/odisha-reporter/media/media_files/2026/02/12/ishan-kishan-2026-02-12-20-35-50.jpg)
ଶଟ ଖେଳୁଛନ୍ତି କିଶାନ
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ଚୌକା ଛକା ବର୍ଷା। ଈଶାନ କିଶନ ଓ ସଞ୍ଜୁ ସାମସନ ଆରମ୍ଭ କଲେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟ ଦମ ଦେଖାଲେ। ନାମିବିୟା ବିପକ୍ଷ ମ୍ୟାଚ୍ରେ ଗର୍ଜିଛି ଭାରତୀୟ ବ୍ୟାଟରଙ୍କ ବ୍ୟାଟ। ଈଶାନ କିଶନ ୨୪ ବଲରେ ୬୧ ରନ କରିଥିବା ବେଳେ ପଣ୍ଡ୍ୟା ଖେଳିଛନ୍ତି ୫୨ ରନରର ଇନିଂସ।
ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କରିଛି ୨୦୯ ରନ। ଏବେ ନାମିବିୟାକୁ ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ନିଜର ପ୍ରଥମ ବିଜୟ ପାଇଁ ଦରକାର କଷ୍ଟକର ୨୧୦ ରନ। ଶେଷ ଭାଗରେ ଭାରତୀୟ ବ୍ୟାଟର ନିରାଶ କରିବାରୁ ଦଳ ଆଶା ଅନୁସାରେ ନିଜର ଇନିଂସକୁ ଶେଷ ସ୍ପର୍ଶ ଦେଇପାରି ନାହିଁ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଆଜି ଟି-୨୦ ବିଶ୍ୱକପରେ ପଦାର୍ପଣ କରିଛନ୍ତି ସଞ୍ଜୁ ସାମସନ। ଅଭିଷେକ ଶର୍ମାଙ୍କ ଅସୁସ୍ଥତା କାରଣରୁ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିବା ସାମସନ ୬ରୁ ନିଜ ବିଶ୍ୱକପ ପଦାର୍ପଣର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ଓଭରରେ ସେ ଆଉ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ ହେଁ ୮ ବଲରେ ୨୨ ରନ କରି ବେନ ଶିକୋଙ୍ଗୋଙ୍କ ବଲରେ ଆଉଟ ହୋଇ ଯାଇଥିଲେ।
ସାମସନ ଆଉଟ ହୋଇଥିଲେ ହେଁ ଈଶାନ କିଶନ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ ପାୱାର ପ୍ଲେରେ ଦ୍ୱିତୀୟ ଥର ପାଇଁ ନିଜ ଟି-୨୦ କ୍ୟାରିୟରରେ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦ ବଲରେ ୫୦ ରନ ପୂରଣ କରିବା ପରେ ସେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଭାରତ ମଧ୍ୟ ୬ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୮୬ ରନରେ ପହଞ୍ଚାଇ ଦେଇଥିଲା।
କିନ୍ତୁ ୭ମ ଓଭରର ପ୍ରଥମ ବଲରେ ନାମିବିୟା ଅଧିନାୟକ ଗେରହାର୍ଡ ଇରାସମସଙ୍କୁ ଛକା ମାରିବାକୁ ଯାଇ କିଶନ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ। ସେ ଆଜି ୫ଟି ଛକା ଓ ୬ଟି ଚୌକା ବଳରେ ୬୧ ରନର ଇନିଂସ ଖେଳିଛନ୍ତି।
