ସଲମାନ ଓ ସୂର୍ଯ୍ୟ କୁମାର
ପଡ଼ିଆ ବାହାରେ ଘଟିଥିବା ସବୁ ଡ୍ରାମା ଓ ରାଜନୀତିକ ନାରାବାଜୀ ପରେ ଟି-୨୦ ବିଶ୍ୱକପ(T20 World Cup)ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆସନ୍ତାକାଲି ଖେଳାଯିବ ଟି-୨୦ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା। ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଲଢ଼େଇ କରିବେ ଭାରତ ଓ ପାକିସ୍ତାନ। ଏହାକୁ ନେଇ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ହୋଇ ଉଠିଛନ୍ତି।
ଲଢ଼େଇ ପୂର୍ବରୁ ଅଧିକାଂଶ କ୍ରିକେଟ ପଣ୍ତିତ ଭାରତ ସପକ୍ଷରେ ମ୍ୟାଚ୍ ଯିବ ବୋଲି କହିଛନ୍ତି। କାରଣ ଟି-୨୦ରେ ଭାରତର ପ୍ରଦର୍ଶନ ଏଯାଏ ବେଶ ପ୍ରଭାବଶାଳୀ ରହିଛି। ଟ୍ରଫି ଜିତିବାର ରେସରେ ଭାରତୀୟ ଟିମ ରହିଥିବା ବେଳେ ଚଳିତ ବିଶ୍ୱକପରେ ଆମେରିକା ଓ ନାମିବିୟାକୁ ହରାଇ ଦେଇଛି। ଭାରତ ଏବେ ପଏଣ୍ଟ ଟେବୁଲ ଟପରେ ରହିଛି।
ଆମେରିକା ବିପକ୍ଷରେ ଭାରତୀୟ ବ୍ୟାଟର ସଂଘର୍ଷ କରିଥିଲେ ହେଁ ନାମିବିୟା ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଯାଦୁ ଦେଖାଇଛନ୍ତି। ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ୯୩ ରନରେ ନାମିବିୟାକୁ ହରାଇ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ବିଜୟ ହାସଲ କରିବାର ରେକର୍ଡ କରିଛି।
ଅନ୍ୟପକ୍ଷରେ ପାକିସ୍ତାନ ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ହାରୁ ହାରୁ ବର୍ତ୍ତିଥିଲା। ଦଳ କିନ୍ତୁ ଆମେରିକାକୁ ଦ୍ୱିତୀୟ ମ୍ୟାଚ୍ରେ ସହଜରେ ହରାଇ ଦେଇଛି। ଭାରତ ଭଳି ପାକିସ୍ତାନ ୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଅର୍ଥାତ ରବିବାର ଜିତିବାକୁ ଥିବା ଦଳ ସିଧା ସୁପର ୮କୁ ଯୋଗ୍ୟତା ଅର୍ଜନ କରିବ।
ରବିବାର ସମସ୍ତେ ହାଇଭୋଲଟେଜ ଥ୍ରୀଲର ଅପେକ୍ଷାରେ ରହିଛି। ଟି-୨୦ ବିଶ୍ୱକପ ପୂର୍ବରୁ ଏକାଧିକ ସିରିଜ ଜିତିଥିଲା ଭାରତ। ସେହିପରି ଗୋଟିଏ ଦଶନ୍ଧି ଧରି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଦବଦବା ରହି ଆସିଛି। ନିଶ୍ଚିତ ଭାବେ ଏହା ଖେଳାଳିଙ୍କ ମନୋବଳକୁ ସୁଦୃଢ଼ କରିବ। ତଥାପି ବିଶ୍ୱକପ ଲଢ଼େଇର ଚାପ ନିଶ୍ଚିତ ଭାବେ ଭାରତ ଉପରେ ରହିବ। ଆର ପ୍ରେମଦାସା ଷ୍ଟାଡିୟମ ଭାରତ ପାଇଁ ଆଦୌ ନୂଆ ନୁହେଁ। ଭାରତ ଏହାର ପିଚ ଓ ପରିବେଶ ସହ ବେଶ ଭଲ ଭାବେ ଅବଗତ।
କଲମ୍ବୋରେ ଭାରତର ପ୍ରଦର୍ଶନ
କଲମ୍ବୋରେ ଥିବା ଆର ପ୍ରେମଦାସା ଷ୍ଟାଡିମୟରେ ଭାରତକୁ ମିଳିଛି ଐତିହାସିକ ସଫଳତା। ଏହି ସ୍ଥାନରେ ଭାରତର ଦବଦବା ରହିଛି। ୨୦୦୯ରୁ ଭାରତ ଏଠାରେ ୧୫ଟି ଟି-୨୦ ଖେଳିଥିବା ବେଳେ ୧୧ଟି ଜିତିଛି ଓ ୪ଟି ହାରିଛି। ଏଥିରୁ ଶ୍ରୀଲଙ୍କା ପରିବେଶରେ ଟିମ ଇଣ୍ଡିଆର ସ୍ଥିରତାର ସଙ୍କେତ ମିଳୁଛି।
୨୦୧୨ ଟି-୨୦ ବିଶ୍ୱକପ ହିଁ ଭାରତୀୟ ଟିମର ଶକ୍ତିର ଉଦାହରଣ। ଏଠାରେ ଦଳ ୫ଟି ମ୍ୟାଚ୍ ଖେଳିଥିବା ବେଳେ ୪ଟିରେ ଜିତିଥିଲା। ଦଳକୁ ଏକମାତ୍ର ପରାଜୟ ଅଷ୍ଟ୍ରେଲିଆ ଠାରୁ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆୟୋଜକ ଶ୍ରୀଲଙ୍କାକୁ ଛାଡ଼ି ଦେଲେ କେବଳ ଅଷ୍ଟ୍ରେଲିଆ ହିଁ ଭାରତକୁ ଏଯାଏ ପ୍ରେମଦାସାରେ ହରାଇ ପାରିଛି। ତେଣୁ କଲମ୍ବୋର ଏହି ଆଇକନିକ ଷ୍ଟାଡିୟମରେ ଭାରତର ଦବଦବା ଏଥିରୁ ସ୍ପଷ୍ଟ ହେଉଛି।
କଲମ୍ବୋରେ ଭାରତକୁ କ’ଣ କରିବା ଦରକାର?
କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମ ସବୁବେଳେ ଚେଜିଂ ଟିମକୁ ଫାଇଦା ଦେଇ ଆସିଛି। ତେଣୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳକୁ ବଡ଼ ସ୍କୋର କରିବା ଜରୁରୀ। ଏହି ଭେନ୍ୟୁରେ ଗତ ୫୧ଟି ଟି-୨୦ରେ ଆଭେରେଜ ସ୍କୋର ହେଉଛି ୧୫୨। ୨୮ଟି ମ୍ୟାଚ୍ରେ ପଛରେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛି।
କିନ୍ତୁ ଚଳିତ ବିଶ୍ୱକପରେ କିଛି ଭିନ୍ନ ଘଟଣା ଘଟିଛି। ଚେଜିଂ ଏଠାରେ ସେତେଟା ସହଜ ହେଉନି। ଚେଜ କରିବାକୁ ଯାଇ ଆୟର୍ଲ୍ୟାଣ୍ଡ ଦୁଇ ଥର ଓ ଅଷ୍ଟ୍ରେଲିଆ ଥରେ ଫସିଛି। ବର୍ତ୍ତମାନ ସୁଦ୍ଧା ପ୍ରେମଦାସାରେ ଚେଜିଂ ଟିମ ସମସ୍ତ ୩ଟି ଯାକ ମ୍ୟାଚ୍ ହାରିଛି।
ସେହିପରି ଚଳିତ ବିଶ୍ୱକପରେ ଭେନ୍ୟୁର ଆଭରେଜ ରନ ୧୫୮କୁ ବଢ଼ିଛି। କଲମ୍ବୋରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ରୁ ଅଧିକ ରନ ୬ଟି ମ୍ୟାଚ୍ରେ କରିଥିବା ବେଳେ ୫ଥର ଜିତିଛି। ଗ୍ରାଉଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂ ମଧ୍ୟରେ ସମାନ ଲଢ଼େଇକୁ ସୁଯୋଗ ଦେଇଥାଏ।
ଯଦିଓ ବଡ଼ ରନର ଆବଶ୍ୟକ ନାହିଁ, ତଥାପି ୧୬୫ କିମ୍ବା ତା’ ଠାରୁ ସାମାନ୍ୟ ଅଧିକ ରବିବାର ବିଜୟ ପାଇଁ ଯଥେଷ୍ଟ ହେବ। ପ୍ରେମଦାସା ଷ୍ଟାଡିୟମ ବେଶ ବଡ଼। ତେଣୁ ବଡ଼ ଶଟ ବଦଳରେ ସିଙ୍ଗଲ ଓ ଡବଲ ଉପରେ ବେଶୀ ଭରସା କରିବାକୁ ହେବ।
କଲମ୍ବୋରେ ଭାରତର ସର୍ବାଧିକ ସ୍କୋର: ୧୭୬/୩-ବାଂଲାଦେଶ-୨୦୧୮ ମାର୍ଚ୍ଚ
କଲମ୍ବୋରେ ଭାରତର ସର୍ବନିମ୍ନ ସ୍କୋର : ୮୧/୮- ଶ୍ରୀଲଙ୍କା- ୨୦୨୧ ଜୁଲାଇ
କଲମ୍ବୋରେ ଭାରତର ଆଭରେଜ ସ୍କୋର – ୧୫ ମ୍ୟାଚ୍ରେ ୧୫୭ ରନ
ସ୍ପିନ ହେଉଛି ଜିତିବାର ମନ୍ତ୍ର!
