ସୂର୍ଯ୍ୟଙ୍କ ଚମକରେ ଜୋଶଙ୍କ ଶତକ ଫିକା, ଭାରତର ନାଟକୀୟ ବିଜୟ

ଦିନିକିଆ ବିଶ୍ୱକପ ଫାଇନାଲରେ ସୂର୍ଯ୍ୟ କୁମାରଙ୍କ ବ୍ୟାଟିଂକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ହେଲେ ଟି-୨୦ ଫର୍ମାଟରେ ବିସ୍ଫୋରକ ଇନିଂସ ଖେଳି ସେ ଦଳକୁ ଜିତାଇଛନ୍ତି।

ସୂର୍ଯ୍ୟ କୁମାର ଯାଦବ

  • Published: Thursday, 23 November 2023
  • , Updated: 24 November 2023, 09:30 AM IST

ଯେଉଁ ଅଷ୍ଟ୍ରେଲିଆ ୪ ଦିନ ତଳେ ଭାରତକୁ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ହରାଇଥିଲା ଏବେ ସେହି ଦଳକୁ ଟି-୨୦ରେ ମାତ ଦେଇଛି ଟିମ ଇଣ୍ଡିଆ। ପ୍ରଥମଥର ପାଇଁ ଭାରତର ଅଧିନାୟକ ହୋଇଥିବା ସୂର୍ଯ୍ୟ କୁମାର ଯାଦବ ନିଜର ଚମକ ଦେଖାଇଛନ୍ତି।

ଦିନିକିଆ ବିଶ୍ୱକପ ଫାଇନାଲରେ ସୂର୍ଯ୍ୟ କୁମାରଙ୍କ ବ୍ୟାଟିଂକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ହେଲେ ଟି-୨୦ ଫର୍ମାଟରେ ବିସ୍ଫୋରକ ଇନିଂସ ଖେଳି ସେ ଦଳକୁ ଜିତାଇଛନ୍ତି। ପ୍ରଥମଥର ଅଧିନାୟକ ହୋଇଥିବା ବେଳେ ସେ ପ୍ରଥମ ମ୍ୟାଚ୍‌ ଜିତି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

ତାଙ୍କୁ ଈଶାନ କିଶନ ଓ ରିଙ୍କୁ ସିଂହ ମଧ୍ୟ ଭରପୂର ସାଥ ଦେଇଛନ୍ତି। ଶେଷ ବଲରେ ୧ ରନ ଦରକାର ଥିବା ବେଳେ ରିଙ୍କୁ ସିଂହ ଛକା ମାରିଥିଲେ। କିନ୍ତୁ ସେନ ଆବୋଟ ନୋ ବଲ ପକାଇବାରୁ ଭାରତ ଗୋଟିଏ ବଲ ଥାଇ ବିଜୟ ମୁଣ୍ଡି ମାରିଛି। ସେହିପରି ଉକ୍ତ ଛକା ମଧ୍ୟ ଆଉ ଗଣତି ହୋଇନି। 

ବିଶାଖାପଟନମରେ ଖେଳା ଯାଉଥିବା ୫ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଜୋଶ ଇଙ୍ଗଲିସଙ୍କ ୫୦ ବଲରେ ୧୧୦ ରନର ଇନିଂସ ବଳରେ ଅଷ୍ଟ୍ରେଲିଆ ବିଶାଳ ୨୦୮ ରନ କରିଥିଲା। ଏହାର ଜବାବରେ ଭାରତ ସୂର୍ଯ୍ୟ କୁମାରଙ୍କ ଯାଦବଙ୍କ ବିସ୍ଫୋରକ ୮୦ ରନ ବଳରେ ୨ ୱିକେଟରେ ଜିତି ନେଇଛି।

ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ଇଶାନ କିଶନ ମଧ୍ୟ ୩୯ ବଲରେ ୫୮ ରନର ଇନିଂସ ଖେଳିଛନ୍ତି। ଶେଷ ଭାଗରେ ରିଙ୍କୁ ସିଂହ ୧୪ ବଲରେ ଅପରାଜିତ ୨୨ ରନର ଇନିଂସ ଖେଳିଛନ୍ତି। ଏହି ବିଜୟ ସହ ଭାରତ ୫ ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

୨୦୯ ରନର ଟାର୍ଗେଟ ପାଇଥିବା ଭାରତ ପ୍ରଥମ ଓଭରର ୫ମ ବଲରେ ଋତୁରାଜ ଗାଏକ୍ୱାଡଙ୍କୁ ହରାଇଥିଲା। ସେ କୌଣସି ବଲର ସାମ୍ନା କରିବା ପୂର୍ବରୁ ରନ ଆଉଟ ହୋଇଯାଇଥିଲେ। ଯଶସ୍ୱୀ ଜୈସୱାଲ ୨ଟି ଛକା ଓ ୨ଟି ଚୌକା ବଳରେ ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଟାର୍ଗେଟ ୨୦୯ ଥିବା ବେଳେ ଭାରତ ୨୨ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ଈଶାନ ଓ ସୂର୍ଯ୍ୟ କୁମାର ସ୍ଥିତି ସମ୍ଭାଳିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ସୂର୍ଯ୍ୟ କୁମାରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ଈଶାନ ସ୍ପିନ ବୋଲରଙ୍କୁ ଟାର୍ଗେଟ କରିଥିଲେ। ଉଭୟ ୩ୟ ୱିକେଟ ପାଇଁ ୧୧୨ ରନ ଯୋଡ଼ିଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୧୩୪ ଥିବା ବେଳେ ଈଶନ ବ୍ୟକ୍ତିଗତ ୫୮ ରନ କରି ତନବୀର ସଙ୍ଘାଙ୍କ ବଲରେ ଆଉଟ ହୋଇଥିଲେ। ୩୯ ବଲରେ ୫୮ ରନ ଇନିଂସ ଖେଳିଥିବା ଈଶାନ ୫ଟି ଛକା ୨ଟି ଚୌକା ମାରିଛନ୍ତି। ୫ନଂରେ ବ୍ୟାଟିଂ କରିବାକୁ ଆସିଥିବା ତିଲକ ବର୍ମା ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ସଙ୍ଘା ନେଇଥିଲେ।

