/odisha-reporter/media/post_attachments/uploadimage/library/16_9/16_9_0/Virat_1739616304.jpg)
Virat
୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆରମ୍ଭ ହେଉଥିବା ବେଳେ ଭାରତ ୨୦ ତାରିଖରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଭାରତୀୟ ଟିମ ଦୁବାଇରେ ବାଂଲାଦେଶକୁ ପ୍ରଥମ ମ୍ୟାଚ୍ରେ ସାମ୍ନା କରିବ। ୨୦୧୭ ପରେ ଆଉ ଚାମ୍ପିୟନ୍ସ ଟ୍ରଫି ଖେଳା ଯାଇ ନଥିଲା। ଦୀର୍ଘ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଖେଳା ଯାଉଛି।
୨୦୧୭ରେ ଭାରତୀୟ ଟିମ ବିରାଟ କୋହଲିଙ୍କ ନେତୃତ୍ୱରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଥିଲା। କିନ୍ତୁ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା। ଏଥର ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯାଉଛି। ଦଳରେ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳି ରହିଛନ୍ତି। କିନ୍ତୁ ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ଦଳରେ ନଥିବାରୁ ଏହା ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ବୋଲିଂ ୟୁନିଟକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି।
ଭାରତ ୨୦୧୩ ପର ଠାରୁ ଆଉ ଚାମ୍ପିୟନ୍ସ ଟ୍ରଫି ଜିତି ନାହିଁ। ତେଣୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏଥର ଟ୍ରଫି ତୋଳିବାକୁ ଲକ୍ଷ୍ୟ ରଖିଛି। କୁହାଯାଉଛି ଯେ ୩୭ ବର୍ଷୀୟ ରୋହିତ, ୩୬ ବର୍ଷୀୟ ବିରାଟ କୋହଲି ଓ ୩୬ ବର୍ଷୀୟ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ସମ୍ଭବତଃ ଶେଷ ଆଇସିସି ଇଭେଣ୍ଟ। କାରଣ ଏହି ୩ ଷ୍ଟାର ଖେଳାଳି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରି ସାରିଛନ୍ତି। ୨୦୨୪ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ବିଶ୍ୱ ବିଜେତା ହେବା ପରେ ରୋହିତ, ବିରାଟ ଓ ଜାଡେଜା ଟି-୨୦ ଅନ୍ତର୍ଜାତୀୟକୁ ଅଲବିଦା କହିଥିଲେ। ଏବେ ୩ ଖେଳାଳି କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଖେଳୁଛନ୍ତି।
୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ୨୦୨୬ରେ ଟି-୨୦ ବିଶ୍ୱକପ ଖେଳାଯିବ। ଏଥରେ ରୋ-କୋ ଓ ଜାଡେଜା ନଜର ଆସିବେ ନାହିଁ। କାରଣ ଟି-୨୦ରୁ ଏମାନେ ଅବସର ନେଇ ସାରିଛନ୍ତି। ସେହିପରି ୨ ବର୍ଷ ଯାଏ ଏହି ୩ ଷ୍ଟାର ଖେଳୁଥିବା କ୍ରିକେଟ ଫର୍ମାଟର କୌଣସି ଆଇସିସି ଇଭେଣ୍ଟ ନାହିଁ। ଚାମ୍ପିୟନ୍ସ ଟ୍ରଫି ପରେ ଯଦିଓ ରୋ-କୋ ଓ ଜାଡେଜା ଭାରତ ପାଇଁ ଖେଳିବାର ସମ୍ଭାବନା ରହିଛି, ତଥାପି ସେମାନେ ୨ ବର୍ଷ ପରେ ହେବାକୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନଜର ଆସିବାର ସମ୍ଭବନା କ୍ଷୀଣ।
୨ ବର୍ଷ ଭିତରେ ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଦଳରେ ୩ ଷ୍ଟାରଙ୍କ ଭବିଷ୍ୟତ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଚାମ୍ପିୟନ୍ସ ଟ୍ରଫି ସମ୍ଭବତଃ ରୋହିତ, ବିରାଟ ଓ ଜାଡେଜାଙ୍କ ଶେଷ ଆଇସିସି ଇଭେଣ୍ଟ ବୋଲି ମତ ରଖିଛନ୍ତି।
ସେ କହିଛନ୍ତି, ଚାମ୍ପିୟନ୍ସ ଟ୍ରଫି ଆଉ କିଛି ଦିନ ପରେ ଆରମ୍ଭ ହେବ। ଏହାପରେ ଚଳିତ ବର୍ଷ ଆଉ ଗୋଟିଏ ଆଇସିସି ଇଭେଣ୍ଟ ଖେଳାଯିବ। ସେଇଟା ହେଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ। କିନ୍ତୁ ଭାରତୀୟ ଟିମ ଏଥର WTC ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଏହାର ଅର୍ଥ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ କେହି ବି WTC ଫାଇନାଲରେ ନଜର ଆସିବେ ନାହିଁ।
ସେହିପରି ଭାରତର ପରବର୍ତ୍ତୀ ଆଇସିସି ଟୁର୍ଣ୍ଣାମେଣ୍ଟ ହେଉଛି ୨୦୨୬ ଟି-୨୦ ବିଶ୍ୱକପ। ଟି-୨୦ ଏମିତି ଏକ ଫର୍ମାଟ ଯେଉଁଥିରୁ ୩ ଜଣ ଯାକ ଅବସର ନେଇ ସାରିଛନ୍ତି। ପରବର୍ତ୍ତୀ ଦିନିକିଆ ବିଶ୍ୱକପ ୨୦୨୭ରେ ଖେଳାଯିବ। କିନ୍ତୁ ୨୦୨୭ ବିଶ୍ୱକପ ବହୁତ ଦୂର। ସେତେବେଳକୁ ଭାରତୀୟ ଟିମର ରୂପରେଖ ବଦଳି ସାରିଥିବ। ୨୦୨୭ ବେଳକୁ ବିଶ୍ୱ ମଧ୍ୟ ଅଲଗା ପ୍ରକାରର ହୋଇ ଯାଇଥିବ। ତେଣୁ ବିରାଟ, ରୋହିତ ଓ ଜାଡେଜା ମଧ୍ୟ ଅଲଗା କିଛି ଭାବୁଥିବେ। ସେମାନେ ମଧ୍ୟ ଭଲ ଭାବେ ଜାଣିଛନ୍ତି ଯେ ଚାମ୍ପିୟନ୍ସ ଟ୍ରଫି ସେମାନଙ୍କର ଶେଷ ଆଇସିସି ଇଭେଣ୍ଟ।
କ’ଣ ଭାରତର ଏହି ୩ ଷ୍ଟାର ଖେଳାଳି ୨୦୨୭ ଯାଏ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଜାରି ରଖିବେ? ସେମାନେ ଖେଳ ଜାରି ରଖିବା କିମ୍ବା ନ ରଖିବା ଏଠାରେ ବଡ଼ ପ୍ରଶ୍ନ ନୁହେଁ। ସବୁଠାରୁ ବଡ଼ ପ୍ରଶ୍ନ ହେଲା ଟିମ ଏମାନଙ୍କୁ ୨୦୨୭ରେ ଚାହିଁବ କି ନାହିଁ? ଭାରତୀୟ କ୍ରିକେଟ ଏମାନଙ୍କୁ ବାଦ ଦେଇ ଆଗକୁ ଯାଇ ପାରିବ କି ନାହିଁ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ।
ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବାର ସମ୍ଭାବନା କେତେ?
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପ୍ରବେଶ କରିବ। ବର୍ତ୍ତମାନ ସୁଦ୍ଧା ଭାରତ ଓ ଅଷ୍ଟ୍ରେଲିଆ ଦୁଇଟି ଟିମ, ଯିଏ ଦୁଇ ଥର ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି। ଏମାନଙ୍କ ଠାରୁ କେହି ବି ଅଧିକ ଥର ଟ୍ରଫି ତୋଳି ଧରି ନାହାନ୍ତି। ଭାରତ ୨୦୦୨ ଓ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।
ଏଥର ଦଳ ରେକର୍ଡ କରିବା ଲକ୍ଷ୍ୟରେ ରହିଛି। ଚାମ୍ପିୟନ୍ସ ଟ୍ରଫିର ପ୍ରଦର୍ଶନକୁ ଦେଖିଲେ ଭାରତ ପୁଣି ଚାମ୍ପିୟନ ହେବାର ସମ୍ଭାବନା ଯଥେଷ୍ଟ ରହିଛି। ସବୁ ଦଳର ବିଜୟ ପ୍ରତିଶତକୁ ବିଚାରକୁ ନେଲେ ଭାରତ ୧ନଂରେ ରହିଛି। ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ୬୯.୨ ବିଜୟ ପ୍ରତିଶତ ସହ ପ୍ରବେଶ କରିବ। କାରଣ ଏଯାଏ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫିର ୨୯ଟି ମ୍ୟାଚ୍ରୁ ୧୮ଟିରେ ଜିତିଛି। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ୬୦% ବିଜୟ ସହ ଦ୍ୱିତୀୟରେ ରହିଛି।
ଚାମ୍ପିୟନ୍ସ ଟ୍ରଫିର ଗଲା ଦୁଇଟି ଯାକ ସଂସ୍କରଣରେ ଭାରତ ଦମଦାର ପ୍ରଦର୍ଶନ କରିଛି। ୨୦୧୩ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତ କମାଲ କରିଥିଲା। ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ ଫାଇନାଲରେ ପାକିସ୍ତାନ ଠାରୁ ହାରି ରନର୍ସ ଅପ ହୋଇଥିଲା। ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପ୍ଟେନ୍ସିରେ ଦଳ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା।
ଭାରତ ଏକମାତ୍ର ଟିମ ଯିଏ ସର୍ବାଧିକ ୪ଥର ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଛି। ୨୦୦୦ ମସିହାରେ ଦଳ ଫାଇନାଲରେ ହାରିଥିବା ବେଳେ ୨୦୦୨ରେ ଶ୍ରୀଲଙ୍କା ଓ ଭାରତ ଯୁଗ୍ମ ଭାବେ ବିଜେତା ଘୋଷିତ ହୋଇଥିଲେ। ୨୦୧୩ରେ ଭାରତ ଚାମ୍ପିୟନ ଓ ୨୦୧୭ରେ ରନର୍ସ ଅପ ହୋଇଥିଲା।
୨୦୨୫ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିବା ପାକିସ୍ତାନ ଗୋଟିଏ ଥର ଚାମ୍ପିୟନ ହୋଇଛି। ୨୦୧୭ରେ ଦଳ ଭାରତକୁ ହରାଇ ଟ୍ରଫି ଜିତିଥିଲା। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ୨୩ଟି ମ୍ୟାଚ୍ରୁ ୧୧ଟିରେ ଜିତିଛି। ଦଳ ୪୭.୮ ବିଜୟ ପ୍ରତିଶତ ସହ ତାଲିକାର ୬ଷ୍ଠ ସ୍ଥାନରେ ରହିଛି।
ପାକିସ୍ତାନ ୨୦୧୭ ପୂର୍ବରୁ କେବେ ହେଲେ ବି ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଯାଇ ପାରି ନଥିଲା। ଦଳ ୨୦୧୭ରେ ପ୍ରଥମଥର ଫାଇନାଲକୁ ଯିବା ସହ ଚାମ୍ପିୟନ ହୋଇଥିଲା। ଏବେ ଘରୋଇ ମାଟିରେ ପାକିସ୍ତାନ ଇତିହାସ ଦୋହରାଇବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ଇଂଲଣ୍ଡ ୨୫ଟି ମ୍ୟାଚ୍ରୁ ୧୪ଟି ଜିତିଛି। ଦଳର ବିଜୟ ପ୍ରତିଶତ ୫୬ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ୨୪ଟି ମ୍ୟାଚ୍ରୁ ୧୨ଟି ଜିତିଛି। ଦଳ ୫୪.୫% ବିଜୟ ପଏଣ୍ଟ ସହ ତାଲିକାର ୪ର୍ଥ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୫୦% ବିଜୟ ପଏଣ୍ଟ ସହ ୫ମ ସ୍ଥାନରେ ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
