Advertisment

ବର୍ମିଂହାମରେ ଉଡ଼ିଲା ବିଜୟ ତ୍ରିରଙ୍ଗା, ଭାରତର ରେକର୍ଡ ବର୍ଷା

ଏସିଆର ପ୍ରଥମ ଦେଶ ଭାବେ ଭାରତୀୟ ଟିମ ବର୍ମିଂହାମରେ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି।

author-image
Hemant Lenka
India

India

ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ। ବର୍ମିଂହାମର ଏଜବାଷ୍ଟନରେ ଉଡ଼ିଛି ବିଜୟ ତ୍ରିରଙ୍ଗା। ୫୮ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଦ୍ୱିତୀୟ ଟେଷ୍ଟରେ ଶୁବମନ ଗିଲଙ୍କ ଭାରତୀୟ ଟିମ ଇଂଲଣ୍ଡକୁ ୩୩୬ ରନରେ ହରାଇ ନୂଆ ରେକର୍ଡ କରିଛି।

Advertisment

ଏଜବାଷ୍ଟରେ ଭାରତ ୧୯୬୭ରେ ପ୍ରଥମ ଟେଷ୍ଟ ଖେଳିଥିଲା। କିନ୍ତୁ ଏଯାଏ କେବେ ବି ବିଜୟ ହାସଲ କରି ପାରି ନଥିଲା। ୨୦୨୫ ପୂର୍ବରୁ ଭାରତ ୮ଟି ମ୍ୟାଚ୍‌ ଖେଳି ୭ଟରେ ହାରିଥିବା ବେଳେ ଗୋଟିଏ ଡ୍ର ରହିଥିଲା। କିନ୍ତୁ ଗିଲଙ୍କ ନେତୃତ୍ୱରେ ଭାରତ ଏଜବାଷ୍ଟନରେ ପ୍ରଥମ ବିଜୟ ସ୍ୱାଦ ଚାଖିଛି। ଏସିଆର ପ୍ରଥମ ଦେଶ ଭାବେ ଭାରତୀୟ ଟିମ ବର୍ମିଂହାମରେ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। 

ବର୍ମିଂହାମରେ ଭାରତର ରେକର୍ଡ ବର୍ଷା

୧- ଭାରତ ପ୍ରଥମଥର ପାଇଁ ବର୍ମିଂହାମରେ କୌଣସି ଟେଷ୍ଟ ମ୍ୟାଚ୍‌ ଜିତି ପାରିଛି। ୧୯୬୭ ପର ଠାରୁ ଭାରତ ବିଜୟ ପାଇଁ ଚେଷ୍ଟା କରୁଥିଲେ ହେଁ ୯ମ ପ୍ରୟାସରେ ସଫଳତା ପାଇଛି। ଏଜବାଷ୍ଟନରେ ଭାରତ ଏହାପୂର୍ବରୁ ୮ଟି ଟେଷ୍ଟ ଖେଳି ୭ଟି ହାରିଥିଲା।

Advertisment

୨- ଭାରତର ଏସିଆ ମହାଦେଶର ପ୍ରଥମ ଟିମ ଭାବେ ଏଜବାଷ୍ଟନରେ ବିଜୟ ହାସଲ କରିଛି। ପାକିସ୍ତାନ ୮ଟି ଓ ଶ୍ରୀଲଙ୍କା ଏଠାରେ ୨ଟି ମ୍ୟାଚ୍‌ ଖେଳିଥିଲେ ହେଁ ବିଜୟ ପାଇ ନାହାନ୍ତି। ପାକିସ୍ତାନ ଏସିଆର ପ୍ରଥମ ଟିମ ଭାବେ ଏହି ଭେନ୍ୟୁରେ ପ୍ରଥମ ଟେଷ୍ଟ ଖେଳିଥିଲା। ୧୯୬୨ରେ ପାକିସ୍ତାନ ଏଠାରେ ଖେଳିବାକୁ ସୁଯୋଗ ପାଇଥିଲା।

୩- ଇଂଲଣ୍ଡ ମାଟିରେ ଏହା ଭାରତର ସର୍ବବୃହତ୍ତ(ରନ ବ୍ୟବଧାନ) ବିଜୟ। ପୂର୍ବରୁ ୧୯୮୬ରେ କପିଲ ଦେବଙ୍କ କ୍ୟାପ୍ଟେନ୍ସିରେ ଭାରତ ୨୭୯ ରନ ବ୍ୟବଧାନରେ ବିଜୟ ହୋଇଥିଲା।

୪- ବିଦେଶ ମାଟିରେ ଏହା ଭାରତର ସର୍ବବୃହତ୍ତ(ରନ ବ୍ୟବଧାନ) ଟେଷ୍ଟ ବିଜୟ। ପୂର୍ବରୁ ଭାରତ ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବବୃହତ୍ତ ୩୧୮ ରନରେ ଟେଷ୍ଟ ଜିତିଥିଲା।

