BCCI
ଥିରୁଅନନ୍ତପୁରମ: ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଟି-୨୦ ସିରିଜ ଜିତିଥିବା ଭାରତ ଆଜିଠାରୁ ଦକ୍ଷିଣ ଆଫ୍ରିବା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ କେରଳର ଥିରୁଅନନ୍ତପୁରମରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।
ଟି-୨୦ ବିଶ୍ୱକପ ପୂର୍ବରୁ ଏହା ଭାରତର ଶେଷ ଟି-୨୦ ସିରିଜ୍। ଭାରତ ବିଜୟ ସହ ବିଶ୍ୱକପ ପୂର୍ବ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକା ଏଯାଏ ଭାରତରେ କୌଣସି ଟି-୨୦ ସିରିଜ୍ ହାରି ନାହିଁ। ତେଣୁ ଦୁଇ ଦେଶ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।
ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତୀୟ ସ୍କ୍ୱାଡରେ ଉମେଶ ଯାଦବ, ଶ୍ରେୟସ ଆୟର ଓ ଶାହବାଜ ଅହମଦଙ୍କୁ ସାମିଲ କରାଯାଇଛି। ହାର୍ଦ୍ଦିକ ପାଣ୍ତ୍ୟା ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦୀପକ ହୁଡ୍ଡା ଆହତ ହୋଇଛନ୍ତି। ସେହିପରି ମହମ୍ମଦ ଶାମି ଏଯାଏ କରୋନାରୁ ସୁସ୍ଥ ହୋଇ ନାହାନ୍ତି। ତେଣୁ ବିସିସିଆଇ ଶ୍ରେୟସ, ଅହମଦ ଓ ଉମେଶଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ସ୍କ୍ୱାଡରେ ସାମିଲ କରିଛି।
ଟିମ ଇଣ୍ଡିଆ ବିଶ୍ୱକପ ପୂର୍ବରୁ ତା’ର ବୋଲିଂ ବାହିନୀରେ ଥିବା ଦୋଷ ଦୁର୍ବଳତା ସଜାଡ଼ିବାକୁ ଲକ୍ଷ୍ୟ ରଖିଛି। ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ କମବ୍ୟାକ କରିଥିଲେ। ହେଲେ ସେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ରେ ବୁମ୍ରା ୪ ଓଭରରେ ୫୦ ରନ ଖର୍ଚ୍ଚ କରିଥିଲେ।
ସେହିପରି ହର୍ଷଲ ପଟେଲ ମଧ୍ୟକ୍ରମାଗତ ଭାବେ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଏପରି ସ୍ଥିତିରେ ଅର୍ଶଦୀପ ସିଂହ ଏକମାତ୍ର ଭରଷା। ସେ ୱିକେଟ ଦଖଲ କରିପାରୁ ନଥିଲେ ମଧ୍ୟ ରନ ଚାପିବାରେ ବେଶ ମାହିର। ତାଙ୍କ ସହ ସ୍କ୍ୱାଡରେ ଦୀପକ ଚହର ମଧ୍ୟ ରହିଛନ୍ତି।
ଆଜି ଭୁବିଙ୍କ ବଦଳରେ ଅର୍ଶଦୀପ କିମ୍ବା ଦୀପକ ଚହର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ କିଏ ଖେଳିବେ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଅଲରାଉଣ୍ଡର ଭାବେ ଅକ୍ଷର ପଟେଲଙ୍କ ସହ ରବିଚନ୍ଦ୍ରନ ଅଶ୍ୱିନ ସ୍କ୍ୱାଡରେ ଅଛନ୍ତି। ଅହମଦଙ୍କୁ ମଧ୍ୟ ଅଲରାଉଣ୍ଡ ଭାବେ ଚୟନ କରାଯାଇଛି। କିନ୍ତୁ ସେ କେବଳ ବାମହାତୀ ସ୍ପିନର ବୋଲର। ପୂର୍ବରୁ ଦଳ ପାଖରେ ଅକ୍ଷର ଅଛନ୍ତି। ତେଣୁ ଅହମଦଙ୍କୁ ସୁଯୋଗ ମିଳିବା କଷ୍ଟକର। ଅକ୍ଷର ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦମଦମାର ବୋଲିଂ କରିଥିଲେ।
ଅଶ୍ୱିନ ଦୀର୍ଘଦିନ ହେଲା ସ୍କ୍ୱାଡରେ ରହୁଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉ ନାହାନ୍ତି। ତେଣୁ ଆଜି ଭାରତ ୩ ସ୍ପିନର ଅକ୍ଷର, ଅଶ୍ୱିନ ଓ ୟୁଜି ଚହଲଙ୍କ ସହ ମୈଦାନକୁ ଓହ୍ଲାଇ ପାରେ। ଏପରି ହେଲେ ଋଷଭ ପନ୍ତଙ୍କୁ ପୁଣି ବେଞ୍ଚରେ ବସିବାକୁ ପଡ଼ିବ। କାରଣ ଦୀନେଶ କାର୍ତ୍ତିକଙ୍କ ଅଭିଜ୍ଞତାକୁ ଟିମ ମ୍ୟାନେଜମେଣ୍ଟ ବିଶ୍ୱକପରେ ବ୍ୟବହାର କରିବାକୁ ଚାହୁଁଛି।
ବିରାଟ କୋହଲି ଓ ରୋହିତ ଶର୍ମା ଫର୍ମକୁ ଫେରିବା ଭାରତୀୟ ଟିମକୁ ଆଶ୍ୱସ୍ତ କରିଛି। ତେବେ କେଏଲ ରାହୁଲଙ୍କ ପାଖରେ କମବ୍ୟାକର ସୁଯୋଗ ଆଜି ରହିଛି। ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ମଧ୍ୟକ୍ରମର ବ୍ୟାଟିଂ ନିର୍ଭର କରିବ। କାରଣ ଏହି ସିରିଜରେ ପାଣ୍ତ୍ୟା ୫ନଂରେ ବ୍ୟାଟିଂ କରିବାକୁ ନାହାନ୍ତି। ଯଦି ଅଶ୍ୱିନଙ୍କୁ ଦଳ ଖେଳାଇବ, ତା’ହେଲେ ବ୍ୟାଟର ଶଟ ପଡ଼ିବେ। ଏପରି ସ୍ଥିତିର ଦଳ ପନ୍ତଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ପନ୍ତ ଖେଳିଲେ ଅର୍ଶଦୀପ ଓ ହର୍ଷଲ ପଟେଲଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ। ନଚେତ ଭାରତ ୨ ସ୍ପିନର ଓ ୩ ପେସରଙ୍କ ସହ ମୋଟ ୫ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ତେଣୁ ଟିମ କମ୍ବିନେସନ କ’ଣ ରହୁଛି, ତା’ ଉପରେ ସମସ୍ତେ ନଜର ରଖିଛନ୍ତି।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତରେ ଆଉ ଗୋଟିଏ ଟି-୨୦ ସିରିଜ ଜିତିବା ମୁଡରେ ରହିଛି। ୨୦୧୯ ଓ ୨୦୨୨ରେ ଦଳ ଖେଳିଥିବା ଟି-୨୦ ସିରିଜ୍ ଡ୍ର ରହିଥିଲା। ୨୦୧୫ରେ ଦଳ ଶେଷଥର ପାଇଁ ଏଠାରେ ସିରିଜ ଜିତିଥିଲା। ତେଣୁ ଭାରତରେ ଆଉ ଏକ ସିରିଜ୍ ଜିତିବା ମୁଡରେ ତେମ୍ବା ବଭୂମା ଆଣ୍ଡ କୋ ରହିଛନ୍ତି।
ଉଭୟ ଦେଶ ପରସ୍ପର ସହ ଏଯାଏ ୨୦ଟି ଟି-୨୦ ଖେଳିଥିବା ବେଳେ ଭାରତ ୧୧ଟି ଓ ଦକ୍ଷିଣ ଆଫ୍ରିକା ୮ଟିରେ ଜିତିଛି। ଗୋଟିଏର ରେଜଲ୍ଟ ବର୍ଷା ଯୋଗୁ ବାହାରି ପାରି ନାହିଁ। ଭାରତରେ କିନ୍ତୁ ଦକ୍ଷିଣ ଆଫ୍ରିକାର ପଲ୍ଲାଭାରୀ ରହିଛି। ଏଠାରେ ଖେଳାଯାଇଥିବା ୯ଟି ମ୍ୟାଚ୍ରୁ ଭାରତ ମାତ୍ର ୩ଟି ଜିତିଛି। ଦକ୍ଷିଣ ଆଫ୍ରିକା ୫ଟି ଜିତିଥିବା ବେଳେ ଗୋଟିଏର ରେଜଲ୍ଟ ବାହାରିପାରି ନାହିଁ।
ଟିମ ଇଣ୍ଡିଆ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ରବି ଅଶ୍ୱିନ, ୟୁଜି ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚହର, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ, ଶ୍ରେୟସ ଆୟର ଓ ଶାହବାଜ ଅହମଦ।
ଟିମ ଦକ୍ଷିଣ ଆଫ୍ରିକା: ତେମ୍ବା ବଭୂମା, କ୍ୱିଣ୍ଟନ ଡି’କକ, ରିଜା ହେଣ୍ଡ୍ରିକସ, ହେନରିଚ କ୍ଲାସେନ, କେଶବ ମହାରାଜ, ଏଡେନ ମାର୍କମ, ଡାଭିଡ ମିଲର, ଲୁଙ୍ଗି ଏନଗିଡ଼ି, ଅନରିଚ ନୋର୍ଖିୟା, ୱେନ ପାର୍ନେଲ, ଡାୱିନେ ପ୍ରିଟୋରିୟସ, କାଗିସୋ ରାବଡା, ରିଲେ ରୋସୁ, ତ୍ରାବାଇଜ ଶାମସି ଓ ତ୍ରିସ୍ତାନ ଷ୍ଟବସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/BCCI-2.jpg)