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି।

Advertisment

ପ୍ରଥମ ଇନିଂସରେ ମାତ୍ର ୧୮୦ ରନ କରିଥିବା ଭାରତ ଏବେ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ କେବଳ ୧୨୮ ରନ କରିପାରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଟ୍ରାଭିସ ହେଡଙ୍କ ୧୪୦ ରନ ବଳରେ ୩୩୭ ରନ କରିଥିଲା। ଫଳରେ ଘରୋଇ ଟିମକୁ ୧୫୭ ରନର ଲିଡ ମିଳିଥିଲା।

୧୫୭ ରନ ପଛରେ ଥିବା ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୨୮ ରନ କରିଛି। ଏବେ ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୨୯ ରନ ପଛରେ ରହିଛି। ମ୍ୟାଚ୍‌ ଶେଷ ହେବାକୁ ଆହୁରି ୩ ଦିନ ବାକି ଥିବାରୁ ଭାରତ ଏବେ ପରାଜୟ ଏଡ଼ାଇବାକୁ ସଂଘର୍ଷ ଆରମ୍ଭ କରିଛି। 

Advertisment

ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଋଷଭ ପନ୍ତ ୨୫ ବଲରେ ୨୮ ଓ ନୀତୀଶ କୁମାର ରେଡ୍ଡୀ ୧୪ ବଲରେ ୧୫ ରନ କରି ଅପରାଜିତ ରହିଛନ୍ତି। ଏହି ଦୁଇ ଜଣଙ୍କ ଉପରେ ଏବେ ସବୁ କିଛି ନର୍ଭର କରୁଛି। କାରଣ ଏହାପରେ ଆଉ କୌଣସି ବ୍ୟାଟର ନାହାନ୍ତି। ଭାରତ ଆଜି ୨୪ ଓଭର ବ୍ୟାଟିଂ କରି ତା’ର ସମସ୍ତ ୫ ଟପ ଅର୍ଡର ବ୍ୟାଟରଙ୍କୁ ହରାଇ ଦେଇଛି।

ପର୍ଥ ଟେଷ୍ଟରେ ଯଶପ୍ରୀତ ବୁମ୍ରା ଅଧିନାୟକ ରହିଥିବା ବେଳେ ଭାରତ ବିଶାଳ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇ ଦେଇଥିଲା। ଏଥିସହ ୫ ଟିକିଆ ବର୍ଡର-ଗାଭାସ୍କର ଟ୍ରଫିରେ ୧-୦ରେ ଆଗୁଆ ହୋଇଯାଇଥିଲା। ଦ୍ୱିତୀୟ ଟେଷ୍ଟକୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିଥିଲେ।

ତାଙ୍କ ନେତୃତ୍ୱରେ ଏବେ ଭାରତ ପରାଜୟ ଦ୍ୱାରଦେଶରେ ପହଞ୍ଚି ଯାଇଛି। ରୋହିତ ମଧ୍ୟ ଦୁଇଟି ଯାକ ଇନିଂସରେ ନିଜର ପାରମ୍ପରିକ ଓପନିଂ ପୋଜିସନ ଛାଡ଼ି ୬ନଂରେ ବ୍ୟାଟିଂ କରିଥିଲେ। ହେଲେ ପ୍ରଥମ ଇନିଂସରେ ୩ ଓ ଦ୍ୱିତୀୟ ଇନିଂସରେ ସେ କେବଳ ୬ ରନ କରିପାରିଛନ୍ତି। ଅନ୍ୟତମ ଅଭିଜ୍ଞ ବ୍ୟାଟର ବିରାଟ କୋହଲି ବି ପିଙ୍କ ବଲ ଟେଷ୍ଟର ଉଭୟ ଇନିଂସରେ ଫେଲ ମାରିଛନ୍ତି। 

ଅଷ୍ଟ୍ରେଲିଆ ଆଜି ୩୩୭ ରନରେ ଅଲଆଉଟ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ୧୨ ରନରେ ଓପନର କେଏଲ ରାହୁଲ(୭)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ନେଇଥିଲେ।

ପ୍ରଥମ ଇନିଂସରେ ରୟାଲ ଡକ ଅର୍ଥାତ ମ୍ୟାଚ୍‌ର ପ୍ରଥମ ବଲରେ ଆଉଟ ହୋଇଥିବା ଯଶସ୍ୱୀ ଜୈସୱାଲ ଆଜି ଲୟରେ ଥିବା ଭଳି ଲାଗୁଥିଲେ। ସେ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ବୋଲିଂକୁ ସାମ୍ନା କରି କିଛି ବାଉଣ୍ଡରୀ ମଧ୍ୟ ମାରିଥିଲେ।

ହେଲେ ସ୍କଟ ବୋଲାଣ୍ଡ ୯ମ ଓଭରର ପ୍ରଥମ ବଲରେ ୨୪ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ କରି ଦେଇଥିଲେ। ବିରାଟ କୋହଲି ୧୧ ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ତାଙ୍କ ୱିକେଟ ବି ବୋଲାଣ୍ଡଙ୍କ ଖାତାକୁ ଯାଇଛି। ପ୍ରଥମ ଇନିଂସରେ ସେ କେବଳ ୭ ରନ କରିଥିଲେ। 

ବିରାଟ ଆଉଟ ହେବା ବେଳେ ଦଳୀୟ ସ୍କୋର ୬୬ ରହିଥିଲା। ଏତିକି ବେଳେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ପ୍ରଥମ ବଲରେ ହିଁ ଚୌକା ମାରିଥିଲେ। ସେ କେବଳ ବାଉଣ୍ଡରୀ ମାରୁଥିବା ବେଳେ ଅନ୍ୟପଟେ ୨୮ ରନ କରିଥିବା ଶୁବମନ ଗିଲଙ୍କୁ ଷ୍ଟାର୍କ କ୍ଲିନବୋଲ୍ଡ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ଦଳୀୟ ସ୍କୋର ୮୬ ଥିବା ବେଳେ କ୍ରିଜକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା।

ତାଙ୍କ ଠାରୁ ସମସ୍ତେ ବଡ଼ ଇନିଂସର ଆଶା ରଖିଥିଲେ। ଅନ୍ୟପଟେ ପନ୍ତ ମଧ୍ୟ କିଛି ବାଉଣ୍ଡରୀ ମାରିଥିଲେ। ହେଲେ ରୋହିତ କେବଳ ୬ ରନ କରି ପାଟ କମିନ୍ସଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ। ୧୦୫ ରନରେ ଭାରତର ଅଧା ଖେଳାଳି ପ୍ୟାଭିଲିୟନ ଫେରିଥିଲେ।

ତେବେ ରୋହିତଙ୍କ ପରେ ଆସିଥିବା ନୀତୀଶ କୁମାର ରେଡ୍ଡୀ ଓ ପନ୍ତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ଏକାଠି ୩ ଓଭର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୧୨୮ ରନରେ ପହଞ୍ଚାଇ ଦେଇଛନ୍ତି।

ଭାରତ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୨୯ ରନ ପଛରେ ରହିଛି। ତେଣୁ ଏହି ଦୁଇ ବ୍ୟାଟର ତୃତୀୟ ଦିନରେ କେମିତି ବ୍ୟାଟିଂ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

India Vs Australia Border-Gavaskar Trophy Pat Cummins Pink Ball Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe