ଜିମ୍ବାୱେ ୧୨୫ରେ ସଫା, ୪-୧ରେ ସିରିଜ ଜିତିଲା ଭାରତ

ବ୍ୟାଟିଂରେ ୧୨ ବଲରେ ୨୬ ରନ ଓ ବୋଲିଂରେ ଦୁଇଟି ୱିକେଟ ନେଇଥିବା ଶିବମ ଦୁବେଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। 

ଭାରତୀୟ ଟିମ

  • Published: Sunday, 14 July 2024
  • , Updated: 14 July 2024, 08:23 PM IST

ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟି-୨୦ ସିରିଜ୍‌ କବଜା କରିଛି ଭାରତୀୟ ଟିମ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି ନେଇଛି। ୫ମ ଟି-୨୦ ପୂର୍ବରୁ ହିଁ ଭାରତ ସିରିଜ୍‌କୁ ୩-୧ରେ ଜିତି ସାରିଥିଲା।

ଆଜି ଶେଷ ମ୍ୟାଚ୍‌କୁ ମଧ୍ୟ ଦଳ ୪୨ରେ ବାଜିମାତ କରିଛି। ଏଥିସହ ଟି-୨୦ କ୍ରିକେଟରେ ବିଶ୍ୱ ବିଜେତା ଭାରତ ନିଜ ଦବଦବା ଅକ୍ଷୁଣ୍ଣ ରଖିବାକୁ ସକ୍ଷମ ହୋଇଛି।

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା। ଦଳ ପାଇଁ ସଞ୍ଜୁ ସାମସନ ସର୍ବାଧିକ ୫୮ ରନର ଇନିଂସ ଖେଳିଥିଲେ। ୧୬୮ ରନର ପିଛା କରୁଥିବା ଘରୋଇ ଟିମ ଜିମ୍ବାୱେ ମୁକେଶ କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ୧୨୫ ରନରେ ଅଲଆଉଟ ହୋଇଯାଇଛି।

ମୁକେଶ କୁମାର ୩.୩ ଓଭରରେ ୨୨ ରନ ଦେଇ ୪ ୱିକେଟ ନେଇଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ତେବେ ବ୍ୟାଟିଂରେ ୧୨ ବଲରେ ୨୬ ରନ ଓ ବୋଲିଂରେ ଦୁଇଟି ୱିକେଟ ନେଇଥିବା ଶିବମ ଦୁବେଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେହିପରି ପୂରା ସିରିଜରେ ଦମ ଦେଖାଇଥିବା ୱାଶିଂଟନ ସୁନ୍ଦରଙ୍କୁ ପ୍ଲେୟାର ଅଫ ଦି ସିରିଜ ଘୋଷଣା କରାଯାଇଛି। 

୧୬୮ ରନକୁ ପିଛା କରୁଥିବା ଜିମ୍ବାୱେ ପ୍ରଥମ ଓଭରରେ ହିଁ ୱେସ୍‌ଲେ ମାଧେଭେରେଙ୍କୁ ହରାଇଥିଲା। ତାଙ୍କ ୱିକେଟ ମୁକେଶ କୁମାର ନେଇଥିଲେ। ବ୍ରାଏନ ବେନେଟ ୧୦ ରନ କରି ମୁକେଶ କୁମାରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ତୃତୀୟ ୱିକେଟ ପାଇଁ ତାଦିୱାନାଶେ ମାରୁମାନୀ ଓ ଡିଓନ ମେୟର୍ସ ସ୍ଥିତି ସମ୍ଭାଳି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ।

ଦଳୀୟ ସ୍କୋର ୫୯ ଥିବା ବେଳେ ମାରୁମାନୀ ୨୭ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ମେୟର୍ସ ୩୨ ବଲରେ ୩୪ ରନ କରି ଶିବମ ଦୁବେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଜୋନାଥନ କ୍ୟାମ୍ପବେଲଙ୍କ ସହ ବୁଝାମଣା ଅଭାବରୁ ଅଧିନାୟକ ସିକନ୍ଦର ରାଜା ମାତ୍ର ୮ ରନ କରି ରନ ଆଉଟ ହୋଇଥିଲେ।

ଏହାପରେ କ୍ୟାମ୍ପବେଲ ୪ ରନ କରି ଦୁବେଙ୍କ ଦ୍ୱିତୀୟ ଶିକାର ବନିଥିଲେ। କ୍ଲାଏଭ ମାଣ୍ଡାଡେ(୧) ମଧ୍ୟ ବେଶ କିଛି ପାରି ନଥିଲେ। ତାଙ୍କୁ ଅଭିଷେକ ଶର୍ମା ଆଉଟ କରିଥିଲେ। ବ୍ରାଣ୍ଡନ ମାଭାଉତ ୱିକେଟ ତୁଷାର ଦେଶପାଣ୍ଡେଙ୍କ ପାଖକୁ ଯାଇଛି।

ଫର୍ଜ ଆକରମ ୧୩ ବଲରେ ବିସ୍ଫୋରଣ ୨୭ ରନ କରିବାରୁ ଦଳ ୧୨୦ ରନ ପାର କରିବାକୁ ସକ୍ଷମ ହୋଇଥିଲା। ତାଙ୍କୁ ୧୯ତମ ଓଭରର ୨ ଦ୍ୱିତୀୟ ବଲରେ ମୁକେଶ କୁମାର ଆଉଟ ଜିମ୍ବାୱେର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ପରବର୍ତ୍ତୀ ବଲରେ ସେ ରିଚାର୍ଡ ନାଗାରାଭା(୦)ଙ୍କୁ ବୋଲ୍ଡ କରି ଜିମ୍ବାୱେ ଇନିଂସକୁ ୧୨୫ରେ ଶେଷ କରି ଦେଇଥିଲେ। ଜିମ୍ବାୱେ ୧୨୫ ରନ ଅଲଆଉଟ ହୋଇଯିବାରୁ ଭାରତ ୪୨ ରନରେ ମ୍ୟାଚ୍‌କୁ ଜିତି ନେଇଛି। 

 

Related story