Advertisment

OCA ପାଇଁ ଓଡ଼ିଶା ନାକ କଟିଲା!

ଖେଳାଳଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କୁ ଅନ୍ତର୍ଜାତୀୟ ସ୍ତରର ସୁବିଧା ବାରବାଟୀରେ ଯୋଗାଇ ଦେବାକୁ ଓସିଏ ଲାଗି ପଡ଼ିଥିଲା। କିନ୍ତୁ ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବା ଭଳି ଓସିଏର ସବୁ ପରିଶ୍ରମ ପାଣିରେ ପଡ଼ି ଯାଇଛି।

ଅଦ୍ୟତନ ହୋଇଛି
Flood Light

Flood Light

Advertisment

ଦୀର୍ଘ ୫ ବର୍ଷ ପରେ ଓଡ଼ିଶାକୁ କୌଣସି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ମିଳିଥିଲା। ୨୦୧୯ରେ ୱେଷ୍ଟଇଣ୍ଡିଜ କଟକର ଐତିହାସିକ ବାରବାଟୀରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ଏହାପରେ ୨୦୨୫ ଫେବୃଆରୀ ୯ରେ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୫ ବର୍ଷ ପରେ ବାରବାଟୀକୁ ଦିନିକିଆ ଫର୍ମାଟର ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରିଥିବାରୁ ସମସ୍ତେ ଉତ୍ସାହିତ ଥିଲେ। ଏହାକୁ ସ୍ମରଣୀୟ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଓ ରାଜ୍ୟ ସରକାର ଲାଗି ପଡ଼ିଥିଲେ।

Advertisment

ଖେଳାଳଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କୁ ଅନ୍ତର୍ଜାତୀୟ ସ୍ତରର ସୁବିଧା ବାରବାଟୀରେ ଯୋଗାଇ ଦେବାକୁ ଓସିଏ ଲାଗି ପଡ଼ିଥିଲା। କିନ୍ତୁ ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବା ଭଳି ଓସିଏର ସବୁ ପରିଶ୍ରମ ପାଣିରେ ପଡ଼ି ଯାଇଛି। ଓସିଏର ଅବହେଳା ପାଇଁ ଓଡ଼ିଶା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି।

ଏହାର କାରଣ ହେଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ବେଳେ ୬୭ ବର୍ଷ ପୁରୁଣା ବାରବାଟୀରେ ଫ୍ଲଡ ଲାଇଟରେ ତ୍ରୁଟି ଦେଖାଯିବ। ୧୯୮୨ରୁ ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରୁଛି। ସେହିପରି ୨୦୦୩ରୁ ଏଠାରେ ଫ୍ଲଡଲାଇଟରେ ମ୍ୟାଚ୍‌ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଭାରତ-ଇଂଲଣ୍ଡ ମ୍ୟାଚ୍‌ ବେଳେ ବାରବାଟୀରେ ଥିବା ୬ଟି ଟାୱାର ଫ୍ଲଡ ଲାଇଟ ମଧ୍ୟରୁ ଗୋଟିଏ ହଠାତ୍‌ ବନ୍ଦ ହୋଇଯିବାରୁ ଓସିଏ ଅପବାଦ ମୁଣ୍ଡାଇଛି।

Advertisment

ପୂରା ଘଟଣା ଭାରତର ବ୍ୟାଟିଂ ସମୟରେ ଘଟିଥିଲା। ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ କ୍ରିଜରେ ଜମି ସାରିଥାଆନ୍ତି। ୭ମ ଓଭରର ଦ୍ୱିତୀୟ ବଲ ପକାଇବାକୁ ଇଂଲଣ୍ଡର ସାକିବ ମେହମୁଦ ମଧ୍ୟ ପ୍ରସ୍ତୁତ ହେଉଥାଆନ୍ତି। ସମୟ ସେତେବେଳେ ସନ୍ଧ୍ୟା ୬.୧୫ ହୋଇଥାଏ। ପ୍ରଥମେ କିଛି ଲାଇଟ ବନ୍ଦ ହୋଇଥିଲା। ଏହାପରେ ଟାୱାରରେ ଥିବା ସମସ୍ତ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଅମ୍ପାୟାର ଓ ଖେଳାଳିମାନେ ପ୍ରାୟ ୧୦ ମିନିଟ କାଳ ପଡ଼ିଆ ମଝିରେ ଲାଇଟକୁ ଅପେକ୍ଷା କରିଥିଲେ। କିନ୍ତୁ ଲାଇଟ ନ ଜଳିବାରୁ ସେମାନେ ବାଧ୍ୟ ହୋଇ ପଡ଼ିଆ ଛାଡ଼ିଥିଲେ।

