/odisha-reporter/media/post_attachments/uploads/2021/10/virat-kohli-1.jpg)
virat-kohli
ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଶୋଚନୀୟ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୫୧ ରନ୍ କରିଥିଲା। ଜବାବରେ ପାକିସ୍ତାନ ବିନା ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ଏହି ପରାଜୟ ପରେ ଭାରତର ଆଗାମୀ ବାଟ କଷ୍ଟକର ହୋଇପଡ଼ିଛି।
ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଟିମକୁ ଭେଟିବ। ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ କେବେବି ନ୍ୟୁଜିଲ୍ୟାଣ୍ଡକୁ ହରାଇ ନାହିଁ। ଏଭଳି ସ୍ଥିତିରେ ଭାରତ ପାଇଁ ଏହି ମୁକାବିଲା ବହୁତ କଠିନ। ଗୋଟିଏ ପଟେ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ଏକତରଫା ଭାବେ ହାରିବା ଏବଂ ଅନ୍ୟପଟେ ଟି-୨୦ ବିଶ୍ୱକପ ଇତିହାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟ ରେକର୍ଡ ଭାରତ ପାଇଁ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। କିନ୍ତୁ ନିକଟ ଅତୀତ ରେକର୍ଡ କହୁଛି ଭାରତ ବିଶ୍ୱକପରେ ଦମଦାର କମବ୍ୟାକ୍ କରିବ।
/odisha-reporter/media/post_attachments/content/dam/week/news/sports/images/2021/3/19/team-india-t20-pti.jpg)
ଗତ ବର୍ଷେ କିମ୍ବା ଦୁଇ ବର୍ଷ ଭିତରେ ଭାରତ ଟେଷ୍ଟ ହେଉ କି ଦିନିକିଆ କିମ୍ବା ଟି-୨୦, ସବୁ ଫର୍ମାଟର ସିରିଜର ପ୍ରଥମ ମ୍ୟାଚ୍ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। କେବଳ ପ୍ରତ୍ୟାବର୍ତ୍ତନ କରିନାହିଁ ବରଂ ଅନେକ ସିରିଜ୍ ମଧ୍ୟ ଜିତିଛି। ଗତବର୍ଷ ଡିସେମ୍ବରରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ଗସ୍ତର ପ୍ରଥମ ଟେଷ୍ଟ ଆଡିଲେଡରେ ଖେଳାଯାଇଥିଲା। ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୨୪୪ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ୍ କରି ଅଲଆଉଟ୍ ହୋଇଥିଲା। ଆଉ ଏହି ଟେଷ୍ଟରେ ଭାରତ ୮ ୱିକେଟରେ ପରାସ୍ତ ମଧ୍ୟ ହୋଇଥିଲା। ଏଭଳି ଲଜ୍ଜାଜନକ ପ୍ରଦର୍ଶନ କରେ ଭାରତର କମବ୍ୟାକ୍ ଆଶା କ୍ଷୀଣ ହୋଇଯାଇଥିଲା।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/315400/315458.jpg)
ପରବର୍ତ୍ତୀ ତିନୋଟି ଟେଷ୍ଟରେ ଭାରତର ଅଧିକାଂଶ ଷ୍ଟାର୍ ଖେଳାଳି ଆହତ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିଥିଲେ। କିନ୍ତୁ ଭାରତ ଯେଉଁଭଳି ପ୍ରତ୍ୟାବର୍ତ୍ତନ କଲା, ତାହା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ମେଲବର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଜୋରଦାର କମବ୍ୟାକ୍ କରିଥିଲା ଏବଂ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଥିଲା। ସେହିପରି ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟକୁ ଭାରତ ଡ୍ର’ କରିଥିବା ବେଳେ ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟକୁ ୩ ୱିକେଟରେ ଜିତିନେଇଥିଲା। ଏଥିସହ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲା।
ଚଳିତ ବର୍ଷ ଫେବୃଆରୀରେ ଭାରତ ଗସ୍ତରେ ଆସିଥିଲା ଇଂଲଣ୍ଡ। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା, ଯେଉଁଥିରେ ଇଂଲଣ୍ଡ ଜବରଦସ୍ତ ପ୍ରଦର୍ଶନ କରି ୨୨୭ ରନରେ ଭାରତକୁ ହରାଇଥିଲା। ସିରିଜର ବାକି ତିନୋଟି ମ୍ୟାଚରେ ଭାରତର ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୩୧୭ ରନରେ, ଅହମଦାବାଦରେ ଖେଳାଯାଇଥିବା ତୃତୀୟ ଟେଷ୍ଟକୁ ୧୦ ୱିକେଟରେ ଏବଂ ଚତୁର୍ଥ ଟେଷ୍ଟରେ ଇନିଂସ୍ ଓ ୨୫ ରନରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏଥିସହ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ହାତେଇ ନେଇଥିଲା।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/317500/317557.jpg)
ସେହିପରି ଗତ ଅଗଷ୍ଟ ମାସରେ ଇଂଲଣ୍ଡ ଗସ୍ତରେ ଭାରତ ଆଶାମୁତାବକ ପ୍ରଦର୍ଶନ କରିଥିଲା। ପ୍ରଥମ ଟେଷ୍ଟ ଡ୍ର’ କରିବା ପରେ ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତି ନେଇଥିଲା। ଏହା ପରେ ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିବା ଚତୁର୍ଥ ଟେଷ୍ଟକୁ ଜିତି ଭାରତ ସିରିଜରେ ୨-୧ରେ ଆଗୁଆ ରହିଥିଲା। ତେବେ ପଞ୍ଚମ ଟେଷ୍ଟ କୋଭିଡ୍ ବ୍ରେକ୍ ଆଉଟ୍ କାରଣରୁ ସ୍ଥଗିତ ରଖାଯାଇଥିଲା।
କେବଳ ଟେଷ୍ଟ ନୁହେଁ, ଟି-୨୦ରେ ମଧ୍ୟ ଭାରତର ଏମିତି କମବ୍ୟାକ୍ କରି ସିରିଜ୍ ଜିତିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳ ୮ ୱିକେଟରେ ବିଜୟୀ ହୋଇଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚକୁ ଭାରତ ୭ ୱିକେଟରେ ଜିତି କମବ୍ୟାକ୍ କରିଥିଲା। କିନ୍ତୁ ତୃତୀୟ ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୀୟୀ ହୋଇ ସିରିଜରେ୨ ୨-୧ରେ ଆଗୁଆ ଥିଲା। ଏହା ପରେ ଶେଷ ଦୁଇଟି ମ୍ୟାଚକୁ ଯଥାକ୍ରମେ ୮ ରନ୍ ଓ ୩୬ ରନରେ ଜିତି ସିରିଜକୁ ୩-୨ରେ ଜିତି ନେଇଥିଲା।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/237400/237475.jpg)
ସେହିପରି ୨୦୧୬ ଟି-୨୦ ବିଶ୍ୱକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନରୁ ଅଭିଯାନ ଆରମ୍ଭ କରିଥିଲା। ଭାରତ ଉକ୍ତ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିଥିଲା। କିୱି ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୬ ରନ୍ କରିଥିଲା। ଜବାବରେ ଭାରତ ମାତ୍ର ୭୯ ରନରେ ଅଲଆଉଟ୍ ହୋଇଯାଇଥିଲା। ଆଉ ଏଥିସହ ଟିମ୍ ଇଣ୍ଡିଆ ମ୍ୟାଚରେ ୪୭ ରନରେ ହାରିଯାଇଥିଲା। ହେଲେ ପରବର୍ତ୍ତୀ ମ୍ୟାଚରେ ଭାରତ ତା’ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ୱିକେଟରେ ହରାଇ ଜବରଦସ୍ତ କମବ୍ୟାକ୍ କରିଥିଲା।
୨୦୧୬ ସଂସ୍କରଣ ଭଳି ୨୦୨୧ ସଂସ୍କରଣରେ ଭାରତ ପ୍ରଥମ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ୨୦୧୬ରେ ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ନିକଟରୁ ହାରିଥିବା ବେଳେ ଏଥର ପାକିସ୍ତାନ ଠାରୁ ପରାସ୍ତ ହୋଇଛି। ୨୦୧୬ରେ ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଭେଟିଥିବା ବେଳେ ଏଥର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ତେଣୁ ପୂର୍ବ ରେକର୍ଡ କହୁଛି ଯେ ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ସଫଳତା ପୂର୍ବକ ପ୍ରତ୍ୟାବର୍ତ୍ତନ କରିଛି। ତାହେଲେ ଚଳିତ ବିଶ୍ୱକପରେ ଭାରତ ତା’ର ପୂର୍ବ ରେକର୍ଡକୁ ଦୋହରାଉଛି ନା ନାହିଁ, ତାହା ଦେଖିବାକୁ ବାକି ରହିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