ପାରମ୍ପରିକ ଭାବେ ଉଭୟ ସ୍ପିନ ଓ ପେସ୍ କଲମ୍ବୋ ଟି-୨୦ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଦ୍ରୁତ ବୋଲରମାନେ ଏଠାରେ ୩୨୩ଟି ୱିକେଟ ନେଇଥିବା ବେଳେ ସ୍ପିନରଙ୍କ ଖାତାରେ ରହିଛି ୨୮୨ ୱିକେଟ। ଚଳିତ ବିଶ୍ୱକପରେ ମଧ୍ୟ ଉଭୟ ସ୍ପିନ ଓ ପେସ ବୋଲରଙ୍କୁ ସମାନ ସଫଳତା ମିଳିଛି। ୱାଇନିନ୍ଦୁ ହସରଙ୍ଗା ଓ ମହୀଶ ତୀକଶାନା ଆୟର୍ଲ୍ୟାଣ୍ଡକୁ ଘାଇଲା କରିଥିଲେ। ଆୟର୍ଲ୍ୟାଣ୍ଡ ପାଇଁ ଜର୍ଜ ଡୋକରେଲ ୩ଟି ସଫଳତା ପାଇଥିଲେ।
ବୁଧବାର ଅଷ୍ଟ୍ରେଲିଆର ଆଡାମ ଜାମ୍ପା ଆୟର୍ଲ୍ୟାଣ୍ଡ ବିପକ୍ଷରେ ୪ ସଫଳତା ହାସଲ କରିଥିଲେ। ଦ୍ରୁତ ବୋଲର ନାଥନ ଏଲିସଙ୍କୁ ମଧ୍ୟ ୪ ୱିକେଟ ମିଳିଥିଲା। ଆୟର୍ଲ୍ୟାଣ୍ଡର ଦ୍ରୁତ ବୋଲର ବି ୩ ୱିକେଟ ନେଇଥିଲେ। ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଜିମ୍ବାୱେର ଦୁଇ ଦ୍ରୁତ ବୋଲର ବ୍ଲେସିଂ ମୁଜରବାନି ଓ ବ୍ରାଡ ଇଭାନ୍ସ ଚମତ୍କାର ପ୍ରଦର୍ଶନ କରି ୭ ୱିକେଟ ହାସଲ କରିଥିଲେ।
ଭାରତ ଓ ପାକିସ୍ତାନ ପାଖରେ ଦକ୍ଷ ସ୍ପିନର ରହିଛନ୍ତି। କିନ୍ତୁ ଭାରତୀୟ ପେସ ବିଶେଷ କରି ଯଶପ୍ରୀତ ବୁମ୍ରାଙ୍କ ଯୋଗୁ ଟିମ ଇଣ୍ଡିଆର ପଲ୍ଲା ସାମାନ୍ୟ ଭାରୀ ରହିବ। ପାକିସ୍ତାନର ରହସ୍ୟମୟ ସ୍ପିନର ଉସମାନ ତାରିକଙ୍କୁ ନେଇ ଏବେ ବେଶ ଚର୍ଚ୍ଚା। ସେ ସଲମାନ ଅଲୀ ଆଘାଙ୍କ ପାକିସ୍ତାନ ପାଇଁ ଭାରତ ବିପକ୍ଷରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ରବିବାର ସମ୍ଭବତଃ କେବଳ ସ୍ପିନ ନୁହେଁ, ବରଂ ପେସ୍ ମଧ୍ୟ ମ୍ୟାଚ୍ର ଫଳାଫଳ ଉପରେ ଯଥେଷ୍ଟ ପ୍ରଭାବ ପକାଇବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/14/team-india-2026-02-14-11-00-34.jpg)