ଏହି ସମୟରେ ରୋହିତ ୧୯ ଓ ଗିଲ ୧୭ ରନ କରି ଅପରାଜିତ ରହିଥିଲେ। ଭାରତ ୩୦୫ ରନର ପିଛା କରୁଥିବା ବେଳେ ୬.୧ ଓଭର ସୁଦ୍ଧା ୪୮ ରନ କରି ସାରିଥିଲା। ରୋହିତ ଫ୍ଲଟ ଲାଇଟ ତ୍ରୁଟି ଯୋଗୁ ନିଜର ନିରାଶା ଭାବ ପ୍ରଦର୍ଶନ କରିଥିଲେ। କିନ୍ତୁ ଲାଇଟ କାମ ତୁରନ୍ତ ସରି ନଥିଲା। ପ୍ରାୟ ୩୫ ମିନିଟ ପରେ ଫ୍ଲଟ ଲାଇଟରେ ଥିବା ତ୍ରୁଟି ସୁଧୁରିବାରୁ ସେଗୁଡ଼ିକ ଜଳିଥିଲା।

ପାକିସ୍ତାନ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର କ୍ରିକେଟ ଫ୍ୟାନ୍ସ ଫ୍ଲଡ ଲାଇଟ ବିଭ୍ରାଟ ଯୋଗୁ ବିସିସିଆଇ, ଓସିଏ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିବାଦ ବଢ଼ୁଥିବା ବେଳେ ଓସିଏ ପକ୍ଷରୁ କୁହାଯାଇଛି ଯେ ଫ୍ଲଡଲାଇଟକୁ ସଂଯୋଗ ହୋଇଥିବା ଜେନେରେଟରରେ ତ୍ରୁଟି ଦେଖାଯାଇଥିଲା। ତେଣୁ ଐତିହାସିକ କ୍ଲକ ଟାୱାର ନିକଟରେ ଥିବା ଲାଇଟ ବନ୍ଦ ହୋଇଯାଇଥିଲା।

ବ୍ୟାକଅପ ଜେନେରେଟରକୁ ଅନ କରାଯାଇଥିଲା। କିନ୍ତୁ ଗୋଟିଏ ଜେନେରେଟରରୁ ଆଉ ଗୋଟିଏ ଜେନେରେଟରକୁ ଲାଇଟ ସଂଯୋଗ କରିବା ପାଇଁ ସମୟ ଲାଗିଥିଲା। ତେଣୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ଓସିଏ କହିଛି। ତଥାପି ଏହି ଉତ୍ତର କ୍ରିକେଟ ପ୍ରେମୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସେହିପରି ରାଜ୍ୟ ସରକାର ମଧ୍ୟ ଓସିଏକୁ ୧୦ ଦିନ ମଧ୍ୟରେ ଜବାବ ଦେବାକୁ ନୋଟିସ କରିଛନ୍ତି। କାହିଁକି ଲାଇଟ ବନ୍ଦ ହେଲା ବୋଲି ତା’ର ଉତ୍ତର ଦେବାକୁ ସରକାର ନୋଟିସରେ ଉଲ୍ଲେଖ କରିଛନ୍ତି।

ତେବେ କ୍ରିକେଟରେ ଫ୍ଲଡ ଲାଇଟ ତ୍ରୁଟି କୌଣସି ନୂଆ କଥା ନୁହେଁ, କିଛି ଦିନ ତଳେ ପାକିସ୍ତାନର ଗଦାଫି ଷ୍ଟାଡିୟମରେ ସମାନ ଘଟଣା ଘଟିଥିଲା। ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବା ପାକିସ୍ତାନର ଲାଇଟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଗଦାଫି ଷ୍ଟାଡିୟମରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିବା ତ୍ରିପାକ୍ଷିକ ସିରିଜର ପ୍ରଥମ ମ୍ୟାଚ୍‌ରେ ବିଭ୍ରାଟ ହୋଇଛି। କମ ଲାଇଟ ଯୋଗୁ ନ୍ୟୁଜିଲ୍ୟାଣ୍ଡର ରଚିନ ରବୀନ୍ଦ୍ର କ୍ୟାଚ୍‌ ଧରିବାକୁ ଯାଇ ଆହତ ହୋଇଛନ୍ତି। ଏହାକୁ କ୍ରିକେଟ ପ୍ରେମୀ ସମାଲୋଚନା କରୁଥିବା ବେଳେ ଏବେ ଓଡ଼ିଶାରେ ଫ୍ଲଟଲାଇଟ ତ୍ରୁଟି ଦେଖାଯାଇଛି।

କେବଳ ଫ୍ଲଟ ଲାଇଟ ନୁହେଁ, ଟିକେଟ ବିକ୍ରି ଓ ପାସ୍‌ ପ୍ରଦାନରେ ଅନିୟମିତତା ଯୋଗୁ ମଧ୍ୟ ଓସିଏ ବିବାଦ ଘେରରେ ରହିଛି। କ୍ରିକେଟ ପ୍ରେମୀ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଏହାର ଖୁଲମ ଖୁଲା କଳାବଜାରୀ ହେବା ସମସ୍ତଙ୍କୁ ନିରାଶ କରିଛି। ବିଶିଷ୍ଟ ବ୍ୟକ୍ତି ଓ ସାମ୍ବାଦିକମାନଙ୍କୁ ଓସିଏ ପ୍ରେସ ପାସ ଦେଉ ନଥିଲା। କିନ୍ତୁ ମ୍ୟାଚ୍‌ ଦିନ ଷ୍ଟାଡିୟମ ସାମ୍ନାରେ ପ୍ରେସ ପାସ୍‌ର ବି କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି। ବ୍ଲାକରଙ୍କ ପାଖକୁ କେମିତି ପ୍ରେସ ଓ ଅନ୍ୟାନ୍ୟ ପାସ୍ ଆସିଲା, ତା’ର ଉତ୍ତର ମଧ୍ୟ ଓସିଏ ଦେଇପାରି ନାହିଁ।

ଲୋକମାନେ ଟିକେଟ ପାଇ ଯେତିକି ନିରାଶ ହୋଇ ନଥିଲେ, ତା’ଠାରୁ ଅଧିକ ଲଜ୍ଜା ସେମାନେ ଫ୍ଲଡ ଲାଇଟ ତ୍ରୁଟି ଯୋଗୁ ଅନୁଭବ କରିଛନ୍ତି। ବିଶେଷ କରି ପାକିସ୍ତାନ ସପକ୍ଷବାଦୀମାନେ ସୋଶାଲ ମିଡିଆରେ ବିସିସିଆଇ ଓ ଭାରତକୁ ଟାର୍ଗେଟ କରିବା ଓସିଏ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି। ଓସିଏ ପାଇଁ ଆଗକୁ ବାରବାଟୀରେ ଅନ୍ତଜାର୍ତୀୟ ମ୍ୟାଚ୍‌ ହେବ କି ନାହିଁ, ତା’ ମଧ୍ୟ ଏବେ ବିପଦ ମଧ୍ୟରେ ଫସି ଯାଇଛି।

ପାଣି ବୋତଲ ବିବାଦ

ଫ୍ଲଡ ଲାଇଟ ବିବାଦ ପୂର୍ବରୁ ବାରବାଟୀରେ ଏକଦା ପାଣି ବୋତଲ ମାଡ଼ ଭଳି ଅପବାଦ ମୁଣ୍ଡାଇଥିଲା। ୨୦୧୫ ମସିହା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ପୂରା ଘଟଣା ଘଟିଥିଲା। ଭାରତ ମାତ୍ର ୯୨ ରନରେ ଅଲଆଉଟ ହୋଇଯିବାରୁ ଫ୍ୟାନ୍ସମାନେ ରାଗି ଯାଇଥିଲେ। ଏଥିପାଇଁ ସେମାନେ ପାଣି ବୋତଲ ମାଡ଼ କରିଥିଲେ। ଏଥିଯୋଗୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଭାରତ ମ୍ୟାଚ୍‌ ହାରିଥିଲେ ହେଁ ଉକ୍ତ ଘଟଣା ଏବେ ସମସ୍ତଙ୍କର ମନେ ରହିଛି। ସେବେଠାରୁ ଓସିଏ ଷ୍ଟାଡିୟମ ଭିତରକୁ ପାଣି ବୋତଲ ପ୍ରବେଶ ଉପରେ ବ୍ୟାନ ଲଗାଇଛି। ବୋତଲ ମାଡ଼ ଘଟଣାକୁ ନେଇ ଓସିଏ ବିବାଦ ଘେରକୁ ଆସିଥିଲା। ଏଥିଯୋଗୁ ପ୍ରାୟ ୨ ବର୍ଷ ଧରି ବାରବାଟୀକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ମିଳି ନଥିଲା। 

