/odisha-reporter/media/post_attachments/uploadimage/library/16_9/16_9_0/asia_Cup_1753535285.jpg)
asia Cup
ଆସନ୍ତା ସେପ୍ଟେମ୍ବର ୧୪ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଏସିଆ କପ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ବେଳେ ୧୪ ତାରିଖ(ରବିବାର)ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମୁକାବିଲା। ଏହି ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ଲଢ଼େଇ ଦେଖିବାକୁ ମିଳିବ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ଦୁଇ ଦେଶ ପରସ୍ପର ବିରୋଧରେ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ସେହିପରି ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ କୌଣସି କ୍ରିକେଟ ମ୍ୟାଚ୍ ଖେଳିବେ।
ଏସିଆ କପ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ବେଳେ ଫାଇନାଲ ସେପ୍ଟେମ୍ବର ୨୮ରେ ଖେଳାଯିବ। ପାକିସ୍ତାନକୁ ଭେଟିବା ପୂର୍ବରୁ ଭାରତ ନିଜର ପ୍ରଥମ ମ୍ୟାଚ୍ ୧୦ ତାରିଖରେ ୟୁଏଇ ବିରୋଧରେ ଖେଳି ନିଜର ଏସିଆ କପ ଅଭିଯାନ ଆରମ୍ଭ କରିବ। ସେହିପରି ୧୨ ତାରିଖରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ଲଢ଼େଇ କରିବେ। ଭାରତ ତା’ର ଶେଷ ଗ୍ରୁପ ମ୍ୟାଚ୍ ୧୯ ତାରିଖରେ ଓମାନ ବିରୋଧରେ ଖେଳିବ। ଭାରତ, ପାକିସ୍ତାନ, ଓମାନ ଓ ୟୁଏଇ ଏସିଆ କପର ଗ୍ରୁପ ଏରେ ରହିଛନ୍ତି।
ଗ୍ରୁପ ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ରହିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ପ୍ରତିଟି ଦଳ ୩ଟି ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ପ୍ରତିଟି ଗ୍ରୁପରୁ ଶ୍ରେଷ୍ଠ ୨ଟି ଲେଖାଏ ଦଳ ପରବର୍ତ୍ତୀ ରାଉଣ୍ତକୁ ଯିବେ। ସେଠାରେ ରାଉଣ୍ଡ ରବିନ ଫର୍ମାଟରେ ପ୍ରତି ଦଳ ପରସ୍ପର ସହ ୨ଟି ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ଟପ୍ ୨ଟି ଦଳ ମଧ୍ୟରେ ଟ୍ରଫି ଟକ୍କର ହେବ।
ଭାରତ ଏସିଆ କପ ଆୟୋଜନ କରୁଛି। କିନ୍ତୁ ଭାରତ ବଦଳରେ ଏସିଆ କପ ୨୦୨୫ ଟି-୨୦ ଫର୍ମାଟରେ ୟୁଏଇରେ ଖେଳାଯିବ। ଏସିଆ କପ ୨୦୨୫ର ସମସ୍ତ ମ୍ୟାଚ୍ ଦୁବାଇ ଓ ଅବୁଧାବିରେ ଖେଳାଯିବ। ଭାରତ ଯଦିଓ ଏସିଆ କପର ହୋଷ୍ଟ, କିନ୍ତୁ ମ୍ୟାଚ୍ ଗୁଡ଼ିକ ବିସିସିଆଇ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବ।
ଏସିଆ କପ ଏଥର ଟି-୨୦ ଫର୍ମାଟରେ ଖେଳାଯିବ। ଭାରତ ସମେତ ମୋଟ ୮ଟି ଟିମ ଏଥିରେ ଭାଗ ନେବେ। ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ହଂକଂ, ୟୁଏଇ ଓ ଓମାନ ଏସିଆ କପ ୨୦୨୫ରେ ନଜର ଆସିବେ।
ଭାରତ ଓ ପାକିସ୍ତାନ ସମାନ ଗ୍ରୁପରେ ରହିଛନ୍ତି। ଏହାର ଅର୍ଥ ଦୁଇ ଦଳ ମଧ୍ୟରେ ୩ ଥର ଲଢ଼େଇ ହେବାର ସମ୍ଭାବନା ରହିଛି। ଲିଗ ଷ୍ଟେଜ, ସୁପର ୪ ଓ ଫାଇନାଲରେ ଦୁଇ ଦଳର ଟକ୍କର ଦେଖିବାକୁ ମିଳିପାରେ। କିନ୍ତୁ ସବୁ କିଛି ଯୋଗ୍ୟତା ଅର୍ଜନ ଉପରେ ନିର୍ଭର କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