ୱିକେଟ ଯାଉଥିଲେ ମଧ୍ୟ ସୂର୍ଯ୍ୟ କୁମାର ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ତାଙ୍କୁ ରିଙ୍କୁ ସିଂହ ପୂରା ସାଥ ଦେଇଥିଲେ। ଉଭୟ ଦମଦାର ଶଟ ଖେଳି ଭାରତକୁ ବିଜୟର ନିକଟତର କରିଥିଲେ। ଲାଗୁଥିଲା ସୂର୍ଯ୍ୟ କୁମାର ମ୍ୟାଚ୍‌ ଶେଷ କରି ଦେବେ। କିନ୍ତୁ ଦଳୀୟ ସ୍କୋର ୧୯୪ ଥିବା ବେଳେ ସେ ବେହର୍ନଡ୍ରଫଙ୍କୁ ବଡ଼ ଶଟ ମାରିବାକୁ ଯାଇ ଆଉଟ ହୋଇଯାଇଥିଲା। ସୂର୍ଯ୍ୟ କୁମାର ୪୨ ବଲରେ ୮୦ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ଟି ଛକା ଓ ୯ଟି ଚୌକା ରହିଛି।

ସେ ଆଉଟ ହେବା ପରେ ରିଙ୍କୁ ସିଂହ ଓ ଅକ୍ଷର ପଟେଲଙ୍କ କାନ୍ଧକୁ ସବୁ ଦାୟିତ୍ୱ ଯାଇଥିଲା। ୧୯ତମ ଓଭରରେ ଅକ୍ଷର କିଛି ବଲ ବିଟ ହେବାରୁ ଭାରତ ଉପରକୁ ଚାପ ଫେରିଥିଲା। କିନ୍ତୁ ୫ମ ବଲରେ ରିଙ୍କୁ ସିଂହ ଚୌକା ମାରି ବିଜୟ ବ୍ୟବଧାନକୁ ୮କୁ ଖସାଇ ଆଣିଥିଲେ। ସେହିପରି ଶେଷ ବଲରେ ସେ ୧ ରନ ନେଇଥିଲେ।

ଭାରତକୁ ଶେଷ ଓଭରରେ ୭ ରନ ଦରକାର ଥିବା ବେଳେ ରିଙ୍କୁ ସିଂହଙ୍କ ସାମ୍ନା ସେନ ଆବୋଟଙ୍କ ସହ ହୋଇଥିଲା। ପ୍ରଥମ ବଲରେ ହିଁ ରିଙ୍କୁ ଚୌକା ମାରି ସବୁ ଚାପକୁ ଦୂର କରି ଦେଇଥିଲେ। ଦ୍ୱିତୀୟ ବଲରେ ଭାରତକୁ ବାଇ ରୂପରେ ୧ ରନ ମିଳିଥିଲା।

ତୃତୀୟ ବଲରେ ଅକ୍ଷର ପଟେଲ(୨) ଆଉଟ ହୋଇ ମ୍ୟାଚ୍‌ରେ ନୂଆ ଟ୍ୱିଷ୍ଟ ଆଣିଥିଲେ। ପରବର୍ତ୍ତୀ ବଲରେ ରବି ବିଷ୍ଣୋଇ ରନ ଆଉଟ ହୋଇଯାଇଥିଲେ। କିନ୍ତୁ ରିଙ୍କୁ ସିଂହଙ୍କୁ ଷ୍ଟ୍ରାଇକ ମିଳିଥିଲା। ଶେଷ ୨ ବଲରେ ୨ ରନ ଦରକାର ଥିବା ବେଳେ ରିଙ୍କୁ ଡିପ୍‌ ସ୍କୋୟେର ଲେଗ ଅଞ୍ଚଳକୁ ବଲ ମାରିଥିଲେ। ତେବେ ଦୁଇ ରନ ନେବା ଚକରରେ ଅର୍ଶଦୀପ ରନ ଆଉଟ ହୋଇଯାଇଥିଲେ। 

ତଥାପି ସ୍କୋର ବରାବର ହୋଇଯାଇଥିଲା। ଶେଷ ବଲରେ ଭାରତକୁ ବିଜୟ ପାଇଁ ୧ ରନ ଦରକାର ଥିଲା। ତେବେ ରିଙ୍କୁ ସିଂହ ଛକା ମାରିଥିଲେ। ଭାରତ ମ୍ୟାଚ୍‌ ମଧ୍ୟ ଜିତି ନେଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ନୂଆ ଟ୍ୱିଷ୍ଟ ଆସିଥିଲା। କାରଣ ଆବୋଟ ନୋ ବଲ ପକାଇଥିଲେ। ଭାରତ ନୋ ବଲ ବଳରେ ବିଜୟ ଲାଇନ କ୍ରସ କରିଥିଲା। ତେଣୁ ଆଉ ରିଙ୍କୁ ମାରିଥିବା ଛକାକୁ ଗଣତି କରାଯାଇ ନଥିଲା। ରିଙ୍କୁ ଶେଷ ଯାଏ ୧୪ ବଲରେ ୨୨ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଛନ୍ତି। 

Related story