Advertisment

ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ: ୨୦୦୩ ଓ ୨୦୨୩, କ’ଣ ସବୁ ରହିଛି ସମାନତା?

୨୦୦୩ ଓ ୨୦୨୩ ବିଶ୍ୱକପରେ କ’ଣ ସବୁ ସମାନତା ରହିଛି, ତା’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

author-image
Hemant Lenka
Rohit

Rohit

ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଦିନିକିଆ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ୨୦୦୩ରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ଦକ୍ଷିଣ ଆଫ୍ରିକାରେ ଖେଳିଥିଲେ।

Advertisment

ଏହି ମ୍ୟାଚ୍‌ରେ ଭାରତକୁ ହାରିବାକୁ ପଡ଼ିଥିଲା। ୨୦୧୫ ବିଶ୍ୱକପ ସେମି ଫାଇନାଲରୁ ମଧ୍ୟ ଭାରତକୁ ଅଷ୍ଟ୍ରେଲିଆ ବିଦା କରିଥିଲା। ଏବେ ଦୁଇ ନକଆଉଟ ପର୍ଯ୍ୟାୟରେ ଭାରତ ସମ୍ମୁଖୀନ ହୋଇଥିବା ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

ତେବେ ୨୦୦୩ ଓ ୨୦୨୩ ବିଶ୍ୱକପରେ କ’ଣ ସବୁ ସମାନତା ରହିଛି, ତା’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତଥାପି ଭାରତ ଇତିହାସ ବଦଳାଇ ତୃତୀୟ ଥର ପାଇଁ ବିଶ୍ୱ ବିଜେତା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

Advertisment

କୌଣସି ମ୍ୟାଚ୍‌ ନ ହାରି ଫାଇନାଲରେ ପ୍ରବେଶ

୨୦୦୩ ବିଶ୍ୱକପରେ ଅଷ୍ଟ୍ରେଲିଆ କ୍ରମାଗତ ୧୦ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ତା’ର ଦବଦବା ଦେଖାଇ ଫାଇନାଲରେ ଭାରତକୁ ହରାଇଥିଲା। ୨୦୨୩ ବିଶ୍ୱକପରେ ଭାରତ କ୍ରମାଗତ ୧୦ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ଏବେ ଭାରତ ସମ୍ନାରେ ଅଷ୍ଟ୍ରେଲିଆ ରହିଛି।

୨୦୦୩ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ୨୦୨୩ରେ ଭାରତ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ହରାଇଛି। ୨୦୦୩ରେ ଭାରତ କ୍ରମାଗତ ୮ଟି ବିଜୟ ସହ ଫାଇନାଲରେ ପ୍ରବେଶ କରିଥିଲା। ୨୦୨୩ରେ ଅଷ୍ଟ୍ରେଲିଆ କ୍ରମାଗତ ୮ ବିଜୟ ସହ ଫାଇନାଲ ଟିକେଟ ହାସଲ କରିଛି।

ଉଭୟ ବିଶ୍ୱକପରେ ରାହୁଲ ଭାରତ ୱିକେଟ କିପର୍‌

୨୦୦୩ ବିଶ୍ୱକପରେ ରାହୁଲ ଡ୍ରାଭିଡ ଭାରତୀୟ କ୍ରିକେଟ ଟିମର ୱିକେଟ କିପର ଭୂମିକାରେ ରହିଥିଲେ। ପାର୍ଟ ଟାଇମ କିପର ଭାବେ ଜଣାଶୁଣା ରାହୁଲ ବିଶ୍ୱକପରେ ହଠାତ୍‌ ୱିକେଟ କିପିଂ ଭୂମିକାରେ ରହିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ତଥାପି ରାହୁଲ ଦମଦାର କିପିଂ କରିବା ସହ ବ୍ୟାଟିଂରେ ମଧ୍ୟ ଜଲୱା ଦେଖାଇଥିଲେ। ୧୧ଟି ମ୍ୟାଚରେ ରାହୁଲ ଡ୍ରାଭିଡ ୩୧୮ ରନ କରିଥିଲେ।

