ବିକ୍ରି ଆରମ୍ଭ ହେବାର କିଛି ମିନିଟ ମଧ୍ୟରେ ଶେଷ ହୋଇଯାଇଛି ଭାରତ-ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ର ଟିକେଟ। ସୋମବାର ସନ୍ଧ୍ୟାରେ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। କିନ୍ତୁ ବିକ୍ରି ଆରମ୍ଭ ହେବାର ମାତ୍ର ୨୦ ମିନିଟଚ ମଧ୍ୟରେ ସବୁ ଟିକେଟ ଶେଷ ହୋଇଯାଇଛି। ଦୁବାଇରେ ଖେଳା ଯାଉଥିବା ମ୍ୟାଚ ପାଇଁ ଫ୍ୟାନ୍ସ ଏତେ ଉତ୍ସାହିତ ରହିଥିଲେ ଯେ ପ୍ରାୟ ୧,୫୦,୦୦୦ କ୍ରିକେଟ ପ୍ରେମୀ ଅନଲାଇନରେ ନିଜର ନମ୍ବର ଆସିବା ଯାଏ ଧାଡ଼ି ବାନ୍ଧି ଅପେକ୍ଷା କରି ରହିଥିଲେ। ସେମାନେ ଟିକେଟ ଆଶାରେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିଥିଲେ ହେଁ ଅଧିକାଂଶ ଫ୍ୟାନ୍ସକୁ ନିରାଶ ହେବାକୁ ପଡ଼ିଛି।
ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳା ଯାଉଛି। ଭାରତ ତା’ର ମ୍ୟାଚଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳିବ। ଏହା ଫେବୃଆରୀ ୨୩ରେ ଅନୁଷ୍ଠିତ ହେବ। ଗ୍ରୁପ ଷ୍ଟେଜର ଏହି ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ଦେଖିବା ପାଇଁ ଫ୍ୟାନ୍ସ ଏବେ ଠାରୁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି।
ସ୍ଥାନୀୟ ଲୋକ ଓ କ୍ରିକେଟ ପ୍ରେମୀ ଭାରତ-ପାକିସ୍ତାନ ମ୍ୟାଚ୍ର ଟିକେଟ ପାଇଁ ଥିବା ଉତ୍ସାହକୁ ଦେଖି ପୂରା ଚକିତ ହୋଇଯାଇଛନ୍ତି। ଦୁବାଇରେ ରହୁଥିବା ସୁଧାଶ୍ରୀ କହିଛନ୍ତି, “ମୁଁ ଲମ୍ବା ଧାଡ଼ିର ଆଶା କରିଥିଲି। କିନ୍ତୁ ଯେଉଁଭଳି ଦ୍ରୁତଗତିରେ ଟିକେଟ ଶେଷ ହୋଇଗଲା, ତାହା ଆଶ୍ଚର୍ଯ୍ୟଜନକ। ମୁଁ ଟିକେଟ ବୁକିଂ ପାଇଁ ସ୍ଲଟ ପାଇବା ବେଳେ କେବଳ ଦୁଇଟି ବର୍ଗର ଟିକେଟ ରହିଥିଲା। କିନ୍ତୁ ଉଭୟ ବର୍ଗର ଟିକେଟ ଦାମ ମୋ ବଜେଟ ବାହାରେ ରହିଥିଲା।”
ଫ୍ୟାନ୍ସ ପାଇଁ ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ଅପେକ୍ଷା କରିଥିଲେ ସବୁ ବର୍ଗର ଟିକେଟ ମାତ୍ର କିଛି ମିନିଟରେ ବିକ୍ରି ହୋଇଯାଇଥିଲା। ଏହା ମଧ୍ୟରେ ଥିବା ୪୭,୪୩୪ ଟଙ୍କିଆ ପ୍ଲାଣ୍ଟିନମ ଓ ୧.୮ ଲକ୍ଷ ଟଙ୍କିଆ ଗ୍ରାଣ୍ଡ ଲାଉଞ୍ଜ ସେକସନ ଟିକେଟ ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଟିକେଟ ଦାମ ୧ ଲକ୍ଷରୁ ଅଧିକ ହୋଇଥିଲେ ହେଁ, ସେଗୁଡ଼ିକୁ ମଧ୍ୟ ଲୋକମାନେ ଆଖି ପିଛୁଳାକେ କିଣି ନେଇଛନ୍ତି। ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମର କ୍ଷମତା ମାତ୍ର ୨୫ ହଜାର। ତେଣୁ ଏହାକୁ ନେବାକୁ ଫ୍ୟାନ୍ସମାନେ ବେଶ ବ୍ୟାକୁଳ ହୋଇପଡ଼ିଥିଲେ।
ଭାରତ-ପାକିସ୍ତାନ ମ୍ୟାଚ୍ରେ କେବଳ ଜୋରଦାର କ୍ରିକେଟ ଲଢ଼େଇ ଦେଖିବାକୁ ମିଳେନାହିଁ, ବରଂ ଏହା ଅର୍ଥନୀତିକ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ମ୍ୟାଚ ପାଇଁ ଦର୍ଶକଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳରେ ହୋଟେଲ, ଗାଡ଼ି ଓ ପର୍ଯ୍ୟଟନ ଶିଳ୍ପର ଚାହିଦା ବଢ଼ିଥାଏ। ସ୍ଥିତିକୁ ଦେଖି ହୋଟେଲ ବୁକିଂ ଦାମ ଓ ବିମାନ ଟିକେଟର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଲାଣି।
ଦିନିକିଆ ଫର୍ମାଟରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାକିସ୍ତାନ କରୁଛି। କିନ୍ତୁ ଭାରତ ସେଠାକୁ ଯିବାକୁ ମନା କରିବାରୁ ଏବେ ନିଜର ମ୍ୟାଚଗୁଡ଼ିକ ଦୁବାଇରେ ଖେଳିବ। ଟୁର୍ଣ୍ଣାମେଣ୍ଟ ୧୯ ତାରିଖରୁ ଆରମ୍ଭ ହେଉଛି। ସେହିପରି ୧୯ ଦିନ ମଧ୍ୟରେ ୮ଟି ଯାକ ଟପ୍ ଟିମ ୧୫ଟି ମ୍ୟାଚ୍ ଖେଳିବେ।
ଗ୍ରୁପ ଏରେ ଭାରତ ଓ ପାକିସ୍ତାନ ବ୍ୟତୀତ ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି। ସେହିପରି ଗ୍ରୁପ ବି’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି। ଆୟୋଜକ ପାକିସ୍ତାନ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବ।
କାରଣ ୨୦୧୭ରେ ଖେଳା ଯାଇଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦଳ ପ୍ରତିପକ୍ଷ ଭାରତକୁ ହରାଇ ଦେଇ ଟ୍ରଫି ଜିତିଥିଲା। ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ୧୯୯୬ ବିଶ୍ୱକପ ପରେ ପାକିସ୍ତାନ ନିଜ ଦେଶରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି।