IPL 2024: ଦ୍ୱିତୀୟ ମ୍ୟାଚ୍ ଜିତିଲା ପଞ୍ଜାବ କିଙ୍ଗସ

ଦିଲ୍ଲୀ କ୍ୟାପିଟାଲ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା।

ସାମ କୁରାନ

  • Published: Saturday, 23 March 2024
  • , Updated: 23 March 2024, 08:42 PM IST

ପଞ୍ଜାବର ମୁଲ୍ଲାନପୁର ଷ୍ଟାଡିୟମରେ ଆଜି ଖେଳା ଯାଇଛି ଚଳିତ ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍। ଦିଲ୍ଲୀ କ୍ୟାପିଟାଲ୍‌ସ (DC) ଓ ପଞ୍ଜାବ କିଙ୍ଗସ (PBKS) ମଧ୍ୟରେ ଖେଳା ଯାଇଥିଲା ଏହି ମ୍ୟାଚ୍ । ଏଥିରେ ୪ ୱିକେଟରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ।

ପଞ୍ଜାବ କିଙ୍ଗସ ଟସ୍ ଜିତି ବୋଲିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା। ପଞ୍ଜାବ କିଙ୍ଗସ ୧୯.୨ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଶାଇ ହୋପ୍ ସର୍ବାଧିକ ୩୩ ରନ୍ କରିଥିବା ବେଳେ ଅଭିଷେକ ପୋରେଲ ଅପରାଜିତ ୩୨ ରନ୍ କରିଥିଲେ। ମିଚେଲ ମାର୍ଶ ୨୦ ଓ ଅକ୍ଷର ପଟେଲ ୨୧ ରନ୍ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ପଞ୍ଜାବ କିଙ୍ଗସ ପକ୍ଷରୁ ଅର୍ଶଦୀପ ସିଂହ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରାବଡ଼ା, ହରପ୍ରୀତ ବ୍ରାର ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

୧୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗସ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ସାମ କୁରାନ। ସେ ୪୭ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୬୩ ରନ୍ କରିଥିଲେ। ଖଲିଲ ଅହମଦ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଅଧିନାୟକ ଶିଖର ଧାୱନ ୨୨ ରନ୍ କରିଥିବା ବେଳେ ଈଶାନ୍ତ ଶର୍ମାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଜନ୍ନୀ ବେୟାରଷ୍ଟ ମାତ୍ର ୯ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ପ୍ରଭସିମରନ ସିଂହ ୨୬ ଓ ଜୀତେଶ ଶର୍ମା ୯ ରନ୍ କରି ଆଉଟ୍ ହୋଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ ଅପରାଜିତ ରହି ୨୧ଟି ବଲ୍‌ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୮ ରନ୍ କରିଥିଲେ। ଶଶାଙ୍କ ସିଂହ ଶୂନରେ ଆଉଟ୍ ହୋଇଥିବା ବେଳେ ହରପ୍ରୀତ ବ୍ରାର ୨ ରନ୍ କରି ଅପରାଜିତ ରହିଥିଲେ।

ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଖଲିଲ ଅହମଦ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ।

Related story