ତିଳକ ବର୍ମା ଓ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ଭଲ ଷ୍ଟାର୍ଟ ମିଳିଥିଲେ ହେଁ ଉଭୟ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନାହାନ୍ତି। ତିଳକ ୨୧ ବଲରେ ୨୫ ଓ ସୂର୍ଯ୍ୟ କୁମାର ୧୩ ବଲରେ ୧୨ ରନ କରି ଯଥାକ୍ରମେ ଇରାସମସ ଓ ବେରନାର୍ଡ ସ୍ଲୋଜଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୧୧.୫ ଓଭର ସୁଦ୍ଧା ଭାରତ ୧୨୪ ରନରେ ୪ ୱିକେଟ ହରାଇଥିଲା।
ଏତିକି ବେଳେ ପାଣ୍ତ୍ୟା ଓ ଶିବମ ଦୁବେ ସ୍ଥିତି ସମ୍ଭାଳିଥିଲେ। ଦୁବେ ବେଶ ସତର୍କତାର ସହ ବ୍ୟାଟିଂ କରୁଥିବା ବେଳେ ପାଣ୍ଡ୍ୟା ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ ଚୌକା-ଛକା ବର୍ଷା କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ୧୮ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୯୯ ରନରେ ପହଞ୍ଚାଇ ଦେଇଥିଲେ।
୧୯ତମ ଓଭରର ପ୍ରଥମ ବଲରେ ସେ ଛକା ମାରି ଭାରତୀୟ ସ୍କୋରକୁ ୨୦୦ ଓ ନିଜର ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ପରବର୍ତ୍ତୀ ବଲେ ଇରାସମସ ତାଙ୍କୁ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ। ଫାଇନ ଲେଗ ଅଞ୍ଚଳରେ ବଦଳ ଖେଳାଳି ଡୟଲନ ଲେଚର ଚମତ୍କାର କ୍ୟାଚ ମାଧ୍ୟମରେ ପାଣ୍ଡ୍ୟାଙ୍କ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ପାଣ୍ଡ୍ୟା ୨୮ ବଲରେ ୪ ଛକା ଓ ୪ ଚୌକା ବଳରେ ୫୨ ରନର ଇନିଂସ ଖେଳିଛନ୍ତି।
ପାଣ୍ତ୍ୟାଙ୍କ ବଳରେ ରିଙ୍କୁ ସିଂହ ଆସିଥିଲେ ହେଁ ସେପଟେ ଦୁବେ(୧୬ ବଲରେ ୨୩) ରନ ଆଉଟ ହୋଇଯାଇଥିଲେ। ସମାନ ଓଭରର ଶେଷ ବଲରେ ଅକ୍ଷର ପଟେଲଙ୍କୁ ବୋଲ୍ଡ କରି ଇରାସମସ ମ୍ୟାଚ୍ରେ ନିଜର ୪ର୍ଥ ସଫଳତା ହାସଲ କରିଥିଲେ। ଭାରତ ୨୦୬ ରନରେ ନିଜର ୭ମ ୱିକେଟ ହରାଇଥିଲା।
ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଜେଜେ ସ୍ମିଟ। ପ୍ରଥମ ବଲରେ ରିଙ୍କୁ ସିଂହ କୌଣସି ରନ କରିପାରି ନଥିଲେ। ଦ୍ୱିତୀୟ ବଲ ବାଉଣ୍ଡରୀ ପାଖକୁ ଯାଇଥିଲେ ହେଁ ରିଙ୍କୁ ସିଙ୍ଗଲ ନ ନେଇ ଷ୍ଟ୍ରାଇକ ନିଜ ପାଖରେ ରଖିଥିଲେ। ତୃତୀୟ ବଲରେ ଛକା ମାରିବାକୁ ଯାଇ ସେ ଆଉଟ ହେବା ସହ ଭାରତର ୮ମ ୱିକେଟର ପତନ ହୋଇଥିଲା। ପରବର୍ତ୍ତୀ ବଲରେ ଅର୍ଶଦୀପ ୧ ରନ ହାସଲ କରିଥିଲେ। ୫ମ ବଲରେ ମଧ୍ୟ ବରୁଣ ଚକ୍ରବର୍ତ୍ତୀ ୧ ରନ ନେଇଥିଲେ ଶେଷ ବଲରେ ଅର୍ଶଦୀପ ୨ ରନ ନେଉଥିବା ବେଳେ ରନ ଆଉଟ ହେବାରୁ ଭାରତ ୨୦୯ ରନ କରିବାକୁ ସକ୍ଷମ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
