/odisha-reporter/media/post_attachments/uploadimage/library/16_9/16_9_0/Women_Team_1703406601.jpg)
Women Team
ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍। ଟେଷ୍ଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଦଳ। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍ ୮ ୱିକେଟ୍ରେ ପରାସ୍ତ କରିଛି। ୧୯୭୭ରୁ ୧୧ଟି ପ୍ରୟାସ ପରେ ଭାରତୀୟ ମହିଳା ଦଳ ଆଜି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଟେଷ୍ଟ୍ କ୍ରିକେଟରେ ପରାସ୍ତ କରିଛି।
ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ପ୍ରଥମ ଦିନରୁ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା ଭାରତ। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଭଲ ପ୍ରଦର୍ଶନ କରିଥିଲା।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୨୧୯ ରନ୍ରେ ସୀମିତ ରଖିବାରେ ସଫଳ ହୋଇଥିଲେ ଭାରତୀୟ ଦଳ। ଏହା ପରେ ଭାରତ ଖେଳିଥିଲା ପ୍ରଥମ ଇନିଂସ। ଦଳ ୪୦୬ ରନ୍ କରିଥିଲା। ଦଳ ପକ୍ଷରୁ ଦୀପ୍ତି ଶର୍ମା ୭୮, ସ୍ମୃତି ମନ୍ଧାନା ୭୪, ଜେମିମା ରୋଡ୍ରିଗସ୍ ୭୩, ରିଚା ଘୋଷ ୫୨, ପୂଜା ବସ୍ତ୍ରକାର ୪୭ ଓ ଶେଫାଳି ବର୍ମା ୪୦ ରନ୍ କରିଥିଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଠାରୁ ୧୮୭ ରନ୍ରେ ଆଗୁଆ ଥିଲା ଦଳ।
ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୬୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ତରଫରୁ ତାହଲିଆ ମ୍ୟାକ୍ଗ୍ରା ୭୩ ରନ୍ କରିଥିଲେ। ତେବେ ଭାରତ ଉପରେ ଏହା କୌଣସି ପ୍ରକାର ଚାପ ପକାଇବାରେ ସଫଳ ହୋଇ ନଥିଲା। କାରଣ ଭାରତର ସ୍ନେହ ରାଣା ୬୩ ରନ୍ରେ ୪ ୱିକେଟ୍ ନେଇ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲେ। ସେହିପରି ହରମନପ୍ରୀତ କୌର ଓ ରାଜେଶ୍ୱରୀ ଗାୟକ୍ୱାଡ୍ ୨ଟି ଲେଖାଏଁ ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। ୭୩ ରନ୍ କରି ଅଷ୍ଟ୍ରେଲିଆ ପାଇଁ ବଡ଼ ସ୍କୋର କରିବା ଦିଗରେ ଅଗ୍ରସର ହେଉଥିବା ତାହଲିଆ ମ୍ୟାକ୍ଗ୍ରାଙ୍କୁ ଆଉଟ୍ କରିଥିଲେ ହରମନପ୍ରୀତ୍।
ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୨୩୩ ରନ୍ କରିଥିବା ବେଳେ ଆଜି ଆଉ ମାତ୍ର ୨୮ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା।
୭୫ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ୧୮.୪ ଓଭରରେ ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ସ୍ମୃତି ମାନ୍ଧାନା ଅପରାଜିତ ରହି ୬୧ଟି ବଲ୍ରୁ ୩୮ ରନ୍ କରିଥିଲେ। ଓପନର ଶେଫାଳି ବର୍ମା ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିଭଳି ୩ ନମ୍ବରରେ ଆସିଥିବା ରିଚା ଘୋଷ ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଜେମିମା ରୋଡ୍ରିଗସଙ୍କ ସହ ମିଶି ୧୮.୪ ଓଭରରେ ଭାରତକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ ସ୍ମୃତି ମାନ୍ଧାନା।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିବା ବେଳେ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
