Advertisment

ଟି-୨୦ ମହିଳା ବିଶ୍ୱକପ୍‌: ସେମି ଫାଇନାଲ୍‌ରେ ହାରିଗଲା ଭାରତ

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୭୨ ରନ୍ କରିଥିଲା।

author-image
Jitendra Garnayak
Jemimah Rodrigues

Jemimah Rodrigues

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟି-୨୦ ମହିଳା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛି ଭାରତୀୟ ଦଳ। ଗୁରୁବାର ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୫ ରନ୍‌ରେ ପରାସ୍ତ ହୋଇଛି।

Advertisment

୧୭୩ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧.୩ ଓଭରରେ ଓପନର ଶେଫାଳି ବର୍ମା ଆଉଟ୍ ହୋଇଯାଇଥିଲେ। ୬ଟି ବଲ୍‌ରୁ ୯ ରନ୍ କରିଥିବା ଶଫାଳିଙ୍କୁ ମେଗାନ ଶଟ୍‌ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ।

ଏହା ପର ଓଭରରେ ନିରାଶ କରିଥିଲେ ସ୍ମୃତି ମନ୍ଧାନା। ଗତ ମ୍ୟାଚ୍‌ରେ ବଢ଼ିଆ ଖେଳିଥିବା ମନ୍ଧାନା ଆଜି ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଶଲୀ ଗାର୍ଡନରଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ତିନି ନମ୍ବରରେ ଆସିଥିବା ୟାସ୍ତିକ ଭାଟିଆ ୭ଟି ବଲ୍‌ରୁ ୪ ରନ୍ କରିଥିବା ବେଳେ ଗ୍ରେସ୍ ହ୍ୟାରିସ୍‌ଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ।

Advertisment

୩.୪ ଓଭରରେ ୩ଟି ୱିକେଟ୍ ହରାଇଥିଲେ ବି ଧୈର୍ଯ୍ୟ ହରାଇ ନଥିଲେ ୪ ଓ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍‌ସ ଓ ଅଧିନାୟକ ହରମନପ୍ରୀତ କୌର। ସେମାନଙ୍କ ମଧ୍ୟରେ ଏକ ସୁନ୍ଦର ପାର୍ଟନରଶିନପ୍ ହୋଇଥିଲା। ସେମାନେ ୪୧ଟି ବଲ୍‌ରୁ ଦ୍ରୁତ ୬୯ ରନ୍ କରିଥିଲେ। ତେବେ ଜେମିମା ୪୩ ରନ୍ (୨୪ ବଲ୍‌, ୬ ଚୌକା) କରି ଆଉଟ୍ ହୋଇଯାଇଥିଲେ। ଡି. ବ୍ରାଉନ୍‌ଙ୍କ ବଲ୍‌ରେ ଏଲିସା ହିଲୀଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।

ଜେମିମା ଗଲା ପରେ ରିଚା ଘୋଷ ଆସିଥିଲେ। ରିଚାଙ୍କ ସହ ମିଶି ହରମନପ୍ରୀତ କୌର ମ୍ୟାଚ୍‌କୁ ଆଗେଇ ନେଇଥିଲେ ଓ ସେମାନଙ୍କ ମଧ୍ୟରେ ୩୬ ରନ୍‌ (୨୭ଟି ବଲ୍‌)ର ପାର୍ଟନରଶିପ୍ ହୋଇଥିଲା। ହରମନପ୍ରୀତ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ତେବେ ୫୨ ରନ୍ କରିଥିବା ବେଳେ ସେ ରନ୍ ଆଉଟ୍ ହୋଇଯାଇଥିଲେ। ସେ ୩୪ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ।

ଜେମିମା ଓ ହରମନପ୍ରୀତ ଆଉଟ୍ ହେବା ପରେ ଭାରତର ବିଜୟ ଆଶା ପୁଣି ଥରେ ମଉଳି ଯାଇଥିଲା। ହରମନପ୍ରୀତ ୧୪.୪ ଓଭରରେ ପ୍ୟାଭିଲିୟନକୁ ଫେରିଯିବା ପରେ ୧୫.୬ ଓଭରରେ ଆଉଟ୍ ହୋଇଯାଇଥିଲେ ରିଚା ଘୋଷ। ସେ ୧୭ଟି ବଲ୍‌ରୁ ୧୪ ରନ୍ କରିଥିଲେ। ଦୀପ୍ତି ଶର୍ମା ଓ ସ୍ନେହା ରାଣା ପ୍ରୟାସ କରିଥିଲେ, କିନ୍ତୁ ଦଳକୁ ବିଜୟୀ କରିବାରେ ସଫଳ ହୋଇନଥିଲେ। ସ୍ନେହା ରାଣା ୧୦ଟି ବଲ୍‌ରୁ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଶେଷ ଓଭରରେ ଭାରତକୁ ଜିତିବାକୁ ୧୬ ରନ୍ କରିବାକୁ ଥିବା ବେଳେ ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରେ ରାଧା ଯାଦବ ଶୂନରେ ଆଉଟ୍ ହୋଇଥିଲେ। ଦୀପ୍ତି ଶର୍ମା ୨୦ ଓ ଶିଖା ପାଣ୍ଡେ ୧ ରନ୍ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଆଶ୍‌ଲୀ ଗାର୍ଡନର ଓ ଡି. ବ୍ରାଉନ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମେଗାନ୍ ଶଟ୍ ଓ ଜେସ୍ ଜୋନାସେନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଦଳ ପକ୍ଷରୁ ବେଥ୍ ମୁନୀ ସର୍ବାଧିକ ୫୪ ରନ୍ (୩୭ ବଲ୍, ୭ ଚୌକା ଓ ଗୋଟିଏ ଛକା) କରିଥିବା ବେଳେ ଅଧିନାୟକ ମେଗ୍ ଲ୍ୟାନିଙ୍ଗ ୪୯ (୩୪ଟି ବଲ୍, ୪ ଚୌକା, ୨ ଛକା), ଆଶ୍‌ଲୀ ଗାର୍ଡନର ୩୧ (୧୮ ବଲ୍, ୫ ଚୌକା) ଓ ଓପନର ତଥା ୱିକେଟ୍ କିପର ଏଲିସା ହିଲୀ ୨୫ ରନ୍ (୨୬ ବଲ୍‌, ୩ ଚୌକା) କରିଥିଲେ। ଗ୍ରେସ୍ ହ୍ୟାରିସ୍ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଏଲିସ୍ ପେରୀ ୨ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଶିଖା ପାଣ୍ଡେ ୨ଟି ୱିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା ଓ ରାଧା ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Cricket T20 World Cup Women's T20 World Cup