ବହୁ ପ୍ରତିକ୍ଷା ପରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବେ ଯଶପ୍ରୀତ ବୁମ୍ରା। ଖାଲି ଖେଳିବେନି, ଭାରତୀୟ ଦଳର ନେତୃତ୍ୱ ମଧ୍ୟ ନେବାକୁ ତାଙ୍କ ନାଁ ଆଗକୁ ଆସିଛି। ଅଗଷ୍ଟରେ ଆୟରଲାଣ୍ଡ ବିରୋଧରେ ଭାରତ ଖେଳିବାକୁ ଥିବା ଟି-୨୦ ସିରିଜ୍ରେ ସେ ପଡ଼ିଆକୁ ଓହ୍ଲାଇବେ। ଏହି ଭାରତୀୟ ଷ୍ଟାର୍ ଦୃତଗାମୀ ବୋଲର ସେପ୍ଟେମ୍ୱର ୨୦୨୨ ଠାରୁ କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ତେବେ ଅଗଷ୍ଟ ୧୮ରେ ଡବଲିନ୍ରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ୍ରେ ସେ ଅଧିନାୟକ ହେବା ପାଇଁ ନାଁ ଦେଇଛନ୍ତି ସିନିୟର ଟିମ୍ ସିଲେକ୍ସନ କମିଟିର ନେତୃତ୍ୱ ନେଉଥିବା ଅଜିତ୍ ଅଗରକର।
ଟି-୨୦ରେ ଅଧିନାୟକ ଭାର ବହନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବାକୁ ଥିବା ବେଳେ ଏସିଆନ୍ ଗେମ୍ ସ୍କାଡ୍ରୁ କିଛି ଖେଳାଳିଙ୍କୁ ଉକ୍ତ ମ୍ୟାଚ୍ ଖେଳିବାକୁ ଚୟନ କରାଯାଇଛି। ସେପ୍ଟେମ୍ୱରରୁ ଅକ୍ଟୋବର ଭିତରେ ଚାଇନାରେ ଖେଳ ହେବାକୁ ଥିବା ଏସିଆନ୍ ଗେମ୍ସର ଏହି ମେଗା ଇଭେଣ୍ଟ ପୂର୍ବରୁ କିଛି ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦେଇ ପରୀକ୍ଷା କରାଇନେବା ଏହାର ଲକ୍ଷ୍ୟ ରହିଛି।
ଯଶପ୍ରୀତ୍ ବୁମ୍ରା ପିଠି ଆଘାତ ଜନିତ ସମସ୍ୟା ଯୋଗୁ ଗତ ଟି-୨୦ ବିଶ୍ୱକପ୍ ଟିମ୍ରୁ ବାଦ୍ ପଡ଼ିଥିଲେ। ସେ ଶେଷ ଥର ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ସିରିଜ୍ ୨୦୨୨ ସେପ୍ଟେମ୍ୱରରେ ଖେଳିଥିଲେ। ସେ ୨୦୨୩ ମାର୍ଚ୍ଚରେ ପିଠି ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ନ୍ୟୁଜ୍ଲାଣ୍ଡ ଯାଇ ସର୍ଜରୀ କରିଥିଲେ। ଯାହା ସଫଳ ହୋଇଥିବା ବିସିସିଆଇ ସୂଚନା ଦେଇଥିଲା।
ତେଣୁ ଆଗଷ୍ଟ ୩୦ରୁ ଖେଳ ହେବାକୁ ଥିବା ଏସିଆ କପ୍ ଟିମ୍ରେ ବୁମ୍ରା ସ୍ଥାନ ପାଇପାରନ୍ତି ବୋଲି କ୍ରୀଡ଼ାପ୍ରେମୀ ଓ ବିସିସିଆଇ ସଦସ୍ୟ ଆଶା ପ୍ରକାଶ କରିଛନ୍ତି।
ଆୟରଲାଣ୍ଡ ଟି-୨୦ ସିରିଜ୍ ପାଇଁ ସମ୍ଭାବିତ ଭାରତୀୟ ଦଳ: ଯଶପ୍ରୀତ ବୁମ୍ରା(କ୍ୟାପଟେନ୍), ରୁତୁରାଜ ଗାଇକ୍ୱାଡ୍(ଉପଅଧିନାୟକ), ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ(ୱିକେଟ ରକ୍ଷକ), ଜିତେଶ ଶର୍ମା(ୱିକେଟ ରକ୍ଷକ), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶେହବାଜ୍ ଅହମଦ, ରବୀ ବିଷ୍ଣୋୟୀ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଅଭେଷ ଖାନ୍।
ଅଗଷ୍ଟ ୧୮, ୨୦ ଓ ୨୩ରେ ଏହି ତିନୋଟି ମ୍ୟାଚ୍ ଖେଳାଯିବ।
ଅଗଷ୍ଟ ୨୦୨୨ରେ ଭାରତୀୟ ଟିମ୍ରେ ସାମିଲ ପ୍ରସିଦ୍ଧ କ୍ରୀଷ୍ଣା ପୁଣି ସ୍କ୍ୱାଡ୍କୁ ଫେରିଛନ୍ତି। ଆହତ ଯୋଗୁ ସେ ଟିମ୍ ଠାରୁ ଦୂରରେ ଥିଲେ। ଦିନିକିଆ ବିଶ୍ୱକପ୍ ପାଇଁ ସେ ମହତ୍ୱପୂର୍ଣ୍ଣ ଯୋଗଦାନ କରପାରନ୍ତି ବୋଲି ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଆଶା ରଖିଛି। ତାଙ୍କ ସହ ମୁକେଶ କୁମାର, ଅର୍ଶଦୀପ ସିଂହ ଓ ଅଭେଷ ଖାନ୍ଙ୍କୁ ଆୟରଲାଣ୍ଡ ସିରିଜ୍ରେ ସୁଯୋଗ ଦେବାକୁ ମ୍ୟାନେଜମେଣ୍ଟ ନିର୍ଣ୍ଣୟ ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।