Advertisment

ଭାରତର ଡବଲ ବିଜୟ: ପାକିସ୍ତାନକୁ ହରାଇଲେ ମହିଳା, ବାଂଲାଦେଶକୁ ହରାଇଲେ ପୁରୁଷ

ପାକିସ୍ତାନକୁ ହରାଇ ଚଳିତ ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ଭାରତ।

author-image
Jitendra Garnayak
Team India

Team India

ଆଜି ଖେଳା ଯାଇଥିଲା ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍‌। ଗୋଟିଏରେ ଭାରତୀୟ ମହିଳା ଟିମ୍ ପାକିସ୍ତାନକୁ ଭେଟିଥିବା ବେଳେ ଆଉ ଗୋଟିଏରେ ପୁରୁଷ ଟିମ୍ ଭେଟିଥିଲା ବାଂଲାଦେଶକୁ। ଉଭୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ମିଳିଛି ବିଜୟ। 

Advertisment

ପାକିସ୍ତାନକୁ ହରାଇ ଚଳିତ ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। 'କର ବା ମର' ସ୍ଥିତିରେ ଥିବା ଏହି ମ୍ୟାଚକୁ ସହଜରେ ଜିତି ସମ୍ମାନ ରକ୍ଷା କରିଛନ୍ତି ମହିଳା ବ୍ରିଗେଡ୍।

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିଲା ଏହି ହାଇଭୋଲଟେଜ୍ ମ୍ୟାଚ୍। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲର୍ ଫତିମା ସନାଙ୍କ ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲେ। ଆରମ୍ଭରୁ ଝଡ଼ାଇ ଥିଲେ ଗୋଟିଏ ପରେ ଗୋଟିଏ ୱିକେଟ୍। କୌଣସି ପାକିସ୍ତାନ ଖେଳାଳି ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୨୦ ଓଭରରେ ଦଳ ୮ ୱିକେଟ ହରାଇ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା।

Advertisment

୧୦୬ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ୪ ୱିକେଟ ହରାଇ ହାସଲ କରିଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୩୨ ରନ୍ କରିଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର ୨୯ ରନ୍ କରିଥିଲେ। ଜେମିମା ରୋଡ୍ରିଗସ ୨୩ ରନ୍ କରିଥିଲେ। 

ଏହି ବିଜୟ ସତ୍ତ୍ୱେ ଭାରତର ରନ୍ ରେଟ୍ ପାକିସ୍ତାନଠାରୁ କମ୍ ରହିଛି। ଏହା ସହିତ ଦଳ ଗ୍ରୁପ୍‌ ଏ’ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଏହା ଉପରେ ରହିଛନ୍ତି। ଟପ୍‌ ୨ଟି ଟିମ୍ ସେମି ଫାଇନାଲରେ ପ୍ରବେଶ କରିବେ। ସେମି ଫାଇନାଲକୁ ଯିବାକୁ ହେଲେ ଭାରତକୁ ତାର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବା, ଯାହା ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ପୁଣି ଭଲ ରନ୍‌ ରେଟ୍‌ ସହିତ ଭାରତକୁ ଜିତିବାକୁ ପଡ଼ିବ। ଯଦି ଭାରତ ଏହି ଦୁଇଟି ମ୍ୟାଚ୍‌ରୁ ଗୋଟିଏ ହାରିଯାଏ, ତା’ହେଲେ ସବୁ ଆଶା ଶେଷ ହୋଇଯିବ। ତେବେ ନ୍ୟୁଜିଲ୍ୟାଣ୍ଡ ତା’ର ପରବର୍ତ୍ତୀ ତିନିଟି ମ୍ୟାଚ୍ ଓ ପାକିସ୍ତାନ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ହାରିଲେ ଭାରତର ସେମି ଫାଇନାଲ ଆଶା ଉଜ୍ଜୀବିତ ହୋଇପାରେ। କିନ୍ତୁ ତା’ ସତ୍ତ୍ୱେ ରନ୍ ରେଟ୍ ଏକ ସମସ୍ୟା ହୋଇପାରେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ସେଥିରେ ଦଳ ରନ୍‌ରେଟ୍‌ରେ ଉନ୍ନତି ଆଣିବାକୁ ପ୍ରୟାସ କରିବ।

ସେହିପରି ଭାରତ ଓ ବାଂଲାଦେଶ ମଧ୍ୟସ୍ଥ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଆଉ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହା ସହିତ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି ଭାରତ।

ଗ୍ୱାଲିୟରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୭ ରନ୍ ସଂଗ୍ରହ କରିଥିଲା।

ଦଳ ପକ୍ଷରୁ ମେହିଦ ହାସନ ମିରାଜ ଅପରାଜିତ ରହି ସର୍ବାଧିକ ୩୫ ରନ୍ କରିଥିବା ବେଳେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୨୭ ରନ୍ କରିଥିଲଆ। ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିବାରେ ସଫଳ ହୋଇ ନଥିଲେ। ଲିଟନ ଦାସ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ପରଭେଜ ହୁସେନ ଇମୋନ ୮, ତୱହିଦ ହୃଦୟ ୧୨, ମହମ୍ମଦୁଲ୍ଲା ୧, ଜାକେର ଅଲ୍ଲୀ ୮, ରିଶାଦ ହୁସେନ ୧୧ ଓ ତସ୍କିନ ଅହମଦ ୧୨ ରନ୍ କରିଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଯାଦବ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲା। ମୟଙ୍କ ଯାଦବଙ୍କର ଏହା ଡେବ୍ୟୁ ମ୍ୟାଚ୍ ଥିଲା। ଏଥିରେ ସେ ୪ ଓଭରରେ ୨୧ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଛନ୍ତି। ତାଙ୍କର ପ୍ରଥମ ଓଭର ମେଡେନ୍ ରହିଥିଲା। ଅର୍ଥାତ୍ ପ୍ରଥମ ଓଭରରେ କୌଣସି ରନ୍ ଦେଇ ନଥିଲେ।

ଅନ୍ୟପକ୍ଷରେ ୧୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ଅତି ସହଜରେ ହାସଲ କରି ନେଇଥିଲା। ଦଳ ମାତ୍ର ୧୧.୫ ଓଭରରେ ୩ଟି ୱିକେଟ୍ ୧୩୨ ରନ୍ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୧୬ଟି ବଲ୍‌ରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୩୯ ରନ୍ କରି ଅପରାଜିତ ରହିଥିଲେ। ଓପନର ସଞ୍ଜୁ ସାମସନ ୧୯ଟି ବଲ୍‌ରୁ ୨୯ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୭ଟି ବଲ୍‌ରୁ ୧୬ ରନ୍ କରିଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୧୪ଟି ବଲ୍‌ରୁ ୨୯ ରନ୍ କରିଥିବା ବେଳେ ନୀତୀଶ କୁମାର ରେଡ୍ଡୀ ୧୫ଟି ବଲ୍‌ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।