Advertisment

ଶେଷ ୨ ବଲ୍‌ରେ ଶେଷ ୨ ବ୍ୟାଟ୍‌ରଙ୍କ ରନ୍‌ ଆଉଟ୍‌ ଯୋଗୁଁ ହାରିଲା ଶ୍ରୀଲଙ୍କା

ମୁମ୍ବାଇ: ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ୨ ରନ୍‌ରେ ଜିତି ନେଇଛି ଭାରତ। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଜିତିବାର ଅନେକ ସୁଯୋଗ ଓ ସମ୍ଭାବନା ରହିଥିଲେ ମଧ୍ୟ ଶେଷ ଓଭରର ଶେଷ ଦୁଇ ବଲ୍‌ରେ ଦଳର ଦୁଇ ଜଣ ବ୍ୟାଟ୍‌ର ରନ୍‌ ଆଉଟ୍‌ ହେବାରୁ ମ୍ୟାଚ୍‌ ଭାରତ ସପକ୍ଷରେ ଚାଲିଯାଇଥିଲା। ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିବା ଦୀପକ ହୁଡାଙ୍କୁ ପ୍ଲେୟାର୍‌ ଅଫ୍‌ […]

ଅଦ୍ୟତନ ହୋଇଛି
ଶେଷ ୨ ବଲ୍‌ରେ ଶେଷ ୨ ବ୍ୟାଟ୍‌ରଙ୍କ ରନ୍‌ ଆଉଟ୍‌ ଯୋଗୁଁ ହାରିଲା ଶ୍ରୀଲଙ୍କା

Axar and Hooda

Advertisment

ମୁମ୍ବାଇ: ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ୨ ରନ୍‌ରେ ଜିତି ନେଇଛି ଭାରତ। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଜିତିବାର ଅନେକ ସୁଯୋଗ ଓ ସମ୍ଭାବନା ରହିଥିଲେ ମଧ୍ୟ ଶେଷ ଓଭରର ଶେଷ ଦୁଇ ବଲ୍‌ରେ ଦଳର ଦୁଇ ଜଣ ବ୍ୟାଟ୍‌ର ରନ୍‌ ଆଉଟ୍‌ ହେବାରୁ ମ୍ୟାଚ୍‌ ଭାରତ ସପକ୍ଷରେ ଚାଲିଯାଇଥିଲା। ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିବା ଦୀପକ ହୁଡାଙ୍କୁ ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଛି। ସେ ମାତ୍ର ୨୩ ବଲ୍‌ରୁ ୪୧ ରନ୍‌ କରିଥିଲେ।

Advertisment

ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ମଙ୍ଗଳବାରଠୁ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୬୨ରନ୍ ସଂଗ୍ରହ କରିଥିଲା। ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କ। ଈଶାନ କିଷନ ଓ ଶୁବମନ ଗିଲ୍ ଇଂନିସ ଓପନ କରିବାକୁ ଆସିଥିଲେ। ତେବେ ମାତ୍ର ୨.୩ ଓଭରରେ ଭାରତକୁ ଲାଗିଥିଲା ପ୍ରଥମ ଝଟକା। ମାତ୍ର ୭ ରନ୍ (୫ ବଲ୍‌) କରି ଆଉଟ୍ ହୋଇଯାଇଥିଲେ ଶୁବମନ ଗିଲ୍‌। ମହୀଶ ତୀକ୍ଷଣାଙ୍କ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଏହା ପରେ କ୍ରିଜ୍‌କୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ। ହେଲେ ସେ ବି ଅଧିକ ସମୟ ରହିପାରିଲେ ନାହିଁ। ୧୦ଟି ବଲ୍‌ରୁ ୭ ରନ୍ କରିଥିବା ବେଳେ ଚାମିକା କରୁଣାରତ୍ନେଙ୍କ ବଲ୍‌ରେ ଭାନୁକା ରାଜପକ୍ଷଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୫.୧ ଓଭରରେ ୩୮ ହୋଇଥିଲା।

Advertisment

ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ୍ ୬.୫ ଓଭରରେ ଧନଞ୍ଜୟ ଡି’ସିଲଭାଙ୍କ ବଲରେ ଦିଲଶାନ୍ ମଧୁଶଙ୍କାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୬ଟି ବଲ୍ ଖେଳି ୫ ରନ୍ କରିଥିଲେ।

୪୬ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିବା ବେଳେ ସ୍ଥିତିକୁ ସମ୍ଭାଳିବାକୁ ଆସିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଈଶାନ କିଷନଙ୍କ ସହ ମିଶି ସେ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୩୧ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ତେବେ ଦଳୀୟ ସ୍କୋର ୭୭ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଈଶାନ। ୱାନିନ୍ଦୁ ହସରଙ୍ଗାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଈଶାନ ଯିବା ପରେ ଦୀପକ ହୁଡାଙ୍କୁ ସାଥୀ କରି ଖେଳିଥିଲେ ହାର୍ଦ୍ଦିକ। ତେବେ ୨୯ ରନ୍ (୨୭) କରି ସେ ଦିଲଶାନ ମଧୁଶଙ୍କାଙ୍କ ବଲ୍‌ରେ କୁଶାଲ ମେଣ୍ତିସ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୯୪ ରନ୍‌ରେ ଦଳ ୫ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଦଳ ଆଉ ଅଧିକ ସମୟ ତିଷ୍ଠି ପାରିବନି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲେ। ତେବେ ତାକୁ ଭୁଲ୍ ସାବ୍ୟସ୍ତ କରିଥିଲେ ଦୀପକ ହୁଡା ଓ ଅକ୍ଷର ପଟେଲ।

ଏହି ଦୁଇ ଖେଳାଳି ଦମ୍‌ଦାର ଇନିଂସ୍ ଖେଳିଥିଲେ ଓ ଦଳକୁ ଏକ ଭଲ ସ୍ଥିତିକୁ ନେଇଥିଲେ। ସେମାନଙ୍କ ମଧ୍ୟରେ ୬୮ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଫଳରେ ଦଳର ସ୍କୋର ୧୬୨ରେ ପହଞ୍ଚିଥିଲା।

ଦୀପକ ହୁଡା ଅପରାଜିତ ରହି ୨୩ଟି ବଲ୍‌ରୁ ୪୧ ରନ୍ (ଗୋଟିଏ ଚୌକା, ୪ଟି ଛକା) କରିଥିବା ବେଳେ ଅକ୍ଷର ମଧ୍ୟ ଅପରାଜିତ ରହି ୨୦ଟି ବଲ୍‌ରେ ୩୧ ରନ୍ (୩ଟି ଚୌକା ଓ ଗୋଟିଏ ଛକା) କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା, ମହୀଶ ତୀକ୍ଷଣା, ଚାମିକା କରୁଣାରତ୍ନେ, ଧନଞ୍ଜୟ ଡି’ସିଲ୍‌ଭା ଓ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ଶ୍ରୀଲଙ୍କା ଦଳକୁ ଆରମ୍ଭରୁ ଝଟ୍‌କା ପରେ ଝଟ୍‌କା ଲାଗି ଚାଲିଥିଲା। ୧୦ ଓଭର୍‌ ୪ଟି ବଲ୍‌ ଭିତରେ ଦଳ ମାତ୍ର ୬୮ ରନ୍‌ ମଧ୍ୟରେ ପ୍ରମୁଖ ୫ ଜଣ ବ୍ୟାଟ୍‌ରଙ୍କୁ ହରାଇସାରିଥିଲା। ତେବେ ପରବର୍ତ୍ତୀ କେଇ ଓଭର୍‌ ମଧ୍ୟରେ ଅଧିନାୟକ ଦଶନ ଶନକଙ୍କ ୨୭ ବଲ୍‌ରେ ବିସ୍ଫୋରକ ୪୫, ଅଲ୍‌ ରାଉଣ୍ଡର ହସରଙ୍ଗା ଡି ସିଲ୍‌ଭାଙ୍କ ୧୦ ବଲ୍‌ରେ ୨୧ ଓ ଚମିକା କରୁଣାରତ୍ନଙ୍କ ୧୬ ବଲ୍‌ରେ ଅପରାଜିତ ୨୩ ରନ୍‌ ଫଳରେ ଶ୍ରୀଲଙ୍କା ସପକ୍ଷରେ ମ୍ୟାଚ୍‌ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଶେଷ ଆଡ଼କୁ ଚମିକା କରୁଣାରତ୍ନେ ଗୋଟେ ପଟେ ଜମି ରହି ଦୁଇଟି ଛକା ବଳରେ ବିଜୟ ନିକଟବର୍ତ୍ତୀ ହୋଇଥିଲେ ହେଁ ଶେଷ ଓଭରର ଶେଷ ଦୁଇ ବଲ୍‌ରେ ଦୁଇ ଦୁଇଟି ରନ୍‌ ଆଉଟ୍‌ ମ୍ୟାଚକୁ ଭାରତ ସପକ୍ଷରେ ନେଇଥିଲା।

ଶେଷ ଓଭରର ଶେଷ ଦୁଇ ବଲ୍‌ ବାକି ଥିବାବେଳେ ଶ୍ରୀଲଙ୍କା ଦଳ ୮ ୱିକେଟ୍‌ରେ ୧୫୯ ରନ୍‌ କରିସାରିଥିଲା। ବିଜୟ ପାଇଁ ଆଉ ମାତ୍ର ୪ ରନ୍‌ ଆବଶ୍ୟକ ଥିଲା। ମାତ୍ର ଶେଷ ଦୁଇ ବଲ୍‌ରେ ଶେଷ ଦୁଇ ବ୍ୟାଟର୍‌ କସୁନ ରଜିଥା ଓ ଦିଲସାନ ମଧୁଶଙ୍କା ରନ୍‌ ଆଉଟ୍‌ ହେଇଯାଇଥିଲେ। ଦଳର ରନ୍‌ ସଂଖ୍ୟା ୧୬୦ରେ ଅଟକି ଯାଇଥିଲା।

ଚିତ୍ତାକର୍ଷକ ବ୍ୟାଟିଂ ଓ ଶେଷ ଦୁଇ ବଲ୍‌ରେ ଚମତ୍କାର ଫିଲ୍ଡିଂ କୌଶଳ ପ୍ରଦର୍ଶନ କରି ଶ୍ରୀଲଙ୍କାର ଦୁଇ ଜଣ ବ୍ୟାଟ୍‌ରଙ୍କୁ ରନ୍‌ ଆଉଟ୍‌ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦୀପକ ହୁଡା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ପକ୍ଷରୁ ଶିବମ ମାବି ନିର୍ଦ୍ଧାରିତ ୪ ଓଭରରେ ମାତ୍ର ୨୨ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିଲାବେଳେ ଉମରାନ୍‌ ମାଲିକ ୪ ଓଭରରେ ୨୭ ରନ୍‌ ଦେଇ ୨ଟି ଓ ହର୍ଷଲ ପଟେଲ ୪ ଓଭରରେ ୪୧ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ। ଅଧିନାୟ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ଓପନ୍‌ କରି ୩ ଓଭରରେ ମାତ୍ର ୧୨ ରନ୍‌ ଦେଇଥିଲେ।

INDvSL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe