ପାକିସ୍ତାନ
ଆଇସିସିକୁ ତୋଡ଼ ଦେଖାଉଥିବା ପାକିସ୍ତାନର ସବୁ ଗର୍ବ ଏବେ ଭାଙ୍ଗି ଚୂରମାର ହୋଇ ଯାଇଛି। ଟି-୨୦ ବିଶ୍ୱକପ(T20 World Cup)ରେ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ କରିବା ପଛରେ ‘ଅପ୍ରତ୍ୟାଶିତ ଘଟଣା’ କ୍ଲଜ ବ୍ୟବହାର କରିବା ପରେ ଆକ୍ସନ ମୋଡକୁ ଆସିଛି ଆଇସିସି।
ପାକିସ୍ତାନ କ୍ରିକେଟ ବୋର୍ଡକୁ ଆଇସିସି ଅପ୍ରତ୍ୟାଶିତ କ୍ଲଜର କାରଣ ପଚାରିବା ସହ କଟକଣା ଲଗାଇବାର ଧମକ ଦେଇଛି। ଆଇସିସିର କଟକଣା ଚେତାବନୀ ପରେ ପିସିବି ସ୍ୱରକୁ ନରମ କରିଛି। ଏଥିସହ ଆଇସିସି ସହ ଆଲୋଚନା କରିବାକୁ ଆଗେଇ ଆସିଥିବା ଜଣାପଡ଼ିଛି।
ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷରେ ମ୍ୟାଚ୍ ନ ଖେଳିବାକୁ ପାକିସ୍ତାନ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ ପିସିବି ବିଧିବଦ୍ଧ ଭାବେ ଆଇସିସିକୁ ଅବଗତ କରାଇଛି। ଭାରତ ବିପକ୍ଷରେ ନ ଖେଳିବା ପାଇଁ ପିସିବି ଦେଇଥିବା କାରଣକୁ ଆଇସିସି ଗ୍ରହଣ କରିନାହିଁ। ଏଥିସହ ପିସିବିକୁ ଆଇସିସି ଜବାବ ତଲବ କରିବା ପରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ପାକିସ୍ତାନ କଟକଣା ଭୟରେ ନିଜ ଆଭିମୁଖ୍ୟକୁ ବଦଳାଇବାର ସଙ୍କେତ ବି ଦେଇଛି।
ଏହି ପ୍ରସଙ୍ଗ ସହ ଜଡ଼ିତ ସୂତ୍ରରେ କୁହାଯାଇଛି ଯେ ପୂର୍ବରୁ ଆଇସିସି ଯେଉଁଭଳି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିଥିଲା, ଏବେ ସେହି ଆଧାରରେ ଏହାକୁ ମଧ୍ୟ ବିଚାର କରୁଛି। ଟି-୨୦ ବିଶ୍ୱକପର ଅପବିତ୍ରତାକୁ ଅକ୍ଷୁଣ୍ଣ ରଖିବା ସହ ଖେଳାଳିଙ୍କ କଲ୍ୟାଣ, ଫ୍ୟାନ୍ସଙ୍କ ସ୍ୱାର୍ଥ ଓ ସାଂଗଠନିକ ନରପେକ୍ଷତାକୁ ଦୃଷ୍ଟିରେ ରଖି ଆଇସିସି ପଦକ୍ଷେପ ନେଉଛି।
ପାକିସ୍ତାନ ସରକାର ପ୍ରଥମେ ସୋଶାଲ ମିଡିଆରେ ଘୋଷଣା କରିଥିଲେ ଯେ ଭାରତ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନ କ୍ରିକେଟ ଟିମ ପଡ଼ିଆକୁ ଓହ୍ଲାଇବ ନାହିଁ। ଏହାପରେ ପିସିବି ପକ୍ଷରୁ ଅପ୍ରତ୍ୟାଶିତ ଘଟଣା କ୍ଲଜକୁ ବ୍ୟବହାର କରି ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ବୋଲି ଆଇସିସିକୁ ଜଣାଇଥିଲେ। ଏଥିରେ ସରକାରଙ୍କ ବିବୃତି ରହିଥିଲେ ହେଁ ବୟକଟର ପ୍ରକୃତ କାରଣ ଲେଖା ନଥିଲା।
ଏହାକୁ ଆଇସିସି ବେଶ ଯତ୍ନର ସହ ବିଚାରକୁ ନେଇଛି। ପିସିବିର ଦାବିକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରିବା ବଦଳରେ କେମିତି ଅପ୍ରତ୍ୟାଶିତ ଘଟଣା କ୍ଲଜ ପୂରା ଘଟଣାରେ ଲାଗୁ ହେବ, ତା’ର ଜବାବ ମାଗିଛି। କେମିତି କେବଳ ଗୋଟିଏ ମ୍ୟାଚ୍ ପାଇଁ ଏହି କ୍ଲଜ ଲାଗୁ ହେବ ଓ ବାକି ଟୁର୍ଣ୍ଣାମେଣ୍ଟ ପାଇଁ ଏହା ଲାଗୁ ହେବନାହିଁ, ସେକଥା ପସିବିକୁ ପଚାରିଛି ଆଇସିସି।
ସେହିପରି ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ପାକିସ୍ତାନ କୌଣସି ବିକଳ୍ପ ପଦକ୍ଷେପ ନେଇଥିଲା କି? ଆଇସିସି ପାଖରେ ଏହାର ସାମାଧାନ ପାଇଁ କୌଣସି ପ୍ରସ୍ତାବ ଦେଇଥିଲା କି? ବିନା କୌଣସି ପ୍ରସ୍ତବାରେ କେମିତି କେବଳ ଗୋଟିଏ ମ୍ୟାଚକୁ ବୟକଟ ପାଇଁ ପାକିସ୍ତାନ ନିଷ୍ପତ୍ତି ନେଲା ବୋଲି ଆଇସିସି ପ୍ରଶ୍ନ କରିଛି।
ଆଇସିସିର ପକ୍ଷରୁ ଜବାବ ମଗା ଯିବା ପରେ ପିସିବି ଆଲୋଚନା ପାଇଁ ଆଗେଇ ଆସିଛି। ଆଇସିସି ବିଧିବଦ୍ଧ ଭାବେ ଆଲୋଚନା ଆରମ୍ଭ ହୋଇଥିବା କଥାକୁ ସ୍ୱୀକାର କରିଛି ଓ ଗଠନମୂଳକ ସମାଧାନ ପାଇଁ ବିଚାର ଚାଲିଥିବା କହିଛି।
ଅପ୍ରତ୍ୟାଶିତ ଘଟଣା କ’ଣ?
Force majeure ବା ଅପ୍ରତ୍ୟାଶିତ ଘଟଣା ଗୋଟିଏ ସର୍ତ୍ତମୂଳକ ନିୟମ। ଏହି ନିୟମ ଆଧାରରେ ଗୋଟିଏ ପକ୍ଷ ନିଜର ପୂର୍ବ ପ୍ରତିଶ୍ରୁତିରୁ ନିଜ ନିୟନ୍ତ୍ରଣ ବାହାରେ ଥିବା ସ୍ଥିତିକୁ କାରଣ ଦର୍ଶାଇ ଓହରି ପାରିବ। ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ସରକାରୀ କାର୍ଯ୍ୟାନୁଷ୍ଠାନ ଏହା ମଧ୍ୟରେ ରହିଛି। ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଭାବିତ ପକ୍ଷକୁ ବିଧିବଦ୍ଧ ଭାବେ ଏହାର କାରଣ ଦର୍ଶାଇବାକୁ ପଡ଼ିବ।
କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ କାରଣ ନଥାଇ ଏହାକୁ ବ୍ୟବହାର କଲେ ଏଥିପାଇଁ ଗୁରୁତର ଆଇନଗତ ଓ ବ୍ୟବସାୟିକ ପରିଣାମର ସାମ୍ନା କରିବାକୁ ପଡ଼ିବ। ଖାସ ଆଇନଗତ ଓ ବ୍ୟବସାୟିକ ପରିଣାମ ପାଇଁ ପିସିବି ଏବେ ଆଇସିସି ସହ ଆଲୋଚନା କରିବାକୁ ଆଗେଇ ଆସିଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/07/pakistan-12-2026-02-07-19-33-34.jpg)