ଫ୍ଲଡ ଲାଇଟ ଯୋଗୁ ପୂର୍ବୂରୁ ମ୍ୟାଚ୍‌ ବନ୍ଦ ହୋଇଛି

୧- ଗତବର୍ଷ ଭାରତ ଓ ବାଂଲାଦେଶ ହାଇଦ୍ରାବାଦରେ ଟି-୨୦ ମ୍ୟାଚ୍‌ ଖେଳୁଥିଲେ। ଏହି ସମୟରେ ଷ୍ଟାଡିୟମରେ ଲାଗିଥିବା ଗୋଟିଏ ଫ୍ଲଡ ଲାଇଟ ହଠାତ୍‌ ଲିଭି ଯାଇଥିଲା। ଏଥିଯୋଗୁ ଖେଳକୁ ବନ୍ଦ କରିବାକୁ ପଡ଼ିଥିଲା। କିନ୍ତୁ ମାତ୍ର କିଛି ମିନିଟ ମଧ୍ୟରେ ତ୍ରୁଟି ସୁଧୁରିବାରୁ ମ୍ୟାଚ୍‌ ଖେଳା ଯାଇଥିଲା।

୨- ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ୨୦୧୯ରେ କେପ ଟାଉନରେ ୫ମ ଦିନିକିଆ ଖେଳା ଯାଉଥିଲା। କିନ୍ତୁ ଫ୍ଲଡ ଲାଇଟ ଯୋଗୁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୨୫ ରନ କରିଥିଲା। ହେଲେ ଦକ୍ଷିଣ ଆଫ୍ରିକା ବ୍ୟାଟିଂର ୨୯ତମ ଓଭରେ ଫ୍ଲଡଲାଇଟ ବନ୍ଦ ହୋଇଯାଇଥିଲା। ଗ୍ରାଉଣ୍ଡ ଷ୍ଟାଫଙ୍କ ସବୁ ପ୍ରକାରର ଊଦ୍ୟମ ସତ୍ତ୍ୱେ ଲାଇଟ ଜଳି ନଥିଲା। ୯୦ ମିନିଟ ଧରି ସମସ୍ତେ ଅପେକ୍ଷା କରି ରହିଥିଲେ। କିନ୍ତୁ ଶେଷରେ ଡିଏଲ ମେଥଡ ଅନୁସାରେ ଦକ୍ଷିଣ ଆଫ୍ରିକାକୁ ବିଜେତା ଘୋଷଣା କରାଯାଇଥିଲା।

୩- ଦକ୍ଷିଣ ଆଫ୍ରିକା ବିପକ୍ଷ ୨୦୨୨ ଗୁଆହାଟୀ ଟି-୨୦ରେ ଦୁଇଟି କାରଣ ପାଇଁ କିଛି ସମୟ ବନ୍ଦ ହୋଇଥିଲା। ପ୍ରଥମେ ପଡ଼ିଆରେ ସାପ ପଶି ଯାଇଥିଲା। ଏହାପରେ ଫ୍ଲଡ ଲାଇଟରେ ତ୍ରୁଟି ଦେଖାଦେଇଥିଲା। ଭାରତୀୟ ଇନିଂସର ୭ମ ଓଭରରେ ସାପ ପଶିବାରୁ ମ୍ୟାଚ୍‌ ବନ୍ଦ ହୋଇଥିଲା। ସେହିପରି ଦକ୍ଷିଣ ଆଫ୍ରିକା ଇନିଂସର ତୃତୀୟ ଓଭରରେ ଫ୍ଲଟ ଲାଇଟ ବନ୍ଦ ହୋଇଯାଇଥିଲା। କିନ୍ତୁ ମାତ୍ର କିଛି ମିନିଟ ମଧ୍ୟରେ ଏହା ସମାଧାନ ହୋଇଯାଇଥିଲା।

