Advertisment

ବଦଳିଲା ଆଇପିଏଲ ନିୟମ: ମ୍ୟାଚ୍‌ ଉପରେ ପଡ଼ିପାରେ ବଡ଼ ପ୍ରଭାବ

ପ୍ଲେଇଂ କଣ୍ଡିସନ କ୍ଲଜ ୧.୨.୧ ଅନୁଯାୟୀ, ପ୍ରତି ଦଳର ଅଧିନାୟକ ୧୧ ଖେଳାଳିଙ୍କ ବ୍ୟତୀତ ଆଉ ୫ ଜଣ ବଦଳ ଫିଲ୍ଡରଙ୍କ ନାଁ ଟସ୍‌ ପରେ ଲିଖିତ ଭାବେ ମ୍ୟାଚ୍‌ ରେଫରୀଙ୍କୁ ଦେବେ।

author-image
Hemant Lenka
IPL

IPL

ଆସନ୍ତା ୩୧ ତାରିଖରୁ ଆଇପିଏଲର ୨୦୨୩ ସଂସ୍କରଣ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଜାଏଣ୍ଟସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ। ଚଳିତ ବର୍ଷ ଆଇପିଏଲରେ ଇମ୍ପାକ୍ଟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ଏହି ନିୟମ ସମ୍ପର୍କରେ ଘୋଷଣା କରାଯାଇ ସାରିଥିଲା। ଏବେ ଆଇପିଏଲ ନିୟମରେ ଆଉ କିଛି ବଡ଼ ପରିବର୍ତ୍ତନ ହୋଇଛି।

Advertisment

ଆଜି ବିସିସିଆଇ ପକ୍ଷରୁ ସବୁ ପ୍ରାଞ୍ଚାଇଜର କ୍ୟାପ୍ଟେନମାନଙ୍କୁ ନୂଆ ନିୟମ ସମ୍ପର୍କରେ ଅବଗତ କରାଯାଇଛି। ନୂଆ ନିୟମ ଚୂଡ଼ାନ୍ତ ଏକାଦଶରେ ବଡ଼ ପ୍ରଭାବ ପକାଇବ ବୋଲି କୁହାଯାଉଛି। 

ନୂଆ ନିୟମ ଅନୁଯାୟୀ, ଏଣିକି ଆଇପିଏଲ ଟିମର କ୍ୟାପ୍ଟେନମାନେ ଟସ୍‌ ପରେ ନିଜର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାକୁ ଥିବା ଖେଳାଳିଙ୍କ ନାଁ ଘୋଷଣା କରିବେ। ପୂର୍ବରୁ ଟସ୍‌ ପଡ଼ିବା ପୂର୍ବରୁ ଦୁଇ ଦଳର କ୍ୟାପ୍ଟେନ ଗୋଟିଏ କାଗଜରେ ପରସ୍ପରକୁ ଚୂଡ଼ାନ୍ତ ଏକାଦଶର ତାଲିକା ଦେଉଥିଲେ।

Advertisment

ପ୍ଲେଇଂ କଣ୍ଡିସନ କ୍ଲଜ ୧.୨.୧ ଅନୁଯାୟୀ, ପ୍ରତି ଦଳର ଅଧିନାୟକ ୧୧ ଖେଳାଳିଙ୍କ ବ୍ୟତୀତ ଆଉ ୫ ଜଣ ବଦଳ ଫିଲ୍ଡରଙ୍କ ନାଁ ଟସ୍‌ ପରେ ଲିଖିତ ଭାବେ ମ୍ୟାଚ୍‌ ରେଫରୀଙ୍କୁ ଦେବେ। ଚୂଡ଼ାନ୍ତ ଏକାଦଶକୁ ଟସ୍‌ ପରେ ପରିବର୍ତ୍ତନ କରାଯାଇ ପାରିବ। ମ୍ୟାଚ୍‌ ପୂର୍ବରୁ ଅଧିନାୟକ ଚାହିଁଲେ ଚୂଡ଼ାନ୍ତ ଏକାଦଶ ବଦଳାଇ ପାରିବେ। ଏଥିପାଇଁ ବିରୋଧୀ ଦଳର ଅଧିନାୟକଙ୍କ ସହମତିର ଆବଶ୍ୟକ ନାହିଁ।

ଏହାର ଅର୍ଥ ଟସ୍‌ ପରେ ଯଦି ଦଳର ଅଧିନାୟକ ପରିସ୍ଥିତିକୁ ଦେଖି କିଛି ଅଦଳବଦଳ କରିବାକୁ ଚାହିଁବେ, ତା’ହେଲେ ପ୍ରଥମ ବଲ ପଡ଼ିବା ପୂର୍ବରୁ ସେ ଏହା କରିପାରିବେ।

