ଘରୋଇ ମାଟିରେ ଭାରତର ବିପର୍ଯ୍ୟୟ ଘଟାଇଛି ନ୍ୟୁଜିଲ୍ୟାଣ୍ଡ। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଇନିଂସରେ ୫୦ ରନ୍ ବି କରିପାରିନି ଭାରତ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛନ୍ତି ରୋହିତ୍ ବାହିନୀ। କୌଣସି ଜଣେ ବ୍ୟାଟର ବଡ଼ ସ୍କୋର୍ କରିପାରି ନ ଥିବାବେଳେ ପାଞ୍ଚ ଜଣ ଖାତା ଖୋଲି ନପାରି ପାଭିଲିଅନ ଫେରିଛନ୍ତି।
ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ଗତକାଲିଠାରୁ ମ୍ୟାଚ୍ ଆରମ୍ଭ ହୋଇ ଥିବାବେଳେ ପ୍ରଥମ ଦିନର ଖେଳକୁ ବର୍ଷା ଧୋଇ ନେଇଥିଲା। ବର୍ଷା ଲାଗି ରହିବାରୁ ମ୍ୟାଚ୍ ଆରମ୍ଭ ହୋଇପାରି ନଥିଲା
ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର 46 ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି, ୧୧ ଜଣ ମିଶି ୫୦ ରନ୍ ବି କରି ପାରିନାହାନ୍ତି।
କେବଳ ଯଶସ୍ୱୀ ଜୟସ୍ୱାଲ ଏବଂ ଋଷଭ ପନ୍ତ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଉଭୟ ଯଥାକ୍ରମେ ୧୩ ଏବଂ ୨୦ ରନ୍ କରିଛନ୍ତି। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି, ପାଞ୍ଚ ଜଣ ଖେଳାଳି ଖାତା ଖୋଲି ପାରିନାହାନ୍ତି। ବିରାଟ କୋହଲି, ଶର୍ଫରାଜ ଖାନ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଶୂନରେ ଆଉଟ୍ ହୋଇ ଯାଇଛନ୍ତି।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୨, କୁଳଦୀପ ଯାଦବ ୨, ଯଶପ୍ରୀତ ବୁମରା ୧ ଏବଂ ମହମ୍ମଦ ସିରାଜ ୪ ରନ୍ (ଅପରାଜିତ) କରିଥିଲେ। ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଟକି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।