୩ ଶତକ ବୀର
ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ ଭାରତୀୟ କ୍ରିକେଟ ଟିମର ଦବଦବା। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ(Test Match)ରେ ଭାରତୀୟ ଖେଳାଳିଙ୍କ ଜଲୱା ଜାରି। ଦ୍ୱିତୀୟ ଦିନରେ ଭାରତୀୟ ଟିମ ପାଇଁ ୩ ଜଣ ବ୍ୟାଟର ହାସଲ କରିଛନ୍ତି ଶତକ। ଭ୍ରମଣକାରୀ ଇଣ୍ଡିଜ ଦିନ ତମାମ ବୋଲିଂ କରି କେବଳ ୩ଟି ୱିକେଟ ନେବାକୁ ସକ୍ଷମ ହୋଇଛି।
ଭାରତ ପାଇଁ ଆଜି କେଏଲ ରାହୁଲ ପ୍ରଥମେ ଶତକ ହାସଲ କରିଥିଲେ। ଏହାପରେ ୱିକେଟ କପିର ଦ୍ରୁବ ଜୁରେଲ ତାଙ୍କ ଟେଷ୍ଟ(Test Cricket) କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଦିବସର ଖେଳ ଶେଷ ହେବାକୁ କିଛି ସମୟ ବାକି ଥିବା ବେଳେ ନୂଆ କରି ଉପ ଅଧିନାୟକ ପଦ ପାଇଥିବା ଅଭିଜ୍ଞ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଆଉ ଏକ ଶତକ। ଏହା ତାଙ୍କ କ୍ୟାରିୟର ୬ଷ୍ଠ ଟେଷ୍ଟ ଟନ୍।
ୱେଷ୍ଟଇଣ୍ଡିଜ ଟିମ ପ୍ରଥମ ଇନିଂସରେ ମାତ୍ର ୧୬୨ ରନ କରିଥିବା ବେଳେ ଭାରତର ସ୍କୋର ଏବେ ୪୪୮ ରନରେ ପହଞ୍ଚି ଯାଇଛି। ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଭାରତର ପ୍ରଥମ ଇନିଂସ ଲିଡ ୨୮୬ ରନରେ ପହଞ୍ଚି ସାରିଲାଣି। ଏବେ ବି ଦଳ ହାତରେ ଆହୁରି ୫ ୱିକେଟ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୧୦୪ ରନ ଓ ୱାଶିଂଟନ ସୁନ୍ଦର ୯ ରନ କରି ଅପରାଜିତ ରହିଛନ୍ତି। ଆଜି ଭାରତ ଅଧିନାୟକ ଶୁବମନ ଗିଲ(୫୦), ରାହୁଲ(୧୦୦) ଓ ଜୁରେଲ(୧୨୫)ଙ୍କୁ ହରାଇଛି।
ପ୍ରଥମ ଦିନର ସ୍କୋର ୧୨୧/୨ରୁ ଆଜି ଭାରତ ଇନିଂସ ଆରମ୍ଭ କରିଥିଲା। ଶୁବମନ ଗିଲ ଓ ରାହୁଲ ଦମଦାର ବ୍ୟାଟିଂ କରି ପ୍ରଥମେ ସ୍କୋରକୁ ବରାବର କରିଥିଲେ। ଏହାପରେ ଗିଲଙ୍କ ବ୍ୟାଟରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଲୟରେ ଥିବା ଭଳି ଲାଗୁଥିଲେ ହେଁ ଇଣ୍ଡିଜ ଟିମର ଅଧିନାୟକ ରୋଷ୍ଟନ ଚେଜ ତାଙ୍କୁ ଜଷ୍ଟିନ ଗ୍ରେବ୍ସଙ୍କ ହାତରେ ଆଉଟ କରି ଭାରତକୁ ଦିବସର ପ୍ରଥମ ଝଟକା ଦେଇଥିଲେ।
ଏହାପରେ ରାହୁଲ ଓ ଜୁରେଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ରାହୁଲଙ୍କ ବ୍ୟାଟରୁ ଘରୋଇ ମାଟିରେ ଦୀର୍ଘ ୯ ବର୍ଷ ପରେ ଟେଷ୍ଟରେ ଶତକ ମଧ୍ୟ ଦେଖିବାକୁ ମିଳିଥିଲା। ୧୯୦ ବଲ ଓ ୧୨ଟି ଚୌକା ବଳରେ ଶତକ ହାସଲ କରିଥିବା ରାହୁଲ ଏହାକୁ ଆଉ ଆଗକୁ ନେଇ ପାରି ନଥିଲେ। ଜୋମେଲ ୱାରିକାନଙ୍କ ବଲରେ ତାଙ୍କୁ ଆଉଟ ହେବାକୁ ପଡ଼ିଥିଲା।
ଭାରତ ୨୧୮ ରନରେ ନିଜର ୪ର୍ଥ ୱିକେଟ ହରାଇଥିଲା। ବାସ ଏହାପରେ ଜାଡେଜା ଓ ଜୁରେଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଇଣ୍ଡିଜ ବୋଲରଙ୍କ ସବୁ ପ୍ରୟାସକୁ ଭଣ୍ଡୁର କରୁଥିଲେ। ମଝିରେ ମଝିରେ ଜାଡେଜେ ଛକା ମଧ୍ୟ ମାରିଥିଲେ। ଏସବୁ ଭିତରେ ଜୁରେଲ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହାପରେ ସେ କିଛି ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୪୦୦ ପାର କରାଇଥିଲେ।
ଭାରତର ସ୍କୋର ୪୨୫ ଥିବା ବେଳେ ବ୍ୟକ୍ତିଗତ ୧୨୫ ରନ କରି ଡେବ୍ୟୁଟାଣ୍ଟ ଖାରୟ ପିରେଙ୍କ ବଲରେ ଆଉଟ ହୋଇଥିଲେ ଜୁରେଲ। ଏହି ଶତକୀୟ ଇନିଂସରେ ସେ ୨୧୦ ବଲର ସାମ୍ନା କରିଛନ୍ତି। ଏଥିରେ ୧୫ଟି ଚୌକା ଓ ୩ଟି ଛକା ମାରିଛନ୍ତି।
ଜୁରେଲ ଆଉଟ ହେବା ପରେ ଆସିଥିଲେ ସୁନ୍ଦର। ତାଙ୍କୁ ସାଥୀ କରି ଜାଡେଜା ପ୍ରଥମେ ନିଜର ୬ଷ୍ଠ ଟେଷ୍ଟ ଶତକ ହାସଲ କରିଥିଲେ। ସୁନ୍ଦର ମଧ୍ୟ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଉଭୟ ୬ଷ୍ଠ ୱିକେଟ ପାଇଁ ଅପରାଜିତ ୨୪ ରନ ଯୋଡ଼ି ଥିବା ବେଳେ ଇଣ୍ଡିଜକୁ କୌଣସି କ୍ଷତି ଘଟାଇବାକୁ ଦେଇ ନାହାନ୍ତି। ୧୦୯ରେ ଅପରାଜିତ ଥିବା ଜାଡେଜା ୫ଟି ଛକା ଓ ୬ଟି ଚୌକା ମାରିଛନ୍ତି।
ଭାରତର ଲିଡ୍ ୨୮୬ ରନ ହୋଇ ଯାଇଥିବା ବେଳେ ଆସନ୍ତାକାଲି ଜାଡେଜା ଓ ସୁନ୍ଦର ଇନିଂସ ଆଗକୁ ନେବେ। ଏବେ ଭାରତ ବିଶାଳ ଲିଡ ସହ ଇନିଂସ ବିଜୟ(India Vs West Indies) ମୁଡରେ ରହିଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/03/kl1-2025-10-03-17-27-21.jpg)