Advertisment

ରୋହିତଙ୍କ ଶତକ ପରେ ଜାଡେଜା ଓ ଅକ୍ଷରଙ୍କ ଅର୍ଦ୍ଧଶତକ, ଭଲ ସ୍ଥିତିରେ ଭାରତ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଏହି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ନିଜର ଦମ ଦେଖାଇଛନ୍ତି।

author-image
Hemant Lenka
Axar Patel and Ravindra Jadeja

Axar Patel and Ravindra Jadeja

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ କମାଲ କରିଛନ୍ତି ଭାରତୀୟ ବ୍ୟାଟର। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଏହି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ନିଜର ଦମ ଦେଖାଇଛନ୍ତି। ବିଶେଷ କରି ଟିମର ଅଧିନାୟକ ରୋହିତ ଶର୍ମା ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଶତକ ହାସଲ କରିଛନ୍ତି।

Advertisment

ସେହିପରି ଦୁଇ ସ୍ପିନିଂ ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତଙ୍କ ଶତକ ଓ ଦୁଇ ସ୍ପିନ ଯୋଡ଼ିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ ଇଣ୍ଡିଆ ଏବେ ପ୍ରଥମ ଇନିଂସରେ ଭଲ ସ୍ଥିତିରେ ପହଞ୍ଚି ଯାଇଛି। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ମାତ୍ର ୧୭୭ ରନ କରିଥିବା ବେଳେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୩୨୧ ରନ କରି ନେଇଛି।

ଏଥିସହ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୪୪ ରନର ଅଗ୍ରଣୀ ମଧ୍ୟ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅକ୍ଷର ୫୨ ଓ ଜାଡେଜା ୬୬ ରନ କରି ଅପରାଜିତ ରହିଛନ୍ତି। ଭାରତ ହାତରେ ଆଉ ୩ଟି ୱିକେଟ ଥିବା ବେଳେ ଦଳ ଅତିକମରେ ୨୫୦ ରନର ଲିଡ୍‌ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

Advertisment

ନାଗପୁରରେ ଖେଳା ଯାଉଥିବା ଏହି ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ମାତ୍ର ୧୭୭ ରନ ଆଲଆଉଟ ହୋଇଯିବାରୁ ଭାରତ ତା’ର ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ କେଏଲ ରାହୁଲଙ୍କୁ ହରାଇ ୭୭ ରନ କରି ନେଇଥିଲା। ଆଜି ଦୁଇ ଅପରାଜିତ ବ୍ୟାଟର ରୋହିତ ଶର୍ମା ଓ ନାଇଟୱାଚ୍‌ ମ୍ୟାନ ଭାବେ ୩ନଂରେ ଆସିଥିବା ରବି ଅଶ୍ୱିନ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୧୧୮ ଥିବା ବେଳେ ଅଶ୍ୱିନ ୨୩ ରନ କରି ଟଡ୍‌ ମର୍ଫୀଙ୍କ ବଲରେ ଆଉଟ ହୋଇଥିଲେ।

ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାର ମଧ୍ୟ କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ବି ମର୍ଫୀଙ୍କ ଖାତାକୁ ଯାଇଥିଲା। ଲଞ୍ଚ ସୁଦ୍ଧା ଭାରତ ୩ ୱିକେଟ ହରାଇ ୧୫୧ ରନ କରିଥିଲା। ବିରାଟ ୧୨ ଓ ରୋହିତ ୮୫ ରନରେ ଅପରାଜିତ ରହିଥିଲେ। ଲଞ୍ଚ ବ୍ରେକର ପ୍ରଥମ ବଲରେ ବିରାଟ ସେହି ୧୨ ରନ କରି ମୁର୍ଫୀଙ୍କ ୪ର୍ଥ ଶିକାର ବନିଥିଲେ। ଡେବ୍ୟୁଟାଣ୍ଟ ସୂର୍ଯ୍ୟ କୁମାର ଯାଦବ ମଧ୍ୟ କେବଳ ୮ ରନ କରି ନାଥନ ଲାୟନଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ରୋହିତ ଖୁଣ୍ଟ ଭଳି ଅଷ୍ଟ୍ରେଲିଆର ବୋଲରମାନଙ୍କୁ ମୁକାବିଲା କରିଥିଲେ। ତାଙ୍କୁ ରବୀନ୍ଦ୍ର ଜାଡେଜା ଭରପୂର ସହଯୋଗ କରିଥିଲେ। ଉଭୟ ୬ ୱିକେଟ ପାଇଁ ୫୭ ରନ ଯୋଡ଼ିଥିଲେ। ଇତି ମଧ୍ୟରେ ରୋହିତ ମଧ୍ୟ ୧୭୧ ବଲରେ ନିଜର ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ସେ କିଛି ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନାଗପୁର ପିଚ୍‌ରେ ଏହା ସମ୍ଭବ ହୋଇ ନଥିଲା।

ଶେଷରେ ସେ ୧୨୦ ରନ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ରୋହିତଙ୍କ ପରେ ଅନ୍ୟତମ ଡେବ୍ୟୁଟାଣ୍ଟ କେଏସ ଭରତ କ୍ରିଜ୍‌କୁ ଆସିଥିଲେ ହେଁ ସେ କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଆଉଟ କରି ଅଷ୍ଟ୍ରେଲିଆର ଡେବ୍ୟୁଟାଣ୍ଟ ମର୍ଫୀ ୫ମ ସଫଳତା ହାସଲ କରିଥିଲେ।

୨୪୦ରେ ଭାରତ ୭ମ ୱିକେଟ ହରାଇଥିଲା। ଲାଗୁଥିଲା ଆଜି ଦଳ ଅଲଆଉଟ ହୋଇଯିବ। ହେଲେ ଅକ୍ଷର ଓ ଜାଡେଜା ଦମଦାର ବ୍ୟାଟିଂ କରିଥିଲେ। ଜାଡେଜା ପ୍ରଥମ ଅର୍ଦ୍ଧଶତକ ହାସଲ କରି ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ହେଲେ ଅକ୍ଷର ଆଟାକିଂ କ୍ରିକେଟ ଖେଳିଥିଲେ। ସେ ୯୨ ବଲରେ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ଆଉଟ କରିବା ପାଇଁ କମିନ୍ସ ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ।

କିନ୍ତୁ ଏହାର ପ୍ରଭାବ ଅକ୍ଷର କିମ୍ବା ଜାଡେଜାଙ୍କ ଉପରେ ପଡ଼ି ନଥିଲା। ଷ୍ଟମ୍ପ ଅପସାରଣ ହେବାକୁ ଗୋଟିଏ ବଲ ବାକି ଥିବା ବେଳେ ଜାଡେଜାଙ୍କ କ୍ୟାଚ୍‌ ଉଠିଥିଲା। ହେଲେ ଏହାକୁ ଷ୍ଟିଭ ସ୍ମିଥ ଧରିବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ଅଷ୍ଟ୍ରେଲିଆ ନିରାଶ ହୋଇ ଦ୍ୱିତୀୟ ଦିନର ଖେଳ ସରିବା ପରେ ପଡ଼ିଆ ଛାଡ଼ିଥିଲା। ଭାରତ ଷ୍ଟମ୍ପ ଅପସାରଣ ବେଳକୁ ୭ ୱିକେଟ ହରାଇ ୩୨୧ ରନ କରି ନେଇଛି। 

Bcci Indian Cricket Team India Vs Australia INDvsAUS ICC