୫- ଶୁବମନ ଗିଲ କୌଣସି ଟେଷ୍ଟ ମ୍ୟାଚ୍‌ ଜିତିବାର ଭାରତର ୨୫ତମ କ୍ୟାପ୍ଟେନ ବିନିଛନ୍ତି। ମୋଟ ଉପରେ ଗିଲ ହେଉଛନ୍ତି ଭାରତର ୩୭ତମ ଟେଷ୍ଟ ଅଧିନାୟକ।

୬- ଇଂଲିଶ ମାଟିରେ ଭାରତ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲରଙ୍କ ମଧ୍ୟରେ ଆକାଶ ଦୀପ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ୪୧.୧ ଓଭରରେ ୪ଟି ମେଡେନ ନେବା ସହ ୧୦ ୱିକେଟ ଦଖଲ କରିଛନ୍ତି। ସେ ୧୮୭ ରନ ଖର୍ଚ୍ଚ କରିଛନ୍ତି। ଏପରି କରି ସେ ଚେତନ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ଚେତନ ଶର୍ମା ୧୯୮୬ରେ ୫୩.୩ ଓଭରରେ ୬ଟି ମେଡେନ ସହ ୧୮୮ ରନ ବଳରେ ୧୦ ୱିକେଟ ଦଖଲ କରିଥିଲେ।

୭- ଆକାଶ ଦୀପ ଦ୍ୱିତୀୟ ଭାରତୀୟ ବୋଲର ଯିଏ ଇଂଲଣ୍ଡ ମାଟିରେ ୧୦ ୱିକେଟ ଦଖଲ କରିଛନ୍ତି।

୮- ଆକାଶ ଦୀପ ୬ଷ୍ଠ ଭାରତୀୟ ବୋଲର ଭାବେ ଇଂଲଣ୍ଡ ମାଟିରେ ୬ କିମ୍ବା ତା’ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିପାରିଛନ୍ତି। ତାଙ୍କ ବ୍ୟତୀତ ଈଶାନ୍ତ ଶର୍ମା, ଲଧାଭାଇ ନକୁମ ଅମର ସିଂହ, ଚେତନ ଶର୍ମା, ମହମ୍ମଦ ସିରାଜ ଓ ଭୁବନେଶ୍ୱର କୁମାର ଇଂଲଣ୍ଡ ମାଟିରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

୯- ଗିଲ ଭାରତର ତୃତୀୟ ଟେଷ୍ଟ କ୍ୟାପ୍ଟେ ଭାବେ ଉଭୟ ଇନିଂସରେ ଶତକ ମାରିବାର ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୭୮ରେ ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷ କୋଲକାତା ଟେଷ୍ଟରେ ଓ ୨୦୧୪ରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିଲେ।

୧୦- ଗିଲ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗି ଦେଇଛନ୍ତି। ୨୫ ବର୍ଷୀୟ ଗିଲ ଦ୍ୱିତୀୟ ଇନିଂସରେ ୭୭ ରନ କରିବା କ୍ଷଣି ଗାଭାସ୍କରଙ୍କ ରେକର୍ଡକୁ ଅତିକ୍ରମ କରି ଯାଇଥିଲେ। ଗିଲ ଏବେ ଭାରତ ପାଇଁ କୌଣସି ଟେଷ୍ଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି। ବିଶ୍ୱରେ ମଧ୍ୟ ସେ(୪୩୦ ରନ) ଦ୍ୱିତୀୟ ସ୍ଥାନରେ ଅଛନ୍ତି।

୧୧- ଗିଲ ଭାରତ ପାଇଁ ଗୋଟିଏ ଟେଷ୍ଟରେ ସର୍ବାଧିକ ରନ କରିଥିଲେ ହେଁ ବିଶ୍ୱର ୧ନଂ ତାଲିକାରେ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ ଗ୍ରାହାମ ଗୁଚ ରହିଛନ୍ତି। ସେ ୧୯୯୦ରେ ଭାରତ ବିପକ୍ଷ ଲର୍ଡସ ଟେଷ୍ଟରେ ୪୫୬ ରନ କରିଥିଲେ। ସେ ପ୍ରଥମ ଇନିଂସରେ ୩୩୩ ରନ ଓ ଦ୍ୱିତୀୟ ଇନିଂସରେ ୧୨୩ ରନ କରିଥିଲେ। ଗ୍ରାହାମଙ୍କ ପଛକୁ ପୂର୍ବରୁ ଅଷ୍ଟ୍ରେଲିଆର ମାର୍କ ଟେଲର ୪୨୬ ରନ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୪୨୪ ରନ ଓ ବ୍ରାଏନ ଲାରା ୪୦୦ ରନସହ ରହିଥିଲେ। କିନ୍ତୁ ଗିଲ ୪୩୦ ରନ କରି ଏମାନଙ୍କୁ ପଛରେ ପକାଇ ଦେଇଛନ୍ତି।

India Vs England Test Cricket Test Match