ସେପ୍ଟେମ୍ବର ୧୯ରୁ ଆଇପିଏଲର ବାକି ମ୍ୟାଚ୍! ଏହି ଦିନ ହେବ ଫାଇନାଲ୍

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୪ଶ ସଂସ୍କରଣ ଅଧାରୁ ବନ୍ଦ ରହିଛି । ଦୁନିଆର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗର ଚଳିତ ସଂସ୍କରଣରେ ୩୧ଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଏହି ମୁକାବିଲା କେବେ ଖେଳାଯିବ, ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ଆଇପିଏଲ୍‌-୧୪ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ ୟୁଏଇରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର […]

ipl

Ranjit Kumar Jena
  • Published: Tuesday, 25 May 2021
  • , Updated: 25 May 2021, 07:19 PM IST

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୪ଶ ସଂସ୍କରଣ ଅଧାରୁ ବନ୍ଦ ରହିଛି । ଦୁନିଆର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗର ଚଳିତ ସଂସ୍କରଣରେ ୩୧ଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଏହି ମୁକାବିଲା କେବେ ଖେଳାଯିବ, ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ଆଇପିଏଲ୍‌-୧୪ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ ୟୁଏଇରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ।

ସ୍ପୋର୍ଟ୍ସ ଟୁଡେ ଅନୁଯାୟୀ, ଆଇପିଏଲ୍‌-୨୦୨୧ର ପୁଣିଥରେ ସେପ୍ଟେମ୍ବର ୧୯ କିମ୍ବା ୨୦ ତାରିଖରୁ ଆରମ୍ଭ ହୋଇପାରେ । ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୦ ତାରିଖରେ ଖେଳାଯିବ । ଲିଗରେ ବିସିସିଆଇ ୧୦ଟି ଡବଲ୍ ହେଡର୍ ମ୍ୟାଚ୍ କରାଇବ ବୋଲି ସ୍ପୋର୍ଟ୍ସ ଟୁଡେ କହିଛି । ଅର୍ଥାତ୍ ୧୦ ଦିନରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳାଯିବ । ଆଇପିଏଲ୍-୧୪ର ବାକି ଥିବା ୩୧ ମ୍ୟାଚ୍ ୨୧ ଦିନ ଭିତରେ ଖେଳାଯିବ। ଏହି ୨୧ ଦିନ ଭିତରେ ୧୦ ଡବଲ୍ ହେଡର୍ ଓ ୭ ଦିନରେ ଗୋଟିଏ ମ୍ୟାଚ୍ ଓ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ହେବ ।

ଭାରତ ତା’ର ଇଂଲଣ୍ଡ ଗସ୍ତ ଜୁନ୍ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳି ଆରମ୍ଭ କରିବ । ଏହା ପରେ ଅଗଷ୍ଟ ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହେବ।

ଭାରତୀୟ ଖେଳାଳି ଇଂଲଣ୍ଡରୁ ସେପ୍ଟେମ୍ବର ୧୫ ତାରିଖରେ ୟୁଏଇରେ ପହଞ୍ଚିବ । ସେଠାରେ ଟିମ୍ ତିନି ଦିନ କ୍ବାରେଣ୍ଟାିନରେ ରହିବ । ଅନ୍ୟ ଦେଶର ଖେଳାଳି କାରିବିଆନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍)ରୁ ସିଧା ଆଇପିଏଲ୍ ଟିମ୍ ସହ ଯୋଗ ଦେବେ । ସିପିଏଲ୍ ସେପ୍ଟେମ୍ବର ୧୯ ତାରିଖ ଯାଏ ଖେଳାଯିବ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ସିଡ୍ୟୁଲ୍ ବଦଳାଇବା ପାଇଁ ବିସିସିଆଇ ଓ ଇସିବି ମଧ୍ୟରେ ଆଲୋଚନା ହୋଇଥିବା ଖବର ମିଳିଥିଲା । କିନ୍ତୁ ଉଭୟ ବୋର୍ଡଙ୍କ ମଧ୍ୟରେ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ନଥିବା ଜଣା ପଡ଼ିଛି । ଏହା ପରେ ବିସିସିଆଇ ୨୦୨୧ର ବଳକା ମ୍ୟାଚ୍ ୟୁଏଇରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, କରୋନା ଭାଇରସ୍ ଯୋଗୁ ଆଇପିଏଲର ୧୩ଶ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା । ସେହି ସମୟରେ ଭାରତରେ କରୋନା ଭାଇରସ୍ ମାମଲା ଅଧିକ ଥିଲା । ଏଥର ଆଇପିଏଲର ଶୁଭାରମ୍ଭ ଭାରତରେ ହୋଇଥିଲା, କିନ୍ତୁ ୨୯ ମ୍ୟାଚ୍ ପରେ ଏହାକୁ ସ୍ଥଗିତ କରିବାକୁ ପଡ଼ିଛି । କିଛି ଟିମର ଖେଳାଳି ଓ ସପୋର୍ଟ ଷ୍ଟାପ୍ କରୋନା ପଜିଟିଭ୍ ବାହାରିଥିଲେ । ଆଇପିଏଲ୍ ସ୍ଥଗିତ ହେବା ଦ୍ୱାରା ବିସିସିଆଇକୁ ବିପୁଳ କ୍ଷତି ହେବାର ଭୟ ଥିଲା ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ ଯଦି ଆଇପିଏଲର ବାକି ମ୍ୟାଚ୍ ଆୟୋଜନ ନହୁଏ, ତାହେଲେ ବୋର୍ଡକୁ ୨୫୦୦ କୋଟି ଟଙ୍କାର କ୍ଷତି ହୋଇପାରେ । ହେଲେ ଏବେ ରିପୋର୍ଟ ମୁତାବକ, ବିସିସିଆଇ ଆଇପିଏଲର ବାକି ମ୍ୟାଚ୍ ଆୟୋଜନ କରିବା ପାଇଁ ପୂରା ବନ୍ଦୋବସ୍ଥ କରିନେଇଛି । ଶୀଘ୍ର ଏହାର ସିଡ୍ୟୁଲ୍ ବାହାରିବ ।

Related story