୨୦୨୩ରେ ଆଉ ଜଣେ ରାହୁଲ ମଧ୍ୟ ସମାନ କାମ କରିଛନ୍ତି। ଏଥର କେଏଲ ରାହୁଲ ଭାରତ ପାଇଁ ୱିକେଟ କିପିଂ କରୁଛନ୍ତି। ଋଷଭ ପନ୍ତ ବିଶ୍ୱକପ ପାଇଁ ଉପଲବ୍ଧ ନ ହେବାରୁ ରାହୁଲଙ୍କ ଉପରେ ଦଳ ଭରସା କରିଥିଲା। ସେ ଦମଦାର କିପିଂ କରିବା ସହ ୧୦ ମ୍ୟାଚ୍‌ରେ ୩୮୬ ରନ କରିଛନ୍ତି।

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ୨୦୦୩ରେ ରାହୁଲ ଡ୍ରାଭିଡ ଉପ ଅଧିନାୟକ ଥିଲେ। ୨୦୨୩ରେ କେଏଲ ରାହୁଲ ଉପ ଅଧିନାୟକ ରହିଛନ୍ତି। ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ କରାଯାଇଥିଲା। କିନ୍ତୁ ସେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାରୁ ରାହୁଲଙ୍କୁ ରୋହିତ ଶର୍ମାଙ୍କ ଡେପୁଟି ପଦ ମିଳିଛି।

ସର୍ବାଧିକ ରନ ହାସଲକାରୀ ଜଣେ ଭାରତୀୟ

୨୦୦୩ ବିଶ୍ୱକପରେ ଜଣେ ଭାରତୀୟ ବ୍ୟାଟର ସର୍ବାଧିକ ରନ ହାସଲକାରୀ ଥିଲେ। ୨୦୨୩ରେ ମଧ୍ୟ ଜଣେ ଭାରତୀୟଙ୍କ ନାଁରେ ଲିଡିଂ ରନ ସ୍କୋରର ମାନ୍ୟତା ରହିଛି। ୨୦୦୩ରେ ସଚିନ ତେନ୍ଦୁଲକର ଭାରତ ପାଇଁ ୬୭୩ ରନ କରିଥିଲେ। ୨୦୨୩ରେ ବିରାଟ କୋହଲି ୭୧୧ ରନ କରି ଚଳିତ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଛନ୍ତି।

ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ

୨୦୦୩ ବିଶ୍ୱକପ ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହୋଇଥିଲା। ୨୦୨୩ରେ ମଧ୍ୟ ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ରହିଛି। ୨୦୦୩ରେ ଅଷ୍ଟ୍ରେଲିଆ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଖେଳିବା ସହ ତୃତୀୟ ଥର ପାଇଁ ବିଶ୍ୱକପ ଜିତିଥିଲା। ଭାରତ ୨୦୨୩ରେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଖେଳୁଛି। ଭାରତ ଯଦି ଜିତିବ, ତା’ହେଲେ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ବନିଯିବ।

ଭାରତ ୧୯୮୩ ଓ ୨୦୧୧ରେ ଦୁଇଥର ବିଶ୍ୱକପ ଜିତିଛି। ୨୦୨୩ରେ ମଧ୍ୟ ଦଳ ପାଖରେ ବିଶ୍ୱକପ ଜିତିବାର ସବୁ ପ୍ରକାରର କଳା ରହିଛି। ଅଷ୍ଟ୍ରେଲିଆ ଯେଉଁଭଳି ଭାବେ ୨୦୦୩ରେ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ଧରାଶାୟୀ କରୁଥିଲା, ଏବେ ଭାରତ ମଧ୍ୟ ସମାନ ପ୍ରଦର୍ଶନ କରୁଛି। ତେଣୁ ଭାରତ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ବିଶ୍ୱକପ ଜିତିବ ବୋଲି ସମସ୍ତେ ଆଶା ରଖିଛନ୍ତି।

India Vs Australia ICC ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup ICCC World Cup ICC WC