ପଛରେ ପଡ଼ିଲା ପାକିସ୍ତାନ, ଟି-୨୦ରେ ନୂଆ ରେକର୍ଡ କଲା ଭାରତ

ଟି-୨୦ ଅନ୍ତର୍ଜାତୀୟରେ ଏହା ଭାରତର ୧୩୬ତମ ବିଜୟ। ୨୦୦୬ରୁ ଟି-୨୦ ଖେଳି ଆସୁଥିବା ଭାରତୀୟ ଟିମ ଇତି ମଧ୍ୟରେ ୨୧୩ଟି ମ୍ୟାଚ୍‌ ଖେଳି ସାରିଲାଣି।

ଭାରତୀୟ ଟିମ

  • Published: Saturday, 02 December 2023
  • , Updated: 02 December 2023, 04:36 PM IST

ଟି-୨୦ରେ ନୂଆ ରେକର୍ଡ କରିଛି ଭାରତ। ଟି-୨୦ରେ ସର୍ବାଧିକ ବିଜୟ ହାସଲ କରିବାର ରେକର୍ଡ ଭାରତ ନିଜ ନାଁରେ ଯୋଡ଼ି ହୋଇଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ରାୟପୁର ଟି-୨୦ ଭାରତ ଜିତିବା ପରେ ଏପରି କୀର୍ତ୍ତିମାନ ହାସଲ କରିଛି। ଅଷ୍ଟ୍ରେଲିଆକୁ ଭାରତ ୨୦ ରନରେ କେବଳ ହରାଇ ନାହିଁ ବରଂ ୫ ଟିକିଆ ଟି-୨୦ ସିରିଜକୁ ଆଗୁଆ ୩-୧ରେ କବଜା ବି କରି ନେଇଛି।

ଟି-୨୦ ଅନ୍ତର୍ଜାତୀୟରେ ଏହା ଭାରତର ୧୩୬ତମ ବିଜୟ। ୨୦୦୬ରୁ ଟି-୨୦ ଖେଳି ଆସୁଥିବା ଭାରତୀୟ ଟିମ ଇତି ମଧ୍ୟରେ ୨୧୩ଟି ମ୍ୟାଚ୍‌ ଖେଳି ସାରିଲାଣି। ଏହା ମଧ୍ୟରୁ ଦଳ ୧୩୬ରେ ଜିତିଛି ଓ ୬୭ଟିରେ ହାରିଛି। ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ସେହିପରି ୩ଟି ମ୍ୟାଚ୍‌ର ରେଜଲ୍ଟ ବାହାରି ପାରିନାହିଁ।

ଟି-୨୦ରେ ଭାରତର ବିଜୟ ପ୍ରତିଶତ ୬୩.୮୪% ରହିଛି। ଏହି ରେକର୍ଡ ବିଜୟ ପରେ ପାକିସ୍ତାନ ପଛରେ ପଡ଼ି ଯାଇଛି। ପାକିସ୍ତାନ ୨୨୬ ମ୍ୟାଚରୁ ୧୩୫ଟି ବିଜୟ ସହ ସର୍ବାଧିକ ବିଜୟ ହାସଲ କରିଥିବା ଟିମ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

ଟି-୨୦ରେ ନିଜର ଦବଦବା ଦେଖାଇଥିବା ଦୁଇ ଏସୀୟ ଦେଶ ବ୍ୟତୀତ ତାଲିକାର ତୃତୀୟ ସ୍ଥାନରେ ୨୦୦ ମ୍ୟାଚରୁ ୧୦୨ ବିଜୟ ସହ ନ୍ୟୁଜିଲ୍ୟାଣ୍ଡ, ୯୫ ବିଜୟ ସହ ଅଷ୍ଟ୍ରେଲିଆ ୪ର୍ଥରେ ଓ ୧୭୧ ମ୍ୟାଚ୍‌ରୁ ୯୫ ବିଜୟ ସହ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ଅଛି।

ଅଷ୍ଟ୍ରଆଲିଆ ବିପକ୍ଷ ରାୟପୁର ମ୍ୟାଚ କଥା ବିଚାରକୁ ନେଲେ ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୭୪ ରନ କରିଥିଲା। ଏହାର ଜବାରେ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ କେବଳ ୧୫୪ ରନ କରିପାରିଥିଲା।

ଭାରତ ଏହି ମ୍ୟାଚ୍‌କୁ ୨୦ ରନ ଜିତିବା ସହ ୫ ଟିକିଆ ଟି-୨୦ ସିରିଜକୁ ଆଗୁଆ କବଜା କରିଥିଲା। ୪ ଓଭରରେ ୧୬ ରନ ଦେଇ ୩ ୱିକେଟ ନେଇଥିବା ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ।

Related story