Advertisment

ପ୍ରଥମ ଦିନିକିଆ: ଶ୍ରୀଲଙ୍କା ୨୩୦/୭, ଭାରତ ୨୩୦/୧୦

ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ୭ ୱିକେଟ ହରାଇ ୨୩୦ ରନ କରିଥିଲା। ଏହାର ଜବାବରେ ଭାରତ ୪୭.୫ ଓଭରରେ ସମସ୍ତ ୱିକେଟ ହରାଇ ସମାନ ୨୩୦ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
SL

SL

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ଆଶ୍ଚର୍ଯ୍ୟଜନକ ଭାବେ ଟାଇରେ  ଶେଷ ହୋଇଛି। ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ୭ ୱିକେଟ ହରାଇ ୨୩୦ ରନ କରିଥିଲା। ଏହାର ଜବାବରେ ଭାରତ ୪୭.୫ ଓଭରରେ ସମସ୍ତ ୱିକେଟ ହରାଇ ସମାନ ୨୩୦ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍‌ ଟାଇ ହୋଇଯାଇଛି।

Advertisment

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୮ ରନ କରିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି। ଶ୍ରୀଲଙ୍କାର ସ୍ପିନ ଯାଦୁରେ ଫସି ଭାରତୀୟ ବ୍ୟାଟର ଚିତପଟାଙ୍ଗ ମାରିଛନ୍ତି। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ପ୍ରଥମେ ୨୫ ରନ କରି ଶିବମ ଦୁବେ ଆଉଟ ହୋଇଥିଲେ।

ଏହାପରେ ପ୍ରଥମ ବଲରେ ଅର୍ଶଦୀପ ଆଉଟ ହୋଇଯିବାରୁ ଭାରତ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଛି। ଦୁଇଟି ବଲରେ ଦୁଇଟି ୱିକେଟ ନେଇ ଶ୍ରୀଲଙ୍କାର ନୂଆ ଅଧିନାୟକ ଚରିତ ଅସଲଙ୍କା କମାଲ କରିଛନ୍ତି।

Advertisment

ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ଦିନୁତ ୱେଲାଲାଗେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ଅପରାଜିତ ୬୭ ରନ କରିଥିବା ବେଳେ ବୋଲିଂରେ ୨ଟି ୱିକେଟ ମଧ୍ୟ ନେଇଛନ୍ତି। ତାଙ୍କ ବ୍ୟତୀତ ୱାନିନ୍ଦୁ ହସରଙ୍ଗା ଓ ଅସଲଙ୍କା ୩ଟି ଲେଖାଏ ସଫଳତା ପାଇଛନ୍ତି। ଅକିଳା ଧନଞ୍ଜୟ ଓ ଅସିତ ଫର୍ଣ୍ଣାଣ୍ଡୋଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

୨୩୧ ରନର ଟାର୍ଗେଟ ପାଇଥିବା ଭାରତକୁ ରୋହିତ ଶର୍ମା ଓ ଶୁବମନ ଗିଲ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ୱେଲାଲାଗେ ୧୬ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ରୋହିତ ଶର୍ମା ୫୮ କରି ୱେଲାଲାଗେଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବିରାଟ କୋହଲି ୨୪, ୱାଶିଂଟନ ସୁନ୍ଦର ୫ ଓ ଶ୍ରେୟସ ଆୟର ୨୩ ସମସ୍ତଙ୍କୁ ନିରାଶ କରିଥିଲେ।

କେଏଲ ରାହୁଲ ଓ ଅକ୍ଷର ପଟେଲ କିଛି ସମୟ ସ୍ଥିତି ସମ୍ଭାଳିଥିଲେ। ତେବେ ଦଳୀୟ ସ୍କୋର ୧୮୯ ରନ ଥିବା ବେଳେ ପ୍ରଥମେ ରାହୁଲ(୩୧) ଓ ପରେ ଦଳୀୟ ସ୍କୋର ୧୯୭ ଥିବା ବେଳେ ଅକ୍ଷର(୩୩) ଆଉଟ ହୋଇଯାଇଥିଲେ। ଭାରତକୁ ଜିତିବା ପାଇଁ ମାତ୍ର ୩୪ ରନର ଆବଶ୍ୟକତା ରହିଥିଲା। 

ଏତିକି ବେଳେ ଶିବମ ଦୁବେ ସ୍ଥିତି ସମ୍ଭାଳିଥିଲେ। ତାଙ୍କୁ କିଛି ସମୟ ପାଇଁ କୁଲଦୀପ ଯାଦବ(୧୦ ବଲରେ ୨) ଓ ପରେ ମହମ୍ମଦ ସିରାଜ(୧୧ ବଲରେ ଅପରାଜିତ ୫) ସାଥ ଦେଇଥିଲେ। ସେ ମଧ୍ୟ ଛକା ଓ ଚୌକା ମାରି ଭାରତର ସ୍କୋରକୁ ୨୩୦ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ୪୮ତମ ଓଭର ବୋଲିଂ କରୁଥିବା ଅସଲଙ୍କା ୨୫ ରନ କରିଥିବା ଦୁବେଙ୍କୁ ଆଉଟ କରି ଦେଇଥିଲେ।

ମ୍ୟାଚ୍‌ ଡ୍ର ହୋଇ ସାରିଥିବାରୁ ଭାରତ ବେଶ ଆରାମରେ ବିଜୟୀ ହେବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଅର୍ଶଦୀପ ବଡ଼ ଶଟ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ବଲ ସିଧା ତାଙ୍କ ଗୋଡ଼ରେ ବାଜିଥିଲା। ସେ ଏଲବିଡବ୍ଲ୍ୟୁ ହୋଇଯିବାରୁ ଭାରତ ସମାନ ୨୩୦ ରନରେ ଅଟକି ଯାଇଥିଲା।

Indian Cricket Team India Srilanka