ଏହାବାଦ ମ୍ୟାଚ୍‌ ବେଳେ ଅଣଖେଳୁଆଡ଼ ମନୋଭାବ ସହ ଯଦି ୱିକେଟ କିପର କିମ୍ବା କୌଣସି ଫିଲ୍ଡର ବୋଲିଂ ବେଳେ ନିଜର ସ୍ଥାନ ବଦଳାନ୍ତି, ତା’ହେଲେ ପେନାଲ୍ଟି ଲାଗୁ ହେବ। ଯଦି କୌଣସି ଟିମର ୱିକେଟ କିପର ବ୍ୟାଟର ବଲ ଖେଳିବା ପୂର୍ବରୁ ସ୍ଥାନ ବଦଳାନ୍ତି, ତା’ହେଲେ ଅମ୍ପାୟାର ଏହାକୁ ଡେଡ୍‌ ବଲ ବୋଲି ଘୋଷାଣ କରି ପ୍ରତିପକ୍ଷ ଟିମ୍‌କୁ ୫ ରନର ପେନାଲ୍ଟୀ ଆକାରାରେ ଦେଇ ପାରିବେ।

ଆଉ ଗୋଟିଏ ନିୟମ ହେଉଛି ଇମ୍ପାକ୍ଟ ଖେଳାଳି। ପ୍ରତି ଟିମ ସେମାନଙ୍କ ଚୂଡ଼ାନ୍ତ ଏକାଦଶ ବ୍ୟତୀତ ଆଉ ୫ ଜଣଙ୍କୁ ବଦଳ ଖେଳାଳି ଭାବେ ସଂରକ୍ଷିତ କରି ରଖିପାରିବେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟବହାର କରିପାରିବେ। ଏହି ଇମ୍ପାକ୍ଟ ଖେଳାଳି ଜଣଙ୍କ ୧୪ ଓଭର ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ଥିବା ଯେକୌଣସି ଖେଳାଳିଙ୍କ ବଦଳରେ ମୈଦନାନକୁ ଓହ୍ଲାଇ ପାରିବେ। ଏଥିସହ ତାଙ୍କୁ ସଂପୂର୍ଣ୍ଣ ଭାବେ ବ୍ୟାଟିଂ ଓ ବୋଲିଂ କରିପାରିବାର ସୁଯୋଗ ମିଳିବ।

ଇମ୍ପାକ୍ଟ ଖେଳାଳି ଜଣଙ୍କ ଆଉଟ ହୋଇଥିବା ବ୍ୟାଟରଙ୍କ ସ୍ଥାନ ନେଇପାରିବେ ଓ ସେ ମଧ୍ୟ ବ୍ୟାଟିଂ କରିପାରିବେ କିମ୍ବା ଇମ୍ପାକ୍ଟ ଖେଳାଳି ଜଣଙ୍କ ମଧ୍ୟ କିଛି ଓଭର ବୋଲିଂ କରିଥିବା ବୋଲରଙ୍କ ସ୍ଥାନ ନେଇ ନିଜର ଫୁଲ ଓଭର କୋଟା ଶେଷ କରିପାରିବେ।

ଇମ୍ପାକ୍ଟ ଖେଳାଳି ନିୟମ ଅନ୍ୟ ବଦଳ ଖେଳାଳି ନିୟମ ଠାରୁ ଭିନ୍ନ। ପୂର୍ବରୁ ୨୦୦୫ ଓ ୨୦୦୬ରେ ସୁପରସବ ସିଷ୍ଟମ ଦିନିକିଆରେ ଲାଗୁ ହୋଇଥିଲା। ଏହି ନିୟମ ଅନୁସାରେ ଜଣେ ଖେଳାଳିଙ୍କ ବଦଳରେ ଆଉ ଜଣେ ଖେଳାଳିଙ୍କୁ ସୁଯୋଗ ମିଳୁଥିଲା।

ଏହାର ଅର୍ଥ ଯଦି ଜଣେ ବ୍ୟାଟର ଆଉଟ ହେବା ପରେ ସୁପରସବ ବ୍ୟବସ୍ଥା କୌଣସି ଟିମ ଆପଣାଇବ, ତା’ହେଲେ ବଦଳ ଖେଳାଳି ଆଉ ବ୍ୟାଟିଂ କରିପାରୁ ନଥିଲେ। ବୋଲରଙ୍କ ବଦଳରେ ସ୍ଥାନ ପାଉଥିବା ଖେଳାଳି କେବଳ ବଳକା ଓଭର ହିଁ ବୋଲିଂ କରିବାର ସୁଯୋଗ ପାଉଥିଲେ। ହେଲେ ଆଇପିଏଲରେ ସେଭଳି ନ କରି ନୂଆ ନିୟମ ଲାଗୁ କରାଯିବ।

IPL