/odisha-reporter/media/post_attachments/uploadimage/library/16_9/16_9_0/Rohit_1704368597.jpg)
Rohit
ମାତ୍ର ଦେଢ଼ ଦିନରେ ଲଢ଼େଇ ଶେଷ କରି ଦେଇଛି ଭାରତ। ଦକ୍ଷିଣ ଆଫ୍ରିକାକୁ ତା’ର ମାଟିରେ ଧୂଳି ଚଟାଇଛନ୍ତି ରୋହିତ ଶର୍ମା ଆଣ୍ଡ କୋ। ଘରୋଇ ଟିମ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନ ମଧ୍ୟରେ ଶେଷ କରି ରେକର୍ଡ କରିଥିଲା।
ହେଲେ ଆଜି ଭାରତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ଦେଢ଼ ଦିନରେ ଶେଷ କରି ନୂଆ କୀର୍ତ୍ତିମାନ ହାସଲ କରିଛି। ମ୍ୟାଚକୁ ୭ ୱିକେଟରେ ଜିତି ଭାରତୀୟ ଟିମ ଦୁଇଟି ଟିକିଆ ଟେଷ୍ଟ ସିରିଜକୁ ୧-୧ରେ ବରାବର କରିଛି।
ଏହାବାଦ ୩୨ ବର୍ଷ ଧରି ଜାରି ରହିଥିବା ଲଜ୍ଜାଜନକ ରେକର୍ଡକୁ ମଧ୍ୟ ଭାରତୀୟ ଟିମ ଏଥର ଭାଙ୍ଗି ଦେଇଛି। ଆଜି ଯାଏ ଭାରତୀୟ ଟିମ କେବେ ହେଲେ କେପ ଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇ ନଥିଲା। କିନ୍ତୁ ଏଥର ଭାରତ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କେପ ଟାଉନରେ ଭାରତ ଅତି ସହଜରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି।
ଏହି ପରାଜୟ ସହ ଅଭିଜ୍ଞ ଡିନ ଏଲଗାରଙ୍କ କ୍ରିକେଟ କ୍ୟାରିୟର ଶେଷ ହୋଇଛି। ତାଙ୍କୁ ଉଭୟ ଦଳର ଖେଳାଳି ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର କମାଣ ମଧ୍ୟ ଏଲଗାର ସମ୍ଭାଳିଥିଲେ। ପ୍ରଥମ ଟେଷ୍ଟରେ ସେ ୧୮୫ ରନ କରିଥିଲେ। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ବ୍ୟାଟରୁ ବଡ଼ ପାଳି ଦେଖିବାକୁ ମିଳିନି।
କେପ ଟାଉନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୧୫୩ ରନ କରିଥିଲା। ଫଳରେ ଭାରତକୁ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ମିଳିଥିଲା।
ଦକ୍ଷିଣ ଆଫ୍ରିକା ପାଇଁ ଦ୍ୱିତୀୟ ଇନିଂସରେ ଏଡେନ ମାକରମ ୧୦୬ ରନ ଇନିଂସ ଖେଳିଥିଲେ। ହେଲେ ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ଦଖଲ ଯୋଗୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ କେବଳ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା।
ଘରୋଇ ଟିମ ୧୭୬ ରନରେ ଅଲଆଉଟ ହେବାରୁ ଭାରତକୁ ୭୯ ରନର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ହାସଲ କରିବା ପାଇଁ ଭାରତ ୩ଟି ୱିକେଟ ମଧ୍ୟ ହରାଇଛି। କିନ୍ତୁ ଶେଷରେ ଦଳ ବେଶ ସହଜରେ ବିଜୟ ମୁଣ୍ଡି ମାରିଛି।
ଟାର୍ଗେଟ ୭୯ ଥିଲେ ହେଁ ଯଶସ୍ୱୀ ଜୈସୱାଲ ଆଟାକିଂ ଶଟ ଖେଳି ଚାଲିଥିଲେ। ସେ ୨୩ ବଲରେ ୨୮ ରନ କରିବା ପରେ ନାନ୍ଦ୍ରେ ବୁରଗେରଙ୍କ ବଲରେ ଆଉଟ ହୋଇଥିଲେ। ଶୁବମନ ଗିଲ ୧୦ ଓ ବିରାଟ କୋହଲି ୧୨ ମଧ୍ୟ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ। ଦଳକୁ ଜିତିବା ପାଇଁ ୪ ରନ ଦରକାର ଥିବା ବେଳେ ମାର୍କୋ ୟାନସେନ ୧୨ ରନ କରିଥିବା ବିରାଟଙ୍କୁ ଆଉଟ କରିଥିଲେ।
ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କୁ ସାଥ ଦେବା ପାଇଁ ଆସିଥିଲେ ଶ୍ରେୟସ ଆୟର। ସେ ଚୌକା ମାରି ଦଳକୁ ବିଭୟ ଭେଟି ଦେଇଥିଲେ। ରୋହିତ ଶେଷ ଯାଏ ୧୭ ରନ କରି ଅପରାଜିତ ରହିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଦିନରେ ହିଁ ଦୁଇ ଟିମ ଅଲଆଉଟ ହୋଇଥିଲେ। ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଦିନର ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୬୨ ରନ କରିଥିଲା। ଏହାର ଅର୍ଥ ଗୋଟିଏ ଦିନରେ ୨୩ ୱିକେଟ ଝଡ଼ିଥିଲା। ଆଜି କେବଳ ଦୁଇଟି ସେସନ୍ସ ଖେଳା ଯାଇଥିବା ବେଳେ କେପଟାଉନରେ ୧୦ ୱିକେଟ ଝଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
