Advertisment

T20 World Cup: ଲୋକହସା ହେଉଛି ପିସିବି, ବି’ ଟିମ ନେଇ ପାକିସ୍ତାନରେ ସିରିଜ ଖେଳୁଛନ୍ତି ସେନା ଦେଶ!

ପାକିସ୍ତାନ ଗସ୍ତରେ ଯାଉଥିବା ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ଗୁଡ଼ିକର ଆଭିମୁଖ୍ୟ ପାକିସ୍ତାନ କ୍ରିକେଟ ବୋର୍ଡକୁ ବାରମ୍ବାର ଲୋକହସା କରିବାରେ ଲାଗିଛି।

author-image
Hemant Lenka
Pakistan

ପାକିସ୍ତାନ ଟିମ

ପାକିସ୍ତାନ ଗସ୍ତରେ ଯାଉଥିବା ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ଗୁଡ଼ିକର ଆଭିମୁଖ୍ୟ ପାକିସ୍ତାନ କ୍ରିକେଟ ବୋର୍ଡକୁ ବାରମ୍ବାର ଲୋକହସା କରିବାରେ ଲାଗିଛି। ସବୁବେଳେ ସୁରକ୍ଷାର ସନ୍ଦେହ ଘେରରେ ଥିବା ପାକିସ୍ତାନକୁ ଧୀରେଧୀରେ ଅନ୍ତର୍ଜାତୀୟ କ୍ରିକେଟ ଫେରୁଛି। କିନ୍ତୁ ସେନା ଦେଶ ଗୁଡ଼ିକ ପାକିସ୍ତାନ ବିପକ୍ଷ ସିରିଜକୁ ଆଦୌ ଗୁରୁତ୍ୱର ସହ ନେଉ ନାହାନ୍ତି।

Advertisment

ଏବେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ ଚାଲିଛି। ବିଶ୍ୱକପ ପୂର୍ବରୁ ଏହି ସିରିଜ ଖେଳା ଯାଉଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ୨୨ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ଏହାକୁ ନେଇ ପାକିସ୍ତାନୀ ଖେଳାଳି ଓ ବୋର୍ଡ ବେଶ ଉତ୍ସାହିତ। କିନ୍ତୁ ଆଗକୁ ବିଶ୍ୱକପ ଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିଜର ବି’ ଟିମକୁ ପାକିସ୍ତାନ ବିପକ୍ଷରେ ଓହ୍ଲାଇବା ପାକିସ୍ତାନୀ କ୍ରିକେଟ ଜଗତରେ ଚିନ୍ତା ବଢ଼ାଇ ଦେଇଛି। 

ପାକିସ୍ତାନ ଗସ୍ତରେ ଅଷ୍ଟ୍ରେଲିଆ ଯାଇଥିଲେ ହେଁ ବିଶ୍ୱକପ ଖେଳିବାକୁ ଥିବା ଜୋଶ ହାଜେଲଉଡ, ଜୋଶ ଇଙ୍ଗଲିସ, ଗ୍ଲେନ ମ୍ୟାକ୍ସୱେଲ, ଟିମ ନାଭିଡ ଓ ନାଥନ ଏଲିସଙ୍କ ଭଳି ଖେଳାଳି ଇସଲାମାବାଦ ଯାଇ ନାହାନ୍ତି। ବାସ୍ତବରେ କ୍ରିକେଟ ଅଷ୍ଟ୍ରେଲିଆ ସେମାନଙ୍କୁ ପାକିସ୍ତାନ ଗସ୍ତରେ ପଠାଇବାକୁ ଚାହିଁନାହିଁ। ହେଲେ ଏହାକୁ ବୋର୍ଡ ସିଧାସଳଖ ସାର୍ବଜନୀନ କରିନାହିଁ। ବରଂ ଆଗକୁ ଟି-୨୦ ବିଶ୍ୱକପ(T20 World Cup) ଥିବାରୁ ଏମାନଙ୍କୁ ବିଶ୍ରାମ ଦିଆଯାଇଥିବା ବୋର୍ଡ ସଫେଇ ଦେଇଛି।

Advertisment

ପାକିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ୩ ଜଣ ଖେଳାଳି ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ଅଧିନାୟକ ମିଚେଲ ମାର୍ଶ, ଅଭିଜ୍ଞ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ, ୱିକେଟ କିପର ଜୋଶ ଇଙ୍ଗଲିସ, ସ୍କଟ ଆବୋଟ ଓ ବେନ ଡାୱରଶୁଇସ ନଥିଲେ। 

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ଦେଶର କ୍ରିକେଟ ପଣ୍ଡିତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଷ୍ଟ୍ରେଲିଆ ଆଦୌ ପାକିସ୍ତାନ ବିପକ୍ଷ ସିରିଜକୁ ଗୁରୁତ୍ୱର ସହ ନେଉ ନଥିବା ସେମାନେ କହିଛନ୍ତି।

କ୍ରିକେଟ ବିଶେଷଜ୍ଞ ତଥା ଲେଖକ ଓମୈର ଅଲାଭି କହିଛନ୍ତି, “ସେମାନେ ଏଠାରୁ ନିଜର ଏକାଧିକ ପ୍ରମୁଖ ଖେଳାଳିଙ୍କ ବିନା ଆସିଛନ୍ତି। ସେହିପରି ସିରିଜର ପ୍ରଥମ ମ୍ୟାଚ୍‌ରେ ସେମାନେ ସ୍କ୍ୱାଡରେ ଥିବା ପ୍ରମୁଖ ଖେଳାଳିଙ୍କୁ ମଧ୍ୟ ଖେଳାଇ ନଥିଲେ। ଏହା ନିଶ୍ଚିତ ଭାବେ ପାକିସ୍ତାନ କ୍ରିକେଟ ଓ ଏହାର ଫ୍ୟାନ୍ସଙ୍କୁ ଅପମାନ।” 

ପୂର୍ବତନ ଟେଷ୍ଟ କ୍ୟାପ୍ଟେନ ମୋଇନ ଖାନଙ୍କ କହିବା କଥା ଯେ ଅଷ୍ଟ୍ରେଲିଆ ତା’ର ଖେଳାଳିଙ୍କୁ ଟି-୨୦ ବିଶ୍ୱକପ ପାଇଁ ସୁରକ୍ଷିତ କରି ରଖୁଛି। କିନ୍ତୁ ଏହା ପାକିସ୍ତାନ କ୍ରିକେଟକୁ ଆଘାତ ଦେଉଛି।

ଏହାପୂର୍ବରୁ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ସେମାନଙ୍କର ବି’ ଟିମକୁ ପାକିସ୍ତାନ ପଠାଇଥିଲେ। ସେମାନେ କେବଳ ପାକିସ୍ତାନ ବିପକ୍ଷ ସିରିଜକୁ ଫର୍ମାଲିଟୀ ଭାବେ ବିବେଚନା କରୁଛନ୍ତି। ପାକିସ୍ତାନକୁ ସେମାନେ ଗୁରୁତ୍ୱର ସହ ନେଉ ନଥିବା ମୋଇନ ଖାନ କହିଛନ୍ତି। ୨୦୨୨ ପରେ ଅଷ୍ଟ୍ରେଲିଆ କୌଣସି କ୍ରିକେଟ ଖେଳିବାକୁ ପାକିସ୍ତାନ ଗସ୍ତ କରିଛି। ତଥାପି ଦଳ ଏହାକୁ ଆଦୌ ଗୁରୁତ୍ୱର ସହ ନେଉ ନାହିଁ। 

T20 World Cup