Advertisment

ଧୂଳି ଚାଟିଲା ଇଂଲଣ୍ଡ: ଭାରତୀୟ ମହିଳା ଦଳର ରେକର୍ଡ ବିଜୟ

ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଭାରତୀୟ ଟିମର ଦୀପ୍ତି ଶର୍ମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେ ପ୍ରଥମ ଇନିଂସରେ ୬୭ ରନ କରିବା ସହ ୫ ଜଣ ଇଂଲିଶ ବ୍ୟାଟରଙ୍କୁ ଆଉଟ କରିଥିଲେ।

BCCI

BCCI

Advertisment

ଘରୋଇ ମାଟିରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତୀୟ ମହିଳା ଟିମ। ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟକୁ ମାତ୍ର ଅଢ଼େଇ ଦିନରେ ଶେଷ କରି ଭାରତୀୟ ମହିଳା ଟିକ ନୂଆ ରେକର୍ଡ କରିଛି।

Advertisment

ପୁଣେର ଡିୱାଇ ପାଟିଲ ଷ୍ଟାଡିୟମରେ ଇଂଲଣ୍ଡକୁ ୩୪୭ ରନରେ ହରାଇ ହରମନପ୍ରୀତ କୌର ଆଣ୍ଡ କୋ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ମହିଳା ଟେଷ୍ଟରେ ଏହା ସର୍ବବୃହତ ବିଜୟ। ସେହିପରି ଭାରତୀୟ ମହିଳା ଟିମ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଇଂଲଣ୍ଡକୁ ହରାଇବାକୁ ମଧ୍ୟ ସକ୍ଷମ ହୋଇଛି।

ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଭାରତୀୟ ଟିମର ଦୀପ୍ତି ଶର୍ମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେ ପ୍ରଥମ ଇନିଂସରେ ୬୭ ରନ କରିବା ସହ ୫ ଜଣ ଇଂଲିଶ ବ୍ୟାଟରଙ୍କୁ ଆଉଟ କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ଜଲୱା ଦେଖାଇ ୪ ୱିକେଟ ଦଖଲ କରିଥିଲେ।

Advertisment

ମ୍ୟାଚ୍‌ ଜିତିବା ପାଇଁ ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ବିଶାଳ ୪୭୯ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ କେବଳ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୪୨୮ ରନ କରିଥିବା ବେଳେ ଇଂଲଣ୍ଡ ୧୩୬ ରନ କରି ଅଲଆଉଟ ହୋଇଯାଇଥିଲା।

ଫଳରେ ଭାରତକୁ ପ୍ରଥମ ଇନିଂସରେ ୨୯୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ମିଳିଥିଲା। ଦ୍ୱିତୀୟ ଦିନରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିବା ସହ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୬ ୱିକେଟ ହରାଇ ୧୮୬ ରନ କରି ନେଇଥିଲା।

ସମସ୍ତେ ଭାବୁଥିଲେ ଆଜି ଦଳ ଆଉ କିଛି ସମୟ ବ୍ୟାଟିଂ କରିବ। କିନ୍ତୁ ତୃତୀୟ ଦିନ ଆରମ୍ଭରୁ ହିଁ ଭାରତର ଅଧିନାୟକ ହରମନପ୍ରୀତ କୌର ପାଳି ଘୋଷଣା କରି ଦେଇଥିଲେ। ଫଳରେ ଇଂଲଣ୍ଡକୁ ୪୭୯ ରନ ରନ ଟାର୍ଗେଟ ମିଳିଥିଲା। ଏହି ରେକର୍ଡ ରନର ପିଛା କରୁଥିବା ଇଂଲଣ୍ଡର ମହିଳା ଟିମ ଆରମ୍ଭରୁ ଝୁଣ୍ଟି ଥିଲା। ପୂରା ଟିମ ଶେଷରେ ୧୩୧ ରନରେ ଅଲଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ପୂଜା ବସ୍ତ୍ରକରଙ୍କୁ ୩ଟି, ରାଜେଶ୍ୱର ଗାଏକ୍ୱାଡ ୨ଟି ଓ ରେଣୁକା ସିଂହ ଠାକୁର ଗୋଟିଏ ସଫଳତା ପାଇଛନ୍ତି।

ମହିଳା ଟେଷ୍ଟରେ ଏହା ସର୍ବବୃହତ ବିଜୟ। ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କା ନାଁରେ ଥିଲା। ଶ୍ରୀଲଙ୍କାର ମହିଳା ଟିମ ୧୯୯୮ରେ ପାକିସ୍ତାନକୁ ୩୦୯ ରନରେ ହରାଇଥିଲା। ଏବେ ଭାରତୀୟ ମହିଳା ଟିମ ନୂଆ ରେକର୍ଡର ଅଧିକାରୀ ହୋଇଛି।

ଏହାବାଦ ଇଂଲଣ୍ଡ ବିପକ୍ଷରେ ଏହା ଭାରତର ପ୍ରଥମ ଘରୋଇ ଟେଷ୍ଟ ବିଜୟ। ପୂର୍ବରୁ ଦୁଇ ଦଳ ୧୪ଟି ମ୍ୟାଚ ଖେଳିଥିବା ବେଳେ ସବୁଥର ଇଂଲଣ୍ଡ ହିଁ ଜିତି ଆସୁଥିଲା। କିନ୍ତୁ ୧୫ତମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ବାଜିମାତ କରିଛି। ୨୦୧୪ରେ ବିଦେଶରେ ଭାରତ ଦୁଇ ଥର ଇଂଲଣ୍ଡକୁ ହରାଇଥିଲା। ଏହାପରେ ଲାଗି ରହିଥିବା ପରାଜୟର ଧାରାରେ ଏବେ ବ୍ରେକ ଲାଗିଛି।

ଭାରତୀୟ ମହିଳା ଦଳ ଦୁଇ ବର୍ଷ ହେଲା କୌଣସି ଟେଷ୍ଟ ମ୍ୟାଚ୍‌ ଖେଳି ନଥିଲା। ସେହିପରି ୯ ବର୍ଷ ପରେ ଦଳ ଘରୋଇ ମାଟିରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳୁଥିଲା। ଏହି ମ୍ୟାଚ୍‌କୁ ଅଢ଼େଇ ଦିନରେ ଶେଷ କରି ଦଳ ତା’ର ପରାକ୍ରମ ଦେଖାଇଛି।

Bcci India Vs England Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe