/odisha-reporter/media/post_attachments/uploads/2022/10/BCCI-2.jpg)
BCCI
ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ ଉପରେ କଳା ବାଦଲ ଘୋଟେଇ ଆସିଛି। ପାକିସ୍ତାନ ୫୦ ଓଭର ବିଶିଷ୍ଟ ଏସିଆ କପର ଆୟୋଜନର ଅଧିକାର ପାଇଥିବାରୁ ଟିମ୍ ଇଣ୍ଡିଆ ମଧ୍ୟ ଇସଲାମାବାଦ ଯିବ ବୋଲି କୁହାଯାଉଥିଲା। ହେଲେ ଏବେ ବିସିସିଆଇ ରୋକଠୋକ ଟିମ୍ ଇଣ୍ଡିଆକୁ କୌଣସି ପ୍ରକାରରେ ପାକିସ୍ତାନ ପଠାଇବ ନାହିଁ ବୋଲି କହିଛି।
ଆଜି ମୁମ୍ବାଇରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ବସିଥିଲା। ଏହି ସମୟରେ ବିସିସିଆଇ ସମ୍ପାଦକ ଜୟ ଶାହ ପାକିସ୍ତାନ ବଦଳରେ ଅନ୍ୟ କେଉଁ ସ୍ଥାନରେ ଏସିଆ କପ ୨୦୨୩ ଆୟୋଜନ କରିବାକୁ ମତ ରଖିଛନ୍ତି। ତେଣୁ ଭାରତ ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଜୟ ଶାହ ଏବେ ଏସିଆନ କ୍ରିକେଟ କାଉନସିଲ(ଏସିସି)ର ସଭାପତି ମଧ୍ୟ ରହିଛନ୍ତି।
ବିସିସିଆଇର ବୈଠକ ପରେ ଶାହ କହିଛନ୍ତି, “ଏସିଆ କପ ୨୦୨୩ ଗୋଟିଏ ନିରପେକ୍ଷ ଭେନ୍ୟୁରେ ହେବ। ମୁଁ ଏସିସି ସଭାପତି ଭାବେ ଏକଥା କହୁଛି। ଆମେ (ଭାରତ) କେବେ ହେଲେ ସେଠାକୁ(ପାକିସ୍ତାନ) ଯିବୁ ନାହିଁ। ସେମାନେ ଏଠାକୁ ଆସିପାରିବେ ନାହିଁ। ପୂର୍ବରୁ ମଧ୍ୟ ଅନେକ ଥର ନିରପେକ୍ଷ ଭେନ୍ୟୁରେ ଏସିଆ କପ ଆୟୋଜନ ହୋଇଛି। ତେଣୁ ୨୦୨୩ରେ ମଧ୍ୟ ନିରପେକ୍ଷ ଭେନ୍ୟୁରେ ଏସିଆ କପ ହେବ।”
ଶାହ ମିଡିଆକୁ ଏକଥା କହିବା ବେଳେ ବିସିସିଆଇର ନୂଆ ବସ୍ ରୋଜର ବିନ୍ନ, କୋଷାଧ୍ୟକ୍ଷ ଆଶିଷ ଶେଲାଲ ଓ ଉପ ସଭାପତି ରାଜୀବ ଶୁକ୍ଳା ଉପସ୍ଥିତ ରହିଥିଲେ।
ଶ୍ରୀ ଶାହ ଏସିସି ସଭାପତି ଭାବେ ଆଜି ଏପରି ବୟାନ ଦେବା ପରେ ନୂଆ ହଟଚମଟ ଦେଖିବାକୁ ମିଳିଛି। କାରଣ ଏସିସି ବୈଠକରେ ଏଯାଏ ଏ ବିଷୟରେ ଆଲୋଚନା ହୋଇନି। ସେହିପରି କେଉଁ ଆଧାରରେ ଶାହ ଏକଥା କହିଲେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡରୁ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ଶାହଙ୍କ ଏପରି ବୟାନ ଆଇସିସିର ଦୁଇ ଇଭେଣ୍ଟ ଆୟୋଜନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ୨୦୨୩ ଦିନିକିଆ ବିଶ୍ୱକପ ଭାରତରେ ଆୟୋଜନ ହେବ। ସେହିପରି ପାକିସ୍ତାନ ୨୦୨୫ ଚାମ୍ପିୟନଶିପ ଆୟୋଜନର ଅଧିକାର ପାଇଛି। ଟିମ ଇଣ୍ଡିଆ ଯଦି ପାକିସ୍ତାନରେ କ୍ରିକେଟ ଖେଳିବ ନାହିଁ, ତା’ହେଲେ ପାକିସ୍ତାନ ମଧ୍ୟ ସମାନ ନୀତି ଆପଣାଇ ପାରେ।
୨୦୧୬ ଟି-୨୦ ବିଶ୍ୱକପ ଭାରତରେ ଆୟୋଜନ ହୋଇଥିଲେ। ଏଥିରେ ଭାଗ ନେବାକୁ ପାକିସ୍ତାନ ସରକାର ଶେଷ ମୁହୂର୍ତ୍ତରେ ଦଳକୁ ନୂଆଦିଲ୍ଲୀ ଯିବାକୁ ଅନୁମତି ଦେଇଥିଲେ।
ଭାରତ ଓ ପାକିସ୍ତାନ ୨୦୧୨-୧୩ ପରଠାରୁ ଆଉ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳି ନାହାନ୍ତି। ୨୦୧୨-୧୩ରେ ପାକିସ୍ତାନ ଶେଷଥର ପାଇଁ ଭାରତ ଗସ୍ତରେ ଆସି ୩ଟି ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିଥିଲା। ସେବେଠାରୁ ଉଭୟ ଦଳ କେବଳ ଏସିଆ କପ ଓ ବିଶ୍ୱସ୍ତରୀୟ ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।
ଭାରତ ଶେଷଥର ପାଇଁ ୨୦୦୫-୦୬ରେ ପାକିସ୍ତାନ ଟୁରରେ ଯାଇଥିଲା। ରାହୁଲ ଡ୍ରାଭିଡ ସେତେବେଳେ ଅଧିନାୟକ ଥିଲେ। ଏହି ଟୁରରେ ଭାରତ ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍ ପାକିସ୍ତାନ ମାଟିରେ ଖେଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
