Advertisment

ବାରବାଟୀରେ ହେବନି ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍ ଆୟୋଜନକୁ ନେଇ ଦେଖା ଦେଇଛି ଅନିଶ୍ଚିତତା। ଦେଶରେ କରୋନାର ତୃତୀୟ ଲହର ଦ୍ରୁତ ବଢ଼ୁଥିବାରୁ ବାରବାଟୀରେ ଏହି ମ୍ୟାଚ୍ ଖେଳା ନଯାଇପାରେ। ଆସନ୍ତା ଫେବୃଆରୀ ୧୫ ତାରିଖରେ ଏହି ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଛି। କିନ୍ତୁ କୋଭିଡ୍ ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ସୀମିତ ଓଭର ସିରିଜର ମୁକାବିଲା ଦୁଇଟି ଭେନ୍ୟୁରେ ଆୟୋଜନ କରିବାକୁ ନେଇ ବିସିସିଆଇ ଯୋଜନା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବାରବାଟୀରେ ହେବନି ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦!

barabati

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍ ଆୟୋଜନକୁ ନେଇ ଦେଖା ଦେଇଛି ଅନିଶ୍ଚିତତା। ଦେଶରେ କରୋନାର ତୃତୀୟ ଲହର ଦ୍ରୁତ ବଢ଼ୁଥିବାରୁ ବାରବାଟୀରେ ଏହି ମ୍ୟାଚ୍ ଖେଳା ନଯାଇପାରେ। ଆସନ୍ତା ଫେବୃଆରୀ ୧୫ ତାରିଖରେ ଏହି ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଛି। କିନ୍ତୁ କୋଭିଡ୍ ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ସୀମିତ ଓଭର ସିରିଜର ମୁକାବିଲା ଦୁଇଟି ଭେନ୍ୟୁରେ ଆୟୋଜନ କରିବାକୁ ନେଇ ବିସିସିଆଇ ଯୋଜନା କରୁଛି।

Advertisment

ପୂର୍ବ କାର୍ଯ୍ୟସୂଚୀ ମୁତାବକ ଫେବୃଆରୀ ୬ରୁ ୨୦ ତାରିଖ ଯାଏ ଅହମଦାବାଦ, ଜୟପୁର ଓ କୋଲକାତାରେ ତିନୋଟି ଦିନିକିଆ ମ୍ୟାଚ୍ ଏବଂ କଟକ, ବିଶାଖାପାଟଣା ଓ ତିରୁବନନ୍ତପୁରମରେ ଯଥାକ୍ରମେ ତିନୋଟି ଯାକ ଟି-୨୦ ସିଜ୍ ଖେଳାଯିବାର ଅଛି। କିନ୍ତୁ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ଟୁର୍ ଓ ଫିକ୍ସଚର କମିଟି ସିରିଜକୁ ଅହମଦାବାଦ ଓ କୋଲକାତାରେ କରାଇବାକୁ ବିସିସିଆଇକୁ ସୁପାରିସ୍ କରିଛି। ବିସିସିଆଇ ଯଦି କମିଟିର ସୁପାରିସକୁ ଗ୍ରହଣ କରେ, ତେବେ ବାରବାଟୀରେ ଏହି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଟୁର୍ ଓ ଫିକ୍ସଚର୍ କମିଟି ଭର୍ଚୁଆଲ ଜରିଆରେ ବୋର୍ଡର ଅଧ୍ୟକ୍ଷ ଓ ସମ୍ପାଦକଙ୍କ ସହ ବୈଠକ କରିଥିଲା। ବୈଠକରେ ଭାରତ ଓ ଇଣ୍ଡିଜ୍ ସିରିଜର ମ୍ୟାଚକୁ ୬ଟି ବଦଳରେ ଦୁଇଟି ଭେନ୍ୟୁରେ କରାଯିବା ପାଇଁ ସୁପାରିସ୍ କରାଯାଇଛି। ବିସିସିଆଇ ଆଗାମୀ କିଛି ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେଇପାରେ। ସେପଟେ ବାରବାଟୀ ମ୍ୟାଚ ଆୟୋଜନ ନ ହେବା ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ସହ ୨୦୨୨ରେ ଭାରତକୁ ଅନେକ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବାର ଅଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଖେଳିବ।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଟିମ୍ ଫେବୃଆରୀ ୧ ତାରିଖରେ ଭାରତରେ ପହଞ୍ଚିବ। ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ଅହମଦାବାଦ, ଦ୍ୱିତୀୟ ମ୍ୟାଚ୍ ଜୟପୁରରେ ଫେବୃଆରୀ ୯ ଏବଂ ତୃତୀୟ ଦିନିକିଆ କୋଲକାତାରେ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ଏହା ପରେ ବାକି ଦୁଇଟି ମ୍ୟାଚ୍ ଫେବୃଆରୀ ୧୮ ଓ ୨୦ ତାରିଖରେ ଯଥାକ୍ରମେ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବାର ଅଛି।