/odisha-reporter/media/post_attachments/uploadimage/library/16_9/16_9_0/KL_Rahul_1695399559.jpg)
KL Rahul
ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମ ଦେଖାଇଛି ଟିମ ଇଣ୍ଡିଆ। ୪ ଜଣ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ମଧ୍ୟ କେଏଲ ରାହୁଲଙ୍କ ଭାରତୀୟ ଟିମ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ମାତ ଦେବାକୁ ସକ୍ଷମ ହୋଇଛି।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆକୁ ଟିମ ଇଣ୍ଡିଆ ୫ ୱିକେଟରେ ଜିତି ୩ଟିକିଆ ସିରିଜରେ ୧-୦ ଆଗୁଆ ହୋଇଯାଇଛି। ପ୍ରଥମେ ବୋଲିଂରେ ମହମ୍ମଦ ଶାମି ଦମଦାର ପ୍ରଦର୍ଶନ କରି ୫ ୱିକେଟ ନେଇଥିବା ବେଳେ ରନ ଚେଜରେ କମାଲ କରିଛନ୍ତି ବ୍ୟାଟର।
ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ ଭଲ ଷ୍ଟାର୍ଟ ଦେଇଥିବା ବେଳେ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ବାକି କାମ ଶେଷ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୭୬ ରନ କରିଥିଲା। ଏହାର ଜବାବରେ ଭାରତ ୮ ବଲ ପୂର୍ବରୁ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ରାହୁଲ ୬କା ମାରି ମ୍ୟାଚ୍ ଶେଷ କରିଛନ୍ତି। ଦମଦାର ବୋଲିଂ ପାଇଁ ଶାମି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ମୋହଲି ପଡ଼ିଆକୁ ୨୭୭ ରନର ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଟିମର ଦୁଇ ଯୁବ ତାରକା ଗିଲ ଓ ଗାଏକ୍ୱାଡ ଆରମ୍ଭରୁ ଦମ୍ଭ ଦେଖାଇଥିଲେ। ଉଭୟ ବ୍ୟାଟର ପ୍ରତିଟି ଅଷ୍ଟ୍ରେଲିୟୀ ବୋଲରଙ୍କୁ କଡ଼ା ପ୍ରହାର କରି ଓଭର ପିଛା ୬ରୁ ଅଧିକ ହାରରେ ରନ ସଂଗ୍ରହ କରି ଚାଲିଥିଲେ। ଦୁଇ ଜଣ ଯାକ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୨୧.୪ ଓଭରରେ ୧୪୨ ରନର ଭାଗିଦାରୀ କରିଥିଲେ।
ଏତିକି ବେଳେ ଆଡାମ ଜାମ୍ପା ୭୧ ରନ କରିଥିବା ଗାଏକ୍ୱାଡଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର କେବଳ ୩ ରନ କରି ରନ ଆଉଟ ହୋଇ ଯାଇଥିଲେ। ଗିଲ୍ ଭଲ ଲୟରେ ଥିଲେ ହେଁ ୭୪ ରନ କରି ଜାମ୍ପାଙ୍କ ଦ୍ୱିତୀୟ ଶିକାର ବନିଥିଲେ।
୧୪୨ ରନ ଯାଏ କୌଣସି ୱିକେଟ ହରାଇ ନଥିବା ଭାରତ ୧୫୧ ରନ ସୁଦ୍ଧା ୩ ୱିକେଟ ହରାଇ ସାମାନ୍ୟ ଚିନ୍ତାରେ ପଡ଼ିଥିଲା। ଏତିକି ବେଳେ ଅଧିନାୟକ କେଏଲ ରାହୁଲଙ୍କ ସହ ମିଶି ଈଶାନ କିଶନ ସ୍ଥିତି ସମ୍ଭାଳିଥିଲେ। ଏଥିସହ ୪ର୍ଥ ୱିକେଟ ପାଇଁ ୩୪ ରନର ଛୋଟିଆ ଭାଗିଦାରୀ କରିଥିଲେ। ଈଶାନ ୧୮ ରନ କରି ପ୍ୟାଟ କମିନ୍ସଙ୍କ ବଲରେ ଆଉଟ ହେବାରୁ କ୍ରିଜକୁ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ।
ନିଜର ଆଟାକିଂ କ୍ରିକେଟ ପାଇଁ ସୂର୍ଯ୍ୟ କୁମାର ବେଶ ଜଣାଶୁଣା। ହେଲେ ଭାରତର ରନ ରେଟ୍ ଭଲ ଥିବାରୁ ସେ ଧୀରେ ସୁସ୍ଥେ ବ୍ୟାଟିଂ କରିଥିଲେ। ଦରକାର ସମୟରେ ଚୌକା ମଧ୍ୟ ମାରୁଥିଲେ। ରାହୁଲଙ୍କ ସହ ମିଶି ସେ ୪୭ ଓଭର ଯାଏ ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।
ତେବେ ଭାରତକୁ ଜିତିବା ପାଇଁ ମାତ୍ର ୧୨ ରନ ଦରକାର ଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ସେ ବାଉଣ୍ତରୀ ପାଖରେ ଧରା ପଡ଼ି ଯାଇଥିଲେ। ହେଲେ ସେତେବେଳକୁ ମ୍ୟାଚ୍ ଏକ ପ୍ରକାରର ଭାରତକୁ ହାତକୁ ଆସି ସାରିଥିଲା। ଆଉଟ ହେବା ପୂର୍ବରୁ ସୂର୍ଯ୍ୟ କୁମାର ୪୯ ବଲରେ ୫୦ ରନର ଇନିଂସ ଖେଳିଥିଲେ। ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ରହିଛି। ୨୦ଟି ଇନିଂସ ପରେ ଏହା ସୂର୍ଯ୍ୟ କୁମାରଙ୍କ ପ୍ରଥମ ଅର୍ଦ୍ଧଶତକ।
ଭାରତକୁ ଶେଷ ୧୮ ବଲରେ ୧୨ ରନ ଦରକାର ଥିବା ବେଳେ ରାହୁଲଙ୍କ ସହ ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ। ୪୮ତମ ଓଭର ବୋଲିଂ କରୁଥିବା ମାଥ୍ୟୁ ଶର୍ଟ ମାପିଚୁପି ବୋଲିଂ କରିବାକୁ ଚେଷ୍ଟା କରିଥିଲେ। ଏଥିସହ କେବଳ ୫ ରନ ହିଁ ଦେଇଥିଲେ।
୧୨ ବଲକୁ ୭ ରନ ଦରକାର ଥିବା ବେଳେ ରାହୁଲ ୪୮ ରନରେ ଅପରାଜିତ ରହିଥିଲେ। ୪୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ସେନ ଆବୋଟ। ପ୍ରଥମ ବଲରେ ଜାଡେଜା ୧ ରନ ନେଇ ରାହୁଲଙ୍କୁ ଷ୍ଟ୍ରାଇକ ଦେଇଥିଲେ। ରାହୁଲ ଦ୍ୱିତୀୟ ବଲରେ କୌଣସି ରନ କରିବାକୁ ସକ୍ଷମ ହୋଇ ନଥିଲେ।
କିନ୍ତୁ ତୃତୀୟ ବଲରେ ସେ ଚୌକା ମାରି ବିଜୟ ବ୍ୟବଧାନକୁ ହ୍ରାସ କରିବା ସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଏହାର ପରବର୍ତ୍ତୀ ବଲରେ ରାହୁଲ ପୁଣି ୬କା ମାରି ମ୍ୟାଚ୍ ଶେଷ କରିଥିଲେ।
ରାହୁଲ ଶେଷ ଯାଏ ୬୩ ବଲରେ ୫୮ ରନ ଓ ଜାଡେଜା ୬ ବଲରେ ୩ ରନ କରି ଅପରାଜିତ ରହିଥିଲେ। ରାହୁଲ ତାଙ୍କ ଇନିଂସରେ ଗୋଟିଏ ଛକା ଓ ୪ଟି ଚୌକା ମାରିଛନ୍ତି।
ଭାରତ ପ୍ରଥମ ମ୍ୟାଚ୍କୁ ଜିତି ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୨୪ ତାରିଖରେ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