୪- ଆଇପିଏଲରେ ମଧ୍ୟ ଫ୍ଲଡ ଲାଇଟ ଜନିତ ତ୍ରୁଟି ଦେଖାଯାଇଛି। ୨୦୨୩ ଏପ୍ରିଲ ମାସରେ ପଞ୍ଜାବ କିଙ୍ଗସ ଓ କେକେଆର ମୋହାଲିରେ ମୁହାଁମୁହିଁ ହୋଇଥିଲେ। କେକେଆରର ଦୁଇ ଓପନ ବ୍ୟାଟିଂ କରିବାକୁ ଆସିବା କ୍ଷଣି ଷ୍ଟାଡିୟମରେ ଏକାଧିକ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ବେଶ କିଛି ମିନିଟ ଧରି ଖେଳ ଆରମ୍ଭ ହୋଇପାରି ନଥିଲା।

୫- ଏସିଆ କପ ୨୦୨୩ରେ ପାକିସ୍ତାନ ଫ୍ଲଡ ଲାଇଟ ଜନିତ ଲଜ୍ଜା ମୁଣ୍ଡାଇଥିଲା। ପାକିସ୍ତାନର ଗଦାଫି ଷ୍ଟାଡିୟମରେ ବାଂଲାଦେଶ ଘରୋଇ ଟିମ ବିପକ୍ଷରେ ମ୍ୟାଚ ଖେଳୁ ଥାଏ। ପାକିସ୍ତାନ ବ୍ୟାଟିଂର ୫ମ ଓଭରରେ ଫ୍ଲଟ ଲାଇଟ ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ଖେଳ ପ୍ରାୟ ୨୦ ମିନିଟ ଧରି ବନ୍ଦ ରହିଥିଲା। ପରବର୍ତ୍ତୀ ଅବସ୍ଥାରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା ଓ ପାକିସ୍ତାନ ୭ ୱିକେଟରେ ଜିତିଥିଲା।

୬- ଫ୍ଲଡ ଲାଇଟ ଜନିତ ସବୁଠାରୁ ବଡ଼ ବିଭ୍ରାଟ ୨୦୨୪ ଅକ୍ଟୋବର ମାସରେ ଦେଖିବାକୁ ମିଳିଥିଲା। ଗୁୟାନାରେ ବାର୍ବଡସ ରୟାଲ୍ସ ଓ ଟ୍ରିନବାଗୋ ନାଇଟ ରାଇଡର୍ସ କାରିବିୟାନ ପ୍ରିମିୟର ଲିଗର ଏଲିମିନେଟରରେ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଫ୍ଲଡ ଲାଇଟ ନ ଜଳିବାରୁ ମ୍ୟାଚ୍‌ ଠିକଣା ସମୟରେ ଦ୍ୱିତୀୟ ଇନିଂସ ଆରମ୍ଭ ହୋଇପାରି ନଥିଲା। ଦ୍ୱିତୀୟ ଇନିଂସକୁ ୫ ଓଭର ବିଶିଷ୍ଟ କରି ଦିଆଯାଇଥିଲା। ଡିଏଲ ମେଥଡ ଅନୁସାରେ ରୟାଲ୍ସ ୯ ୱିକେଟରେ ମ୍ୟାଚ୍‌ ଜିତି ନେଇଥିଲା। ଡାଭିଡ ମିଲର ରୟାଲ୍ସ ପାଇଁ ୧୭ ବଲରେ ବିସ୍ଫୋରକ ୫୦ ରନର ଇନିଂସ ଖେଳିଥିଲେ।

୭- ଆଡିଲେଡରେ ଖେଳା ଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ପିଙ୍କ ବଲ ଟେଷ୍ଟରେ ମଧ୍ୟ ଫ୍ଲଡ ଲାଇଟରେ ତ୍ରୁଟି ଦେଖାଯାଇଥିଲା। ଭାରତର ବୋଲିଂ ବେଳେ ଫ୍ଲଡ ଲାଇଟ ବାରମ୍ବାର ବନ୍ଦ ହେବାରୁ ବୋଲିଂ କରୁଥିବା ହର୍ଷିତ ରାଣା ନିଜର ହତାଶା ଭାବ ଦେଖାଇଥିଲେ। ଅବଶ୍ୟ କିଛି ମିନିଟ ମଧ୍ୟରେ ଏଥିରେ ସୁଧାର ଆସି ଯାଇଥିଲା।

Odisha Cuttack India Vs England Barabati Stadium Team India One Day Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe