Advertisment

ଗୁଜରାଟ ବନାମ ଚେନ୍ନାଇ: ପ୍ରଥମ ମ୍ୟାଚ୍‌ ଖେଳିଥିଲେ, ଏବେ ଶେଷ ମ୍ୟାଚ ବି ଖେଳିବେ

ଉଭୟ ଦଳ ଚଳିତ ବର୍ଷ ଆଇପିଏଲର ଉଦଘାଟନୀ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳିଥିଲେ। ଏବେ ପୁଣିଥରେ ଶେଷ ତଥା ଫାଇନାଲ ମ୍ୟାଚ୍‌ ମଧ୍ୟ ଏଠାରେ ଖେଳିବାକୁ ଯାଉଛନ୍ତି।

author-image
Hemant Lenka
IPL

IPL

ଆସନ୍ତାକାଲି ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ୍‌। ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ସାମ୍ନାରେ ରହିବ ୪ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସ।

Advertisment

ଉଭୟ ଦଳ ଚଳିତ ବର୍ଷ ଆଇପିଏଲର ଉଦଘାଟନୀ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳିଥିଲେ। ଏବେ ପୁଣିଥରେ ଶେଷ ତଥା ଫାଇନାଲ ମ୍ୟାଚ୍‌ ମଧ୍ୟ ଏଠାରେ ଖେଳିବାକୁ ଯାଉଛନ୍ତି। ଯେଉଁ ଦୁଇ ଦଳ ଉଦଘାଟନୀ ମ୍ୟାଚ୍‌ ଖେଳିଥିଲେ ସେମାନେ ପୁଣି ଟ୍ରଫି ପାଇଁ ଟକ୍କର କରିବା ସମ୍ଭବତଃ ଆଗରୁ କେବେ ହେଲେ ଆଇପିଏଲ ଇତିହାସରେ ଘଟି ନଥିଲା।

ପ୍ରଥମ କ୍ୱାଲିୟାୟରରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଗୁଜରାଟ ଟାଇଟନ୍ସକୁ ହରାଇଥିଲା। ତେବେ ଗୁଜରାଟ ଦ୍ୱିତୀୟ ସୁଯୋଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇ ଫାଇନାଲରେ ପହଞ୍ଚିଛି। ତେଣୁ ରବିବାର ଧୋନି ବନାମ ପାଣ୍ଡ୍ୟାଙ୍କ ଲଢ଼େଇ ପୂରା ବିଶ୍ୱ ଦେଖିବ।

Advertisment

ରବିବାର ସଂଧ୍ୟା ୭ଟା ୩୦ରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ଦେଶର ନଜର। କାରଣ ଚଳିତ ଆଇପିଏଲର ଦୁଇ ଶକ୍ତିଶାଳୀ ଟିମ୍‌ ଟ୍ରଫି ପାଇଁ ଟକ୍କର କରିବେ। ଯେତେବେଳେ ଆଇପିଏଲର ଚଳିତ ସିଜିନ ଆରମ୍ଭ ହୋଇଥିଲା ସେତେବେଳେ ଚେନ୍ନାଇ ଓ ଗୁଜରାଟ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୁଜରାଟ ବିଜୟୀ ହୋଇଥିଲା। ଏବେ ପୁଣି ସମାନ ସ୍ଥିତି। ଏହା ଫାଇନାଲ ମ୍ୟାଚ ହୋଇଥିବାରୁ ଉଭୟ ଦଳ ଉପରେ ଯଥେଷ୍ଟ ଚାପ ରହିବ।

ଧୋନି ପଞ୍ଚମ ଥର ପାଇଁ ଟ୍ରଫି ଜିତି ରୋହିତ ଶର୍ମାଙ୍କ ଆଇପିଏଲ ରେକର୍ଡର ସମକକ୍ଷ ହେବାକୁ ଚେଷ୍ଟା କରିବେ। ସେହିପରି ଗୁଜରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତୃତୀୟ କ୍ୟାପଟେନ ଭାବରେ ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି।

ଏମିତି ବି ଦେଖିବାକୁ ଚଳିତ ସିଜିନରେ ଗୁଜରାଟ ତା’ର ଦବଦବା ଦେଖାଇ ଆସିଛି। ହେଲେ ଫାଇନାଲରେ କ୍ୟାପ୍ଟେନ କୁଲ ଧୋନିଙ୍କୁ ମାତ ଦେବା ଆଦୌ ସହଜ ହେବନି।

ଉଭୟ ଟିମର ଖେଳାଳି ଦମଦାର ଫର୍ମରେ ରହିଛନ୍ତି। ଗୁଜରାଟ ଓପନର ଶୁବମନ ଗିଲ ଓ ଯୁବକ ତାରକା ସାଇ ସୁଦର୍ଶନ ଜବରଦସ୍ତ ଲୟରେ ରହିଥିବା ବେଳେ ମହମ୍ମଦ ଶାମି ଓ ମୋହିତ ଶର୍ମା ନିଜ ବୋଲିଂ ଯାଦୁ ଦେଖାଇ ଚାଲିଛନ୍ତି। ଏମାନଙ୍କୁ ସାଥ ଦେବାକୁ ରଶିଦ ଖାନ ଓ ନୂର ଅହମ୍ମଦ ରହିଛନ୍ତି।

ସେହିଭଳି ଚେନ୍ନାଇ କଥା ଯଦି ଦେଖାଯାଏ ତେବେ ଡେଭନ କନଓ୍ୱେ ଓ ଋତୁରାଜ ଗାଏକ୍ୱାଡ ଗୁଜରାଟ ପାଇଁ ବଡ଼ ଥ୍ରେଟ ହୋଇପାରନ୍ତି। କ୍ୱାଲିଫାୟାର ୧ରେ ଉଭୟ ନିଜର ଜଲୱା ଦେଖାଇଥିଲେ। ବୋଲିଂରେ ତୁଷାର ଦେଶପାଣ୍ତେ, ଦୀପକ ଚହର ଓ ପଥିରାଣା ମଧ୍ୟ ଗୁଜରାଟ ଯୋଜନା ବିଗାଡ଼ିବାକୁ ସକ୍ଷମ। 

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ୍‌ ସାଧାରଣତଃ ବ୍ୟାଟରଙ୍କୁ ସୁହାଇ ଥାଏ। ତେଣୁ ମ୍ୟାଚ୍‌ରେ ଚୌକା ଛକା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମିତି ବି ଦେଖିବାକୁ ଗଲେ ଆଇପିଏଲରେ ଧୋନିଙ୍କର ଲମ୍ବା ଅଭିଜ୍ଞତା ରହିଛି, ଯାହାକି ଗୁଜରାଟର ହାର୍ଦ୍ଦିକଙ୍କ ପାଖରେ ନାହିଁ।

ଟସ ଜିତିବା ପରେ ପ୍ରଥମେ ବୋଲିଂ ନେବା ଭଲ ନିଷ୍ପତ୍ତି ହୋଇପାରେ। କିନ୍ତୁ ଦ୍ୱିତୀୟ କ୍ୱାଲିୟାର୍‌ରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍‌ ଜିତିଛି। ସେହିପରି ଫାଇନାଲ ଭଳି ଚାପ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବା ଶ୍ରେୟସ୍କର ହେବ। ୧୮୦ କିମ୍ବା ୧୯୦ ରନ ଏହି ପିଚ୍‌ରେ ଫାଇଟିଂ ଟୋଟାଲ ହୋଇପାରେ।

Cricket IPL CSK