Advertisment

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌, ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା।

author-image
Jitendra Garnayak
India Team

India Team

୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ ବିଶ୍ୱକପ୍‌ରେ ଆଜିଠାରୁ ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଛି। ବାଂଲାଦେଶକୁ ୮୪ ରନ୍‌ରେ ପରାସ୍ତ କରିଛି ଦଳ।

Advertisment

ଦକ୍ଷିଣ ଆଫ୍ରିକାର ବ୍ଲୋଏମ୍‌ଫଣ୍ଟେନ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ବୋଲିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା।

ଦଳ ପକ୍ଷରୁ ଓପନର ଆଦର୍ଶ ସିଂହ ସର୍ବାଧିକ ୭୬ (୯୬ ବଲ୍‌, ୬ ଚୌକା) ରନ୍ କରିଥିବା ବେଳେ ଅଧିନାୟକ ଉଦୟ ସହରନ ୬୪ (୯୪ ବଲ୍‌, ୪ ଚୌକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାଂଶୁ ମୋଲିୟା ୨୩, ଅରାବଲୀ ଅବିନାଶ ରାଓ ୨୩, ସଚୀନ ଧାସ ଅପରାଜିତ ୨୬ ରନ୍ କରିଥିଲେ। ଅର୍ଶିନ କୁଲକର୍ଣ୍ଣୀ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ମୁଶୀର ଖାନ ୩ ରନ୍ କରିଥିଲେ।

Advertisment

ଆଦର୍ଶ ସିଂହ ଓ ଉଦୟ ସହରନଙ୍କ ମଧ୍ୟରେ ଏକ ଭଲ ପାର୍ଟନରଶିପ ହେବାରୁ ଦଳ ୨୫୧ ରନ୍‌ରେ ପହଞ୍ଚି ପାରିଥିଲା। ସେମାନଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା। ବାଂଲାଦେଶ ପକ୍ଷରୁ ମରୁଫ ମ୍ରିଧା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ଚୌଧୁରୀ ମହମ୍ମଦ ରିଜୱାନ ଓ ମହଫୁଜୁର ରହମାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୨୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ମହମ୍ମଦ ଶିହାବ ଜେମ୍ସ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଅରିଫୁଲ ଇସ୍‌ଲାମ ୪୧ ରନ୍ କରିଥିଲେ। ଅନ୍ୟମାନେ ଅତି ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ତିନି ଜଣ ବ୍ୟାଟର ଖାତା ଖୋଲି ପାରି ନଥିଲେ।

ଭାରତ ପକ୍ଷରୁ ସୌମ୍ୟ କୁମାର ପାଣ୍ଡେ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମୁଶୀର ଖାନ ୨ଟି, ରାଜ ଲମ୍ବାନି, ଅର୍ଶିନ କୁଲକର୍ଣ୍ଣୀ ଓ ପ୍ରିୟାଂଶୁ ମୋଲିୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଭାରତ ୨୦୦୨, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। 

Under 19 Cricket World Cup