ଜୟପୁରରେ ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି ଆଇପିଏଲ୍ ମ୍ୟାଚ୍। ଏହି ମ୍ୟାଚରେ ଲକ୍ଷ୍ନୌକୁ ୧୯୪ ରନର ଟାର୍ଗେଟ୍ ଦେଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମ ଇନିଂସରେ ନିର୍ଦ୍ଧାରିତ ଓଭର ମଧ୍ୟରେ ୪ ୱିକେଟ ହରାଇ ୧୯୩ ରନ୍ କରିଛି ରାଜସ୍ଥାନ।
ଆଇପିଏଲ ୧୭ତମ ସଂସ୍କରଣର ଚତୁର୍ଥ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ। ଦଳ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ଏବଂ ଜୋସ ବଟଲର୍ ଓପନିଂ କରିଥିଲେ। ହେଲେ ଦଳୀୟ ସ୍କୋର୍ ମାତ୍ର ୧୩ ରନ୍ ହୋଇଥିବା ବେଳେ ବଟଲରଙ୍କୁ ଆଉଟ୍ କରାଇ ନେଇଥିଲେ ନବୀନ ଉଲ୍-ହକ୍।
ଏହାପରେ ୨୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ ଯଶସ୍ୱୀ। ଦୁଇ ଓପନର୍ ପାଭିଲିଅନ ଫେରିବା ପରେ ପାଳି ସମ୍ଭାଳି ଥିଲେ କ୍ୟାପ୍ଟେନ ସଞ୍ଜୁ ସାମସନ। ତାଙ୍କ ସହ ସାଥ୍ ଦେଇଥିଲେ ରିଆନ ପରାଗ। ଉଭୟ ଯୋଡି ବଜାୟ ରଖିବା ସହ ବଡ଼ ବଡ଼ ସର୍ଟ୍ସ ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି।
ରିଆନ ପରାଗ ୪୩ ରନ୍ କରି ଆଉଟ୍ ହୋଇ ଯାଇଥିବା ବେଳେ ସଞ୍ଜୁ ସାମସନ୍ ଅପରାଜିତ ରହି ୮୨ ରନ୍ କରିଥିଲେ। ରିଆନଙ୍କ ପରେ ଆସିଥିବା ଧ୍ରୁବ ଜୁରେଲ ମଧ୍ୟ ୧୨ ବଲରେ ୨୦ ରନ୍ କରି ଅପରାଜିତ ଥିଲେ।
ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ-ହକ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ମୋହସିନ ଖାନ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।