Advertisment

ଦମ ଦେଖାଇଲେ ରୋହିତ, ଜାଡେଜା ଓ ସର୍ଫରାଜ: ପ୍ରଥମ ଦିନରେ ଭାରତ ୩୨୬/୫

ରୋହିତ ୧୩୧ ରନ କରି ଆଉଟ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୧୧୦ ରନ କରି ଅପରାଜିତ ରହିଛନ୍ତି। ଡେବ୍ୟୁ ମ୍ୟାଚ୍‌ରେ ସର୍ଫରାଜ ଖାନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୬୨ ରନ କରି ରନଆଉଟ ହୋଇଯାଇଛନ୍ତି।

Rohit

Rohit

Advertisment

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତକୁ ସମ୍ଭାଳିଛନ୍ତି ୩ ଖେଳାଳି। ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଯୁବ ବ୍ୟାଟର ସର୍ଫରାଜ ଖାନ ନିଜର ଦମ ଦେଖାଇଛନ୍ତି। ଏହି ୩ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ଯୋଗୁ ଭାରତ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ୫ ୱିକେଟ ହରାଇ ୩୨୬ ରନ କରି ନେଇଛି।

Advertisment

ରୋହିତ ୧୩୧ ରନ କରି ଆଉଟ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୧୧୦ ରନ କରି ଅପରାଜିତ ରହିଛନ୍ତି। ଡେବ୍ୟୁ ମ୍ୟାଚ୍‌ରେ ସର୍ଫରାଜ ଖାନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୬୨ ରନ କରି ରନଆଉଟ ହୋଇଯାଇଛନ୍ତି। ଆସନ୍ତାକାଲି ଜାଡେଜା ଓ କୁଲଦୀପ ଯାଦବ(୧) ଭାରତୀୟ ଇନିଂସକୁ ଆଗକୁ ନେବେ। 

ରାଜକୋଟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ରୋହିତଙ୍କ ସହ ଯଶସ୍ୱୀ ଜୈସୱାଲ ଇନିଂସ ଆରମ୍ଭ କରିଥିଲେ ହେଁ ଭାରତକୁ ଝଟକା ଲାଗିଥିଲା। ଦଳୀୟ ସ୍କୋର ୨୨ ଥିବା ବେଳେ ଜୈସୱାଲ ମାତ୍ର ୧୦ ରନ କରି ମାର୍କ ଉଡଙ୍କ ବଲରେ ଆଉଟ ହୋଇଥିଲେ।

Advertisment

ଶୁବମନ ଗିଲ୍‌ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତାଙ୍କ ୱିକେଟ ମଧ୍ୟ ଉଡ ନେଇଥିଲେ। ରଜତ ପାଟିଦାର ଗୋଟିଏ ଚୌକା ସହ ୫ ରନ କରିଥିବା ବେଳେ ତାଙ୍କୁ ଟମ ହାର୍ଟଲୀ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଦଳ ୩୩ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ରୋହିତ ଶର୍ମା ଓ ପ୍ରମୋସନ ପାଇ ୫ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଦମଦାର ବ୍ୟାଟିଂ କରିବା ସହ ଲଞ୍ଚ ସୁଦ୍ଧା ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇ ଦେଇଥିଲେ। ଲଞ୍ଚ ପରେ ଉଭୟ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତଙ୍କ ବ୍ୟାଟରୁ କିଛି ବଡ଼ ଶଟ ଦେଖିବାକୁ ମିଳିଥିଲା।

ତାଙ୍କୁ ଜାଡେଜା ପୂରା ସାଥ ଦେଇଥିଲେ। ରୋହିତ ୧୫୭ ବଲରେ ଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୧ତମ ଶତକ। ସେହିପରି ସବୁଠାରୁ ବୟସ୍କ ଭାରତୀୟ କ୍ରିକେଟର ଭାବେ ରୋହିତ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ୩୬ ବର୍ଷ ୨୯୧ ଦିନ ବୟସରେ ରୋହିତଙ୍କ ବ୍ୟାଟରୁ ଟେଷ୍ଟରେ ଶତକ ଦେଖିବାକୁ ମିଳିଛି। ପୂର୍ବରୁ ଏହି ରେକର୍ଡ ବିଜୟ ହଜାରେଙ୍କ ନାଁରେ ରହିଥିଲା। ସେ ୩୬ ବର୍ଷ ୨୭୮ ଦିନ ବୟସରେ ଟେଷ୍ଟରେ ଶତକ ହାସଲ କରିଥିଲେ।

ଶତକ ହାସଲ କରିବା ପରେ ମଧ୍ୟ ରୋହିତ ଅଟକି ନଥିଲେ। ସେ ଆଉ କିଛି ଦର୍ଶନୀୟ ଛକା ଓ ଚୌକା ମାରିଥିଲେ। ତେବେ ୧୩୧ ରନ କରିଥିବା ରୋହିତଙ୍କୁ ଉଡ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ରୋହିତ ଆଜିର ଇନିଂସରେ ୧୪ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଜାଡେଜା ଓ ରୋହିତ ୪ର୍ଥ ୱିକେଟ ପାଇଁ ୨୦୪ ରନ ଯୋଡ଼ିଥିଲେ।

ରୋହିତଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଡେବ୍ୟୁଟାଣ୍ଟ ସର୍ଫରାଜ ଖାନ। ସେ ଆରମ୍ଭରୁ ହିଁ ଆଟାକିଂ ଶଟ ଖେଳିଥିଲେ। ଜାଡେଜା ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ସର୍ଫରାଜ ଚୌକା ଓ ଛକା ମାରିଥିଲେ। ଏଥିସହ ଡେବ୍ୟୁ ମ୍ୟାଚ୍‌ରେ ସେ ମାତ୍ର ୪୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଉଭୟ ଜାଡେଜା ଓ ସର୍ଫରାଜ ଦମଦାର ବ୍ୟାଟିଂ କରୁଥିବା ବେଳେ ହଠାତ୍ ତାଳମେଳର ଅଭାବ ଦେଖିବାକୁ ମିଳିଥିଲା। ଏଥିପାଇଁ ୬୬ ବଲରେ ୬୨ ରନ କରିଥିବା ସର୍ଫରାଜ ରନ ଆଉଟ ହୋଇଯାଇଥିଲେ। ତେବେ ଜାଡେଜା ୧୯୮ ବଲରେ ଶତକ ହାସଲ କରିଥିଲେ। ଏହା ଘରୋଇ ମାଟିରେ ଜାଡେଜାଙ୍କ ଦ୍ୱିତୀୟ ଶତକ। ଇଂଲଣ୍ଡ ବିପକ୍ଷରେ ମଧ୍ୟ ଏହା ତାଙ୍କର ଦ୍ୱିତୀୟ ଶତକ।

ସର୍ଫରାଜଙ୍କ ପରେ ନାଇଟୱାଚମ୍ୟାନ ଭାବେ କୁଲଦୀପ ଯାଦବ ବ୍ୟାଟିଂ କରିବାକୁ ଆସିଥିଲେ। ଇଂଲଣ୍ଡ ମଧ୍ୟ ନୂଆ ବଲ୍‌ ନେଇ ଜାଡେଜା ଓ କୁଲଦୀପଙ୍କ ପାର୍ଟରଶିପ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ହେଲେ ଏହା ଫଳପ୍ରଦ ହୋଇ ନଥିଲା। ଭାରତ ପ୍ରଥମ ଦିନରେ ମୋଟ ୮୬ ଓଭର ବ୍ୟାଟିଂ କରି ୫ ୱିକେଟ ହରାଇ ୩୨୬ ରନ କରି ନେଇଛି। 

Rohit Sharma India Vs England Ravindra Jadeja Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe