ସାମସନ ଓ ଗିଲ୍
ଓଡ଼ିଶାର କଟକରୁ ଭାରତୀୟ କ୍ରିକେଟ ଟିମ ତା’ର ଟି-୨୦ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟିକିଆ ସିରିଜର ପ୍ରଥମ ମ୍ୟାଚ୍କୁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତ ୧୦୧ରେ ଜିତି ନେଇଛି। ମଙ୍ଗଳବାର ବାରବାଟୀର ନୂଆ ମସଲାଦାର ପିଚ୍ରେ ଟିମ ମ୍ୟାନେଜମେଣ୍ଟ ଶ୍ରେଷ୍ଠ ଭାରତୀୟ ବୋଲରଙ୍କୁ ମୈଦାନକୁ ଛାଡ଼ିଥିଲା। ଆଉ ସେମାନେ ମିଳିତ ଭାବେ ବେଶ ଦମଦାର ଢଙ୍ଗରେ ମାତ୍ର ୧୭୫ ରନକୁ ସହଜରେ ଡିଫେଣ୍ଡ କରି ଦେଇଥିଲେ। ଭାରତୀୟ ବୋଲରମାନେ ମିଳିତ ଭାବେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ।
ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୪ ଟି-୨୦ ବିଶ୍ୱକପର ଫାଇନାଲିଷ୍ଟ ବିପକ୍ଷ ଲଢ଼େଇକୁ ପୂରା ଏକପାଖିଆ କରି ଦେଇଥିଲେ। ଘରୋଇ ପରିବେଶରେ ଭାରତୀୟ ଟିମର ଆଖପାଖ ମାଡ଼ିକୁ କୌଣସି ଟିମର ସାହାସ ନଥିବା ଧାରା ଦକ୍ଷିଣ ଆଫ୍ରିକା କ୍ଷେତ୍ରରେ ମଧ୍ୟ ସତ ପ୍ରମାଣିତ ହୋଇଛି।
ଦୁର୍ବଳତାକୁ ଲୁଚାଇବା ଭଳି ପ୍ରଦର୍ଶନ
ଭାରତୀୟ ଟିମର ଏପରି ପ୍ରଭାବଶାଳୀ ପ୍ରଦର୍ଶନ ପ୍ରାୟତଃ ଦୁର୍ବଳତାକୁ ଲୁଚାଇ ଦେଉଛି। ଗୋଟିଏ ଦୁର୍ବଳତା ବା ସମସ୍ୟା ସବୁବେଳେ ଭାରତୀୟ ଟିମ ଆଗରେ କଣ୍ଟା ହୋଇ ଛିଡ଼ା ହୋଇଛି। ଦଳର ଟପ ଅର୍ଡରକୁ ନେଇ ସୃଷ୍ଟି ହୋଇଥିବା ଅସହଜ ପ୍ରଶ୍ନ ଏବେ ବି ସମାଧାନ ହୋଇପାରିନି। ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଭାରତୀୟ ଟିମର ଟପ ଅର୍ଡର ପୁଣି ନିରାଶ କରିଥିଲା।
୨.୪ ଓଭର ସୁଦ୍ଧା ଦଳ ୨ ୱିକେଟ ହରାଇ ୧୭ ରନର ସ୍ଥିତିରେ ରହିଥିଲା। କ୍ୟାପ୍ଟେନ ସୂର୍ଯ୍ୟ କୁମାର ଓ ଭାଇସ କ୍ୟାପ୍ଟେନ ଶୁବମନ ଗିଲ ପ୍ୟାଭିଲିୟନ ଫେରି ଯାଇଥିଲେ। ଗିଲ ପ୍ରଥମ ବ୍ୟାଟର ଭାବେ ଲୁଙ୍ଗି ଏନଗିଡିଙ୍କ ବଲକୁ ନିୟନ୍ତ୍ରଣ କରି ନ ପାରି ସିଧା ମିଡ ଅନ ହାତରେ କ୍ୟାଚ ହୋଇଥିଲେ। ଏହାପରେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ସମାନ ଶଟ ଖେଳିବାକୁ ଉଦ୍ୟମ କରି ଆଉଟ ହୋଇଥିଲେ। ଏଥିଯୋଗୁ ଭାରତ ହଠାତ ସମସ୍ୟାରେ ପଡ଼ିଥିଲା।
ଲଗାତର ଦୁଇଟି ୱିକେଟ ଝଡ଼ିବା ଯୋଗୁ ଟି-୨୦ରେ ବିଶ୍ୱର ୧ ନମ୍ବର ବ୍ୟାଟର ଅଭିଷେକ ଶର୍ମା ପାୱାର ପ୍ଲେରେ ମଧ୍ୟ ବଡ଼ ଶଟ ଖେଳିବାକୁ ସାହାସ କରି ନଥିଲେ। ପୂର୍ବରୁ ସେ ପାୱାର ପ୍ଲେରେ ହିଁ ନିଜର ବିସ୍ଫୋରକ ରୂପ ଦେଖାଇଥାଆନ୍ତି। ବାଧ୍ୟ ହୋଇ ନିଜ ବ୍ୟାଟିଂ ଷ୍ଟାଇଲରେ ସେ ପରିବର୍ତ୍ତନ କରିଥିଲେ। ତିଳକ ବର୍ମାଙ୍କ ସହ ଗୋଟିଏ ପାର୍ଟରନଶିପ କରିବାକୁ ସେ ଚାହିଁଥିଲେ। କିନ୍ତୁ ପାୱାର ପ୍ଲେ ପରେ ସେ ମଧ୍ୟ ଆଉଟ ହୋଇଥିଲେ।
ଗୋଟିଏ ସମୟରେ ଭାରତର ବ୍ୟାଟିଂ ଲାଇନ ଅପ ଭୁଶୁଡ଼ି ପଡ଼ିଥିଲା। ଯଦି ହାର୍ଦ୍ଦିକ ପାଣ୍ତ୍ୟା ଶେଷ ଭାଗରେ ବିସ୍ଫୋରଣ କରି ନଥାଆନ୍ତେ, ତା’ହେଲେ ଭାରତ ୧୭୫ ରନରେ ମଧ୍ୟ ପହଞ୍ଚି ପାରି ନଥାଆନ୍ତା। ଶେଷରେ ଏହି ୧୭୫ ରନ ହଁ ବାରବାଟୀ ପିଚ୍ରେ ଆବଶ୍ୟକତା ଠାରୁ ଅଧିକ ବୋଲି ପ୍ରମାଣିତ ହୋଇଥିଲା।
କ’ଣ ଶୁବମନ ଗିଲ ଟି-୨୦ ପାଇଁ ଫିଟ?
ଏସିଆ କପ ଠାରୁ ଭାରତର ଟି-୨୦ ସେଟ ଅପକୁ ଫେରିଛନ୍ତି ଶୁବମନ ଗିଲ। ସେ(Shubman Gill) ଇନିଂସ ଆରମ୍ଭ କରିବା ଦିନ ଠାରୁ ଭାରତର ଟପ ଅର୍ଡରର ବିସ୍ଫୋରଣ ସାମାନ୍ୟ ହ୍ରାସ ପାଇଛି। ଅଭିଷେକ-ଗିଲ ଓପନିଂ ଯୁଗରେ ଭାରତ ୧୩ଟି ମ୍ୟାଚ୍କୁ କେବଳ ଗୋଟିଏ ଥର ୨୦୦ ରନ ପାର କରିଛି। ଏହା ମଧ୍ୟରେ ମଙ୍ଗଳବାରର ବାରବାଟୀ ଲଢ଼େଇ ମଧ୍ୟ ରହିଛି।
ଏହାପୂର୍ବରୁ ଯେତେବେଳେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ(Sanju Samson) ଦଳ ପାଇଁ ଓପନ କରୁଥିଲେ ସେତେବେଳେ ଭାରତ ୧୨ଟି ମ୍ୟାଚ୍ରୁ ୬ ଥର ୨୦୦ ପାର ସ୍କୋର କରିଥିଲା। ଗିଲଙ୍କ ଉପସ୍ଥିତି ଯୋଗୁ ଟିମ ଆହୁରି ସଶକ୍ତ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଗିଲଙ୍କ ଉପସ୍ଥିତି ଭାରତୀୟ ଟିମର ସବୁଠାରୁ ବଡ଼ ଶକ୍ତି ଅର୍ଥାତ ଆକ୍ରମଣାତ୍ମକ ଖେଳକୁ ଦୁର୍ବଳ କରି ଦେଇଛି।
କଥାରେ ଅଛି- ଯାହା ଭାଙ୍ଗି ନାହିଁ, ତା’କୁ ଯୋଡ଼ ନାହିଁ। ଟି-୨୦ ଟିମରେ ଶୁବମନ ଗିଲଙ୍କୁ ବଳପୂର୍ବକ ଭର୍ତ୍ତି କରିବା ଏହି ଲୋକକଥାର ବିପରୀତ ଭଳି ଅନୁଭବ ହେଉଛି। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ପ୍ରତିଟି ଦଳ ବିପକ୍ଷରେ ବାଲାଷ୍ଟିକ ମିସାଇଲ ଲଞ୍ଚ କରୁଥିଲେ। ରେଜଲ୍ଟ ଧଡ଼ାଧଡ଼ ଭାରତକୁ ମଧ୍ୟ ମିଳୁଥିଲା। ଏପରି ସ୍ଥିତିରେ କ’ଣ ଭାରତୀୟ ଟିମକୁ ଶୁବମନ ଗିଲଙ୍କୁ ଆଣିବାର ଥିଲା ଓ ସାମସନକୁ ଚୂଡ଼ା ଏକାଦଶରୁ ବାଦ ଦେବାର ଥିଲା?
ଗିଲ ସପକ୍ଷବାଦୀ କହି ପାରନ୍ତି ଯେ ସେ ଆସିବା ଦ୍ୱାରା ଭାରତର ବିଜୟ ଟ୍ରାକରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏହା ମଧ୍ୟ ସତ। କିନ୍ତୁ ଏହାର ମୂଲ୍ୟ କ’ଣ? ଏହା କେଉଁ ପ୍ରକାରର ବାର୍ତ୍ତା ଦେଉଛି?
ଗତବର୍ଷ ସଞ୍ଜୁ ସାମସନ ଟି-୨୦ରେ ୩ଟି ଶତକ ହାସଲ କରିଥିଲେ। ଟି-୨୦ କ୍ରିକେଟରେ ଏପରି ସଫଳତା କୌଚିତ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଉ ନାହିଁ। ଗିଲ ଉପ ଅଧିନାୟକ ଟ୍ୟାଗ ପାଇଛନ୍ତି ବୋଲି ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରହିବାକୁ ପଡ଼ୁଛି। ଏହା ଭଲ ରାଜନୀତି ହୋଇପାରେ। କିନ୍ତୁ ଏହା କ’ଣ କ୍ରିକେଟ ପାଇଁ ଶୁଭ ସଙ୍କେତ?
ଟେଷ୍ଟ ଓ ଦିନିକିଆରେ ଶୁଭମନ ଗିଲଙ୍କ ଚୟନ ପୂରା ଠିକ। ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ଟି-୨୦ରେ ତାଙ୍କୁ ସାମିଲ କରି ମୁଖ୍ୟ କୋଚ ଗୌତମ ଗମ୍ଭୀର ବହୁତ ଅନ୍ୟାୟ କରୁଛନ୍ତି। ପୂର୍ବରୁ ଥିବା ଭାରତୀୟ ଟିମ ଯେକୌଣସି ପରିସ୍ଥିତିରେ ୨୫୦ରୁ ୨୮୦ ରନ କରୁଥିଲା। ଦଳ ପାଖରେ ଏବେ ବି ସେ କ୍ଷମତା ରହିଛି। ହେଲେ ଶୁବମନ ଗିଲ ଆସିବା ପରେ ଭାରତ ସେହି ସ୍ତରରେ ପହଞ୍ଚି ପାରିଛି କି? ଉତ୍ତର ହେଉଛି ନା।
ଦଳ କ’ଣ ଜିତୁ ନାହିଁ? ଉତ୍ତର ହଁ। କାରଣ ହେଲା ଭାରତରେ ଆମକୁ ଜିତିବା ପାଇଁ ପ୍ରତିଦିନ ୨୮୦ ରନ ଦରକାର ନାହିଁ।
ନିଜର ଟି-୨୦ ଷ୍ଟାଇଲରେ ପରିବର୍ତ୍ତନ କରିଛି ଭାରତ?
ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଭାରତୀୟ ଟି-୨୦ ଟିମରେ ହଠାତ୍ ପରିବର୍ତ୍ତନ ୨୦୨୨ କଥା ମନେ ପକାଇ ଦେଉଛି। ସେତେବେଳେ ଗୋଟିଏ ଧୀର ସ୍ଥିର ବା ୱାଚଫୁଲ ଟପ ଅର୍ଡର ରହିଥିଲା। ଏହି ଟପ ଅର୍ଡର ଆଧୁନିକ ଯୁଗର ଟି-୨୦ ସହ ତାଳ ଦେବାକୁ ସକ୍ଷମ ହୋଇ ନଥିଲା। ଏଥିପାଇଁ ଭାରତକୁ ସେମି ଫାଇନାଲରୁ ହିଁ ବିଦାୟ ନେବାକୁ ପଡ଼ିଥିଲା।
ସେହି କଷ୍ଟକର ରାତିରେ ତତ୍କାଳୀନ ଭାରତୀୟ ଟି-୨୦ ଟିମ(T20 Cricket)ର କ୍ୟାପ୍ଟେନ ରୋହିତ ଶର୍ମା ଗୋଟିଏ ନିଷ୍ପତ୍ତି ନେଇଥିଲେ; ଆଗକୁ ଭାରତ ଯେମିତି ଆଧୁନିକ ଯୁଗର ତାଳରେ ପଛରେ ପଡ଼ିବ ନାହିଁ। ଏହି ଚିନ୍ତାଧାରା ଭାରତକୁ ୨୦୨୪ରେ ଟି-୨୦ ଚାମ୍ପିୟନ କରିଥିଲା। ଗମ୍ଭୀର ଓ ସୂର୍ଯ୍ୟ କୁମାର ଏହାକୁ କେବଳ ଧାରୁଆ କରିଥିଲେ।
ହେଲେ ହଠାତ୍ ଶୁବମନ ଗିଲଙ୍କ ରି-ଏଣ୍ଟ୍ରୀକୁ ଦେଖିଲେ ଲାଗୁଛି ଯେ ଭାରତ ପୁଣି ପୁରୁଣା ଯୁଗକୁ ଫେରୁଛି। ଆଗକୁ ଟି-୨୦ ବିଶ୍ୱକପ ରହିଥିବା ବେଳେ ଟିମକୁ ସାମ୍ନାରେ ଥିବା ଅସହଜ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ।
୧- ଟି-୨୦ରେ ଶୁବମନ ଗିଲଙ୍କ ପ୍ରକୃତ ଭୂମିକା କ’ଣ?
୨- କ’ଣ ସେ ଓପନିଂ କରିବାକୁ ଶ୍ରେଷ୍ଠ ବ୍ୟାଟର?
୩- ଯୋଗ୍ୟତା ନଥିଲେ ମଧ୍ୟ କେବଳ ତାଙ୍କୁ ଟ୍ୟାଗ ଦିଆଯାଇ ଏହି ପଦରେ ଖେଳିବାକୁ କୁହାଯାଉଛି?
ଶୁବମନଙ୍କ ବିରୋଧରେ କାହାର କୌଣସି ବ୍ୟକ୍ତିଗତ ଆକ୍ରୋଶ ନାହିଁ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର। ସେ ଏବେ ଯୁବକ। କିନ୍ତୁ ଟି-୨୦କୁ ଦେଖିଲେ ସେ ଫିଟ ନୁହନ୍ତି। ତାଙ୍କ ଠାରୁ ସଞ୍ଜୁ ସାମସନ ଟି-୨୦ ପାଇଁ ଶ୍ରେଷ୍ଠ ବ୍ୟାଟର। ବିଶ୍ୱକପରେ ଗିଲଙ୍କ ଅପେକ୍ଷା ସଞ୍ଜୁ ସାମସନଙ୍କ ଆବଶ୍ୟକତା ଦଳକୁ ଅଧିକ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/10/gill-2025-12-10-13-48-